ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛି IMD । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ ବୋହିବ । ହାଇଆଲର୍ଟରେ ରାଜ୍ୟ ସରକାର । ଏନେଇ ୧୭ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ୧୫ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।
ସମୁଦ୍ରରେ ପବନର ବେଗ ୪୫ରୁ ୫୫ କିମି ପର୍ଯ୍ୟନ୍ତ ରହିଛି । ଝଟ୍କା ପବନ ୬୫ କିମି ପର୍ଯ୍ୟନ୍ତ ଯିବା ନେଇ IMD ସୂଚନା ଦେଇଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ମଧ୍ୟ ସତର୍କତା ଜାରି ହୋଇଛି। ୧୮ ତାରିଖ ପାଇଁ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ୧୯ ତାରିଖ ପାଇଁ କନ୍ଧମାଳ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ପାଇଁ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ରହିଛି।
