Latest Odisha News

ଶ୍ରୀମନ୍ଦିର ଫାଇଲ ହଜିନି, ସୁରକ୍ଷିତ ଅଛି: ସ୍ପଷ୍ଟୀକରଣ ଦେଲା ଆଇନ ବିଭାଗ

ପୁରୀ: ହଜିଯାଇଥିବା ଫାଇଲ ମିଳିଲା । ସୁରକ୍ଷିତ ଅବସ୍ଥାରେ ମିଳିଲା । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ ବିଭାଗ । ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଇନ ବିଭାଗ ପକ୍ଷରୁ ଏକଥା କୁହାଯାଇଛି ।

ଆଜି ବିଳମ୍ବିତ ରାତ୍ରିରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି, ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ହଜିଥିବା ୨ଟି ଫାଇଲ୍ ମିଳିଯାଇଛି । ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା । ଲ ସେକ୍ରେଟେରୀ ଧନେଶ୍ୱର ମାଲିକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ୨ଟି ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରୁଣା ହୋଇଥିବା ଯୋଗୁ ଏବଂ ପୁରୁଣା ଫାଇଲରେ ମିଶି ଯାଇଥିବାରୁ ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲକୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଏହି ଦୁଇଟି ଫାଇଲ ମିଳିଯାଇଛି ଓ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ୍ ଥିଲା ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ।

ସୂଚନା ଥାଉ କି ,ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ଯଥା- ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ନମ୍ବଇରର ଦୁଟି ଫାଇଲ ହଜି ଯାଇଥିଲା । ଏହାକୁ ନେଇ ଗଣ ମାଧ୍ୟମରେ ଜୋରଦାର ପ୍ରଚାର ହୋଇଥିଲା । ଫାଇଲ ହଜିବା ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା । ଫାଇଲ ଗାଏବ ଘଟଣାରେ ଆଇନ ବିଭାଗର ଅବହେଳା ଓ ଦାୟୀତ୍ୱହୀନତା ସମ୍ପୂର୍ଣ୍ଣ ଦାୟୀ ବୋଲି କହିଥିଲେ   ବରିଷ୍ଠ ସେବାୟତ,ଓ ଆଇନଜୀବି । ସେପଟେ ଫାଇଲ ହଜିବା ଘଟଣାରେ ସିଂହଦ୍ୱାର ଥାନାରେ ଏତାଲା ଦେଇଥିଲା ଜଗନ୍ନାଥ ସେନା । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ସେନା ଅଭିଯୋଗ କରିଥିଲା ।

Comments are closed.