Latest Odisha News

BREAKING NEWS

ହାତୀ ମୃତ୍ୟୁ ପରେ ହେଉଥିଲା ତସ୍କରୀ, ୪ ହାତୀ ଦାନ୍ତ ସହ ବନ୍ୟପ୍ରାଣୀ ମାଫିଆ ଗିରଫ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହାତୀ ଶିକାର ମାମଲାରେ ଗୁରୁବାର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗ ଜଣେ ବନ୍ୟପ୍ରାଣୀ ମାଫିଆକୁ ଗିରଫ କରିବା ସହ ତା’ ନିକଟରୁ ୪ଟି ହାତୀଦାନ୍ତ ଜବତ କରିଛି। ଗିରଫ ବ୍ୟକ୍ତି ଜଣକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ ନିକଟସ୍ଥ ଅସ୍ତକୁଆଁ ଗ୍ରାମର ବୋଲି ଜଣାପଡ଼ିଛି।

କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ତାଙ୍କ ଘରେ ଚଢ଼ଉ କରି ଏହି ୪ଟି ଦନ୍ତାର ଦାନ୍ତ ଜବତ କରିଥିଲା। ଏହି ଘଟଣାରେ ଅନ୍ୟ ତିନି ଜଣ ଫେରାର ଅଛନ୍ତି।

ଗତ ଡିସେମ୍ବର ମାସରେ ଜେନାବିଲ ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର ହୋଇଥିଲା। । ଯାହାର ମୁଣ୍ଡ ନଥିବା ଦେଖିବାକୁ ମିଳିଥିଲା। ଜବତ ଦାନ୍ତ ସେହି ହାତୀର ବୋଲି ବନ ବିଭାଗ କହିଛି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଗୋଟିଏ ଓ ଜାନୁଆରି ମାସରେ ଆଉ ଗୋଟିଏ ହାତୀର ମୃତଦେହ ମିଳିଥିଲା।

ଗତ ଦୁଇରୁ ତିନି ମାସ ଧରି ଆମେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲୁ ଏବଂ ତାଙ୍କ ପିଛା କରିଥିଲୁ। ମିଳିଥିବା ସୂଚନା ଆଧାରରେ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ଉପନିର୍ଦ୍ଦେଶକଙ୍କ ସମେତ ବାରିପଦା କର୍ମଚାରୀମାନେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିଲେ। ତା’ ନିକଟରୁ ଦନ୍ତାହାତୀର ମୁଣ୍ଡ ଜବତ କରାଯାଇଛି, ବାରିପଦା ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।

ରାଜ୍ୟରେ ଦୀର୍ଘ ଦିନ ହେବ ହାତୀ ମୃତ୍ୟୁ ବଢ଼ି ଚାଲିଛି। ବିଭିନ୍ନ ସମୟରେ ହାତୀ ମୃତ୍ୟୁ ପଛରେ ବନ ବିଭାଗର ଖାମଖିଆଲି ନୀତି ଓ ଶିକାରିଙ୍କ ସହ ମଧୁଚନ୍ଦ୍ରିକା ଥିବା ଜଣାପଡ଼ିଛି। ନିକଟରେ ହାଇକୋର୍ଟ ମଧ୍ୟ ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଥିଲେ।ବିଧାନସଭାରେ ମଧ୍ୟ ଏହାକୁ ପ୍ରସଙ୍ଗ କରି ବିରୋଧୀ ଘେରିଥିଲେ। ଜବାବରେ ସରକାର କହିଥିଲେ ବିଗତ ୧୦ ବର୍ଷରେ ଓଡ଼ିଶାରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି।

Comments are closed.