Latest Odisha News

ଜେଜେ ମା’ ଅନ୍ତିମ ସଂସ୍କାରରେ ଯୋଗ ଦେବା ପରେ ସିଆରପିଏଫ ଯବାନ ନିଖୋଜ!

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର ସୂର୍ଯ୍ୟକାନ୍ତ କୁଅଁର ନାମକ ଜଣେ ସିଆରପିଏଫ ଯବାନ ଗତ ୩ ଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ କହିବାନୁସାରେ, ଏପ୍ରିଲ ୧୭ ତାରିଖରେ ତାଙ୍କ ଜେଜେମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରଠାରୁ କୁଅଁର ନିଖୋଜ ଅଛନ୍ତି। କୁଅଁର ଛୁଟିରେ ଆସି ପତ୍ନୀଙ୍କ ସହ ଗାଁରେ ରହୁଥିଲେ।

ଏବେ ସେ ତିନି ଦିନ ହେବ ନିଖୋଜ ହେବା ପରେ ତାଙ୍କ ପତ୍ନୀ ଚିନ୍ତାପ୍ରକଟ କରିଛନ୍ତି। ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୂର୍ଯ୍ୟକାନ୍ତଙ୍କର ଖୋଜଖବର ମିଳିପାରିନାହିଁ। ଯାଜପୁର ବଡଚଣା ପୁଲିସ ସୀମାରେ ଥିବା ଧାନମଣ୍ଡଳ ପାହାଡ଼ ନିକଟରୁ ଏବେ ତାଙ୍କ ଦୁଇ ଚକିଆ ଗାଡି ଉଦ୍ଧାର ହେବା ପରେ ତାଙ୍କ ନିଖୋଜକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି।

ସୂର୍ଯ୍ୟକାନ୍ତଙ୍କ ପତ୍ନୀ ଏବେ ଥାନାରେ ଏ ନେଇ ଏତଲା ଦେଇଛନ୍ତି। ଅଭିଯୋଗକୁ ନେଇ ପୁଲିସର ତତ୍ପରତା ଦେଖାଉନଥିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି। ତାଙ୍କ ସ୍ବାମୀଙ୍କ ସହ କିଛି ଅଘଟଣ ଘଟିଥାଇପାରେ ବୋଲି ତାଙ୍କ ପତ୍ନୀ ବିଜିତା ମହାନ୍ତି ଆଶଙ୍କା କରିଛନ୍ତି।

ସେ କହିଛନ୍ତି, ପୁଲିସ ହିଁ ତାଙ୍କର ଶେଷ ଭରସା। ସୂର୍ଯ୍ୟକାନ୍ତଙ୍କୁ ଅପହରଣ କରି ନିଆଯାଇଛି କିମ୍ବା ତାଙ୍କ ସହ କିଛି ଖରାପ ଘଟଣା ଘଟିଥାଇପାରେ ବୋଲି ବିଜିତା ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ସ୍ବାମୀ ତଥା ସିଆରପିଏଫ ଯବାନ ଖୁବଶୀଘ୍ର ଘରକୁ ଫେରିଆସନ୍ତୁ ବୋଲି ସେ ଆଶାପ୍ରକାଶ ରଖିଛନ୍ତି।

ସିଆରପିଏଫ ଯବାନ ଜଣଙ୍କ ନିଖୋଜ ହେବା ପରେ ତାଙ୍କ ଗାଁରେ ଏହାକୁ ନେଇ ଚିନ୍ତାପ୍ରକାଶ ପାଇଛି। ପୋଲିସ ସୂର୍ଯ୍ୟକାନ୍ତ କୁଅଁରକୁ ଠାବ କରିବାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.