Latest Odisha News

BREAKING NEWS

ପ୍ରସଙ୍ଗ ଓ ରାଜନୀତିକ ସମୀକରଣର ସମୟ ସମାନ: ଏଥର ସଫଳ ହେବ ନବୀନ-ନୀତୀଶ ଭେଟଘାଟ?

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ ଜେଡିୟୁ ସୁୁପ୍ରିମୋ। ଦେଶର ସମସ୍ତ ବିରୋଧୀ ଦଳକୁ ଏକତ୍ର କରିବାରେ ନିୟୋଜିତ ଅଛନ୍ତି ନୀତୀଶ।

ଦିଲ୍ଲୀରେ କଂଗ୍ରେସ, ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କୁ ଭେଟିବା ପରେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସୁଛନ୍ତି। ମେ ୫’ରେ ବିରୋଧୀ ଏକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ରହିଛି।

ଅନ୍ତିମ ଥର ପାଇଁ ନୀତୀଶ କୁମାର ୨୦୧୭ ମାର୍ଚ୍ଚ ୭ରେ ଓଡ଼ିଶା ଆସିଥିଲେ ନୀତୀଶ କୁମାର। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଆଉ ଏବେ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ସମାନ ରାଜନୈତିକ ମୁଦ୍ଦାକୁ ନେଇ ଭେଟିବାକୁ ଆସୁଛନ୍ତି ନୀତୀଶ କୁମାର। ସେତେବେଳେ ତାଙ୍କ ସହିତ ସାଙ୍ଗରେ ଥିଲେ ଶରଦ ଯାଦବ। ଯାହାଙ୍କର ନିକଟରେ ପରୋଲକ ହୋଇଯାଇଛି। ସେତେବେଳେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମ୍ମୁଖ୍ୟ କଥା ଆଲୋଚନା ହେଉଥିଲା। ଆଉ ଜେଡିୟୁର ଏହି ବରିଷ୍ଠ ନେତା ଆସି ନବୀନଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ।

ଆଉ ଏହି ଭେଟଘାଟକୁ ସୁନିଶ୍ଚିତ କରିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଆଉ ଏବେ ନୀତୀଶ ଆସିବେ। ଏଥିରେ କାହାକୁ ମନା କରିବାର ନାହିଁ। ମୁଖ୍ୟମନ୍ତ୍ରୀ କାହାକୁ ଭେଟିବେ କାହାକୁ ନଭେଟିବେ ତାହା ତାଙ୍କର ନିଜସ୍ବ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଦଳର ନେତା ବା ରାଜ୍ୟର ମୁଖ୍ୟମନ୍ତ୍ରୀ ଭେଟିବାକୁ ଆସନ୍ତା ସେ ତାଙ୍କ ସହ ଭେଟନ୍ତି। ତେବେ ରାଜନୈତିକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ମୁଖ୍ୟମନ୍ତ୍ରୀ ହେଉଛି ବିଜେଡିର ସର୍ବେସର୍ବା। ସେ ଯେଉଁ ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି କହିଛନ୍ତି ମୋରଡା ବିଧାୟକ ରାଜକିଶୋର ଦାସ।

କହିରଖୁଛି ରାଜ୍ୟରେ ବିଜେପି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇ ବିଜେଡି ବିରୋଧରେ ରଣନୀତି ତିଆରି କରିବା ସହିତ ଶାଣିତ ଆକ୍ରମଣ କରୁଛି। ଯାହାକୁ ଦେଖିଲେ କେହି କେବେ କହିବ ନାହିଁ ଯେ ଦିନେ ଏକାଠି ଥିବା ଏହି ଦୁଇ ଦଳ ପୁଣିଥରେ ଯୋଡ଼ି ହେବେ। ହେଲେ ରାଜନୀତିରେ କେହି କାହାର ଚିରସ୍ଥାୟୀ ଶତ୍ରୁ କି ମିତ୍ର ନୁହେଁ ଆଧାରରେ ନବୀନଙ୍କୁ ମୋଦୀ ବିରୋଧୀ ଦଳ ଭେଟୁଛନ୍ତି ବୋଲି କୁହାଯାଉଛି। ଆଉ ନବୀନ ମଧ୍ୟ ଧୀରେଧୀରେ ମୋଦୀ ବିରୋଧୀ ନେତାଙ୍କ ଭେଟିବାକୁ ପ୍ରୟାସ କରି ବିଜେପିକୁ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି।

ଏପ୍ରିଲ ମାସରେ ନୀତୀଶ କୁମାର ପ୍ରଥମେ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଭେଟିଥିଲେ। ସେଠାରେ ନୀତୀଶ କୁମାରଙ୍କୁ ମଧ୍ୟ ଏକ ଗ୍ରୀନ ସିଗନାଲ ମିଳିଥିଲା ​​ଯେ ସମସ୍ତେ ଏକାଠି ହୋଇ ୨୦୨୪ ପାଇଁ ପ୍ରସ୍ତୁତ ହେବେ। କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବାରେ ନୀତୀଶ କ୍ରମାଗତ ଭାବରେ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

କିଛି ଦିନ ପୂର୍ବରୁ ନୀତୀଶ କୁମାର ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ସେହି ଦିନ ସେ ୟୁପି ଯାଇ ସମାଜବାଦୀ ଦଳର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ବର୍ତ୍ତମାନ ମେ ୫ରେ ନୀତୀଶ କୁମାର ଓଡ଼ିଶା ଆସୁଛନ୍ତି। ପରେ କାହାକୁ ଭେଟିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଉଲ୍ଲେଖଯୋଗ୍ୟ ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟ ବା ମୋର୍ଚ୍ଚାରେ ସାମିଲ କରି ଅନେକ ବିରୋଧୀ ଦଳ ନେତା ଏହି ସମ୍ଭାବ୍ୟ ମୋର୍ଚ୍ଚାର ଭାବମୂର୍ତିକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନିକଟରେ ଡିଏମକେ ସୁୁପ୍ରିମୋ ଏମ କେ ଷ୍ଟାଲିନ ଡାକିଥିବା ସାମାଜିକ ନ୍ୟାୟିକ ବୈଠକ ହେଉ ଅବା ମମତାଙ୍କ ବୈଠକରେ ନିଜେ ନବୀନ ଯୋଗ ଦେଇନଥିଲେ କି କୌଣସି ନେତାଙ୍କୁ ପ୍ରତିନିଧି ଭାବେ ନପଠାଇ ଦିଲ୍ଲୀରେ ବିଜେପି ସହ ଯେଉଁ ନିରବ ସମର୍ଥନ ରହିଛି ତାକୁ ସେ ସମର୍ଥନ କରିବେ ବୋଲି ଏକ ପ୍ରକାର ବାର୍ତ୍ତା ଦେଇ ସାରିଛନ୍ତି।

Comments are closed.