Latest Odisha News

BREAKING NEWS

ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୮ ପର୍ଯ୍ଯନ୍ତ ବୃଦ୍ଧି କରିଛନ୍ତି। ଶନିବାର ଦିନ ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀର ଏହି ପୂର୍ବତନ ଉପମୁଖ୍ୟମନ୍ତ୍ରୀ।

ଆଜି ସିସୋଦିଆ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଯେତେଯାହା କଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟକାଇପାରିବେ ନାହିଁ।

ଶୁକ୍ରବାର ସିସୋଦିଆଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ଖାରଜ କରି ଦେଇଥିଲେ। ବିଚାରପତି ଏମକେ ନାଗପାଲ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ ତଦନ୍ତ ଯେଉଁ ସ୍ତରରେ ରହିଛି, ଏହି ସମୟରେ ଜାମିନ ଦିଆଯାଇ ପାରିବ ନାହିଁ। ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ସିସୋଦିଆଙ୍କର ସଂପୃକ୍ତି ରହିଥିବା ନେଇ ଆବଶ୍ୟକ ପ୍ରମାଣ ଦେଖାଇଛନ୍ତି।

ସିବିଆଇ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା “ଆର୍ଥିକ ଅପରାଧର ମାମଲା ସାଧାରଣ ଜନତା ଏବଂ ସମାଜ ଉପରେ ଗୁରୁତର ପ୍ରଭାବ ପକାଇଥାଏ କାରଣ ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଉକ୍ତ ଅପରାଧରେ ତାଙ୍କର ସମ୍ପୃକ୍ତି ବିଷୟରେ କହୁଛି”। ତେଣୁ ଜାମିନ ଦିଆନଯାଉ।

ଏହାପୂର୍ବରୁ, ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ ମେ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଯାହା ସିବିଆଇ ଦ୍ୱାରା ତଦନ୍ତ କରାଯାଉଛି। ସିସୋଦିଆଙ୍କୁ ସପ୍ଲିମେଣ୍ଟାରୀ ଚାର୍ଜସିଟର ଏକ ଇ-କପି ପ୍ରଦାନ କରିବାକୁ ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିସୋଦିଆଙ୍କ ଓକିଲ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ଅସମ୍ପୂର୍ଣ୍ଣ ଯାଞ୍ଚ କରିଥିବା ଦର୍ଶାଇ ତାଙ୍କ ମହକିଲଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହି ଦୁର୍ନୀତି ମାମଲାରେ ସିବିଆଇ ଏପ୍ରିଲ ୨୫ରେ ଚାର୍ଜଶିଟ୍ ଦାଖଲ କରିଥିଲା। ଯେଉଁଥିରେ ସିସୋଦିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ଏବେ ଉଭୟ ମାମଲାରେ ସିସୋଦିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଯଦିଓ ସିବିଆଇ ଓ ଇଡି ଏହି ମାମଲାରେ ସିସୋଦିଆ ଓ ଅନ୍ୟମାନେ ବଡ ଘୋଟାଲା କରିଥିବା ଦାବି କରୁଛନ୍ତି କିନ୍ତୁ ଆମ୍ ଆଦମୀ ପାର୍ଟି ଏହାକୁ ଏକ ଷଡଯନ୍ତ୍ର ବୋଲି କହିବା ସହ ଦୁର୍ନୀତି ଅଭିଯୋଗକୁ ଖାରଜ କରି ଚାଲିଛନ୍ତି।

Comments are closed.