Latest Odisha News

ସମ୍ବଲପୁର ହିଂସା ପରିଦର୍ଶନ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆସିବା ପୂର୍ବରୁ ବର୍ଷିଲା ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ସମ୍ବଲପୁର ଯାଇ ହିଂସା କିପରି ହେଲା ତାର ଏକ ଅନୁଧ୍ୟାନ କରିବ ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଟିମ୍। ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ରାଜ୍ୟ ବିଜେଡିର ବରିଷ୍ଠ ନେତା ତଥା ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ଏପରି ଏକ ଟିମ୍ ପଠାଇ ରାଜନୈତିକ ରଙ୍ଗ ଦେବାକୁ ପ୍ରୟାସ କରୁଛି ବୋଲି ଶାସକ ଦଳ କହିଛି।

ସଙ୍କୀର୍ଣ୍ଣ ରାଜନୈତିକ ଫାଇଦା ପାଇଁ ପଶ୍ଚିମା ଓଡ଼ିଶାର ସମ୍ବଲପୁର ସହରରେ ବିଜେପି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ହିଂସାକାଣ୍ଡ ପରେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ସହଯୋଗ ସମ୍ବଲପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ସହାୟକ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଅନେକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ଏହି ବିଜେଡି ନେତା ପୁଲିସ ଓ ପ୍ରଶାସନର ଉଦ୍ୟମକୁ ଶ୍ରେୟ ଦେଇଛନ୍ତି।

ବିଜେପିର କିଛି ନେତା ଉତ୍ତେଜନାମୂଳକ ବୟାନ ଦେବା ସହ ସମ୍ବଲପୁରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏହି ପଦକ୍ଷେପ ସମ୍ବଲପୁରବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସମ୍ବଲପୁରବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ।

2014ଠାରୁ ସାରା ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି କହି ପୂର୍ବତନ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ୟୁପିରେ ଅନେକ ହିଂସା ହୋଇଛି। ସେଠାକୁ ବିଜେପି କେବେ ଅନୁଧ୍ୟାନ କରିବାକୁ ଟିମ୍ ପଠାଇନି। ହେଲେ ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଛୋଟ ମୋଟ ଘଟଣା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ରୀୟ ଟିମ୍ ଗଠନ କରିବାକୁ ପ୍ରସନ୍ନ ଆଚାର୍ଯ୍ୟ ନାପସନ୍ଦ କରିଛନ୍ତି।

ଘୃଣା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜନୈତିକ ଏଜେଣ୍ଡା ନେଇ ବିଜେପି ନିଜ ଟିମକୁ ସମ୍ବଲପୁର ପଠାଉଛି ବୋଲି ବିଜେଡି ନେତା ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ଯ, ଏହି ପ୍ରସଙ୍ଗରେ ବରଗଡ ସାଂସଦ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହିତ ସଂସଦରେ ଏହାକୁ ଉଠାଇବେ ବୋଲି କହିଛନ୍ତି। ହିଂସା ଆଶଙ୍କା କରି ଗୁଇନ୍ଦା ରିପୋର୍ଟ ଏସପିଙ୍କୁ ଦିଆଯାଇଥିବା ବେଳେ ସରକାର କାହିଁକି ଚୁପ୍ ବସିଲେ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି।

Comments are closed.