Latest Odisha News

BREAKING NEWS

ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ନୀତିଶ କୁମାର; ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଚାଲିଛି କି ଅଙ୍କକଷା ?

ଭୁବନେଶ୍ୱର:ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି  ବିହାର ମୁଖ୍ୟମନ୍ତ୍ରୀ  ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଭେଟି ପାରନ୍ତି  ନୀତିଶ। ନୀତିଶ-ନବୀନ ଭେଟଘାଟକୁ ନେଇ  ଖବର ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ଅଙ୍କକଷା   ।

ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ  ନୀତିଶ କୁମାରଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକି ନୀତିଶ ଓଡ଼ିଶା ଆସୁଛନ୍ତି ? ନବୀନଙ୍କ ଭେଟ ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ମନ୍ତ୍ରଣା ? ଏମିତି କିଛି ମଧ୍ୟ ଆଶା କରାଯାଉଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଜୋରଦାର ଉଦ୍ୟମ କରୁଛନ୍ତି । ଏ ନେଇ ସେ ପୂର୍ବରୁ ମମତା ବାନାର୍ଜୀ, ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ଏପରିକି ଏହା ପୂର୍ବରୁ ନୀତିଶ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଛନ୍ତି ।

ତେଣୁ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର ।  ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା ପାଇଁ କହି ଆସୁଥିବା ନବୀନ ତାଙ୍କ ମତ ପରିବର୍ତ୍ତନ କରିବେ କି ନାହିଁ ତାହା ଏବେ ପ୍ରଶ୍ନ ।

ନୀତିଶଙ୍କ ପୂର୍ବରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଓଡ଼ିଶା ଆସି ନବୀନଙ୍କୁ ଭେଟିଥିଲେ । ଯଦିଓ ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉଥିଲା ତେବେ ବିଜେପି ବିରୋଧୀ ମେଣ୍ଟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଥିଲା । ହେଲେ ବିଜେପି ବିରୋଧୀ ମେଣ୍ଟକୁ ନବୀନ କେତେଦୂର ସମର୍ଥନ କରିବେ ତାହା ମଧ୍ୟ ଏକ ପ୍ରଶ୍ନ । ସମଦୂରତା କଥା କହୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ମୋଦିଙ୍କ ପ୍ରତି ନରମ ମନୋଭାବ ରଖିଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ନୀତିଶଙ୍କ ତୃତୀୟ ସାମ୍ମୁଖ୍ୟରେ ଯଦି କଂଗ୍ରେସ ସାମିଲ ହୁଏ ତେବେ ନବୀନଙ୍କ ମନୋଭାବ କ’ଣ ରହିବ ସେ ନେଇ ମଧ୍ୟ ଆଶା-ଆଶଙ୍କା ଦେଖା ଦେଇଛି ।

Comments are closed.