Latest Odisha News

BREAKING NEWS

ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ରହିଥିବା ବେଳେ ସେଠି ପାଣିପାଗ ବି ଉଷ୍ମ ରହିଛି । ଗତକାଲି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୩୯.୪ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱର ଓ ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୬ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଓ ପାରାଦୀପରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ୮.୩୦ ସୁଦ୍ଧା ରାଜଧାନୀରେ ଦିନ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

ଆଜି ଘଡ଼ଘଡ଼ି ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୮ ତାରିଖରେ ୧୧ ଜିଲ୍ଲା, ୧୯ ତାରିଖରେ ୧୫ ଜିଲ୍ଲା, ୨୦ ତାରିଖରେ ୨୩ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ତଥାପି ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗତକାଲି ରାଜ୍ୟର ୨୨ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ଝାରସୁଗୁଡ଼ାରେ ରେକର୍ଡ ହୋଇଥିଲା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ । ଆଜିଠୁ ୨୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଥିବାରୁ ତାପମାତ୍ରା ସାମାନ୍ୟ କମିପାରେ ।

Leave A Reply

Your email address will not be published.