କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଏକ ଭିନ୍ନ ଆବେଗରେ ଉଦ୍ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା ରେଡିଅମ୍ ଖଚିତ ଘାଟି କେବଳ ଟିକ୍ଟିକ୍ ଶବ୍ଦକରି ଅନ୍ଧକାର ମଧ୍ୟରେ ଭୀତି ସଂକେତ ଆଲୋକ ପ୍ରଦାନ କରୁଛି ।
କାହିଁ ତେବେ ପଦ୍ମିନୀ ? ଏତେବେଳ ଯାଏ କିଏ ତାଙ୍କୁ ଆଶ୍ୱାସନା ଦେଉଥିଲା ?? ଅତୀତରେ ହେୟ ଭାବରେ ଉଡ଼େଇ ଦେଇଥିବା ସୁନାର ପକ୍ଷୀକୁ, ଜୀବନର
ପ୍ରାୟଶ୍ଚିତ ମୁହୂର୍ତ୍ତରେ ମନୁଷ୍ୟ ତେବେ ଏମିତି ଆତ୍ମବିସ୍ମୃତ ହୋଇ ବ୍ୟାକୁଳ ଭାବେ ଖୋଜେ !
ପଦ୍ମିନୀ ନାହିଁ । ଆସିବନି ମଧ୍ୟ । ଦୁଃଶ୍ଚିନ୍ତାରୁ ମୁକ୍ତି ପାଇବାପାଇଁ ଚନ୍ଦ୍ରଭାନୁ ବାଧ୍ୟ ହୋଇ ଆଖି ମୁଦିଲେ । କେତେ ଘା ପୂର୍ବର ମାନସିକ ଝଡ଼ କମିଯାଇ ସେଇ ପରିବେଶ ତାଙ୍କୁ
ନିର୍ଜନ, ନିସ୍ତବ୍ଧ ମନେହେଲା । ସେ ଶୋଇବାକୁ ଚେଷ୍ଟା କଲେ ।
ମଧ୍ୟରାତ୍ରି । ରାଜଧାନୀର ମୁଖରିତ ପରିବେଶ ପୂର୍ଣ୍ଣମାତ୍ରାରେ ଶାନ୍ତ ହୋଇଯାଇଛି । ପରିଚିତ ରିକ୍ସାବାଲାକୁ ସେଇଠୁ ଫେରିଯିବାକୁ କହି ପଦ୍ମିନୀ ତଳକୁ ଓହ୍ଲାଇଲା । ପ୍ରଶସ୍ତ ରାଜପଥ ଉପରେ ଶୁଭ୍ର ଆଲୋକ ବିଛାଡ଼ି ହୋଇପଡ଼ିଛି । ନିର୍ମଳ ଆକାଶରେ ମେଘଖଣ୍ଡ ପରି ସେ ଆଗକୁ ଆଗକୁ ପାଦ ବଢ଼ାଇଲା ।
Comments are closed.