Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
ନୂଆଦିଲ୍ଲୀ: ଗୁଜରାଟରୁ ଆରମ୍ଭ ହୋଇଥିଲା ଯାତ୍ରା, ଆଉ ଏବେ ଦିଲ୍ଲୀରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଜାରି ରହିଛି ନେତୃତ୍ୱ। ସରକାରର ମୁଖ୍ୟ ଭାବେ ନରେନ୍ଦ୍ର ମୋଦି ଆଜି ୨୫ ବର୍ଷ ପୂରଣ କରୁଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେଠାରୁ ଆରମ୍ଭ ହୋଇଥିବା ତାଙ୍କ ଶାସନ ଯାତ୍ରା ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିଥିଲା। ଏବେ ତାଙ୍କର ତୃତୀୟ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଚାଲିଛି। ମୋଦିଙ୍କ ୨୫ ବର୍ଷର ଶାସନ ଯାତ୍ରାକୁ ବିଜେପି ଓ ଏନ୍ଡିଏ ପକ୍ଷରୁ ସାରା ଦେଶରେ ପାଳନ କରାଯାଉଛି। ଏଥିପାଇଁ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଲି, ପ୍ରଦର୍ଶନୀ ଓ ସଭାର ଆୟୋଜନ କରାଯାଇଛି।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ‘ସେବା ଜ୍ୟୋତି’ କାର୍ଯ୍ୟକ୍ରମ ହେଉଛି। ଏଠାରେ ପ୍ରାୟ ୫ ହଜାର ଲୋକ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ଏବଂ ତାଙ୍କ ଅଭିଭାଷଣ ଦେଶର ବିଭିନ୍ନ ସ୍ଥାନରେ ଲାଇଭ୍ ପ୍ରସାରଣ କରାଯିବ। ୨୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ବୁଧବାର ଦିଲ୍ଲୀର ସରୋଜିନୀ ନଗରସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜା ଓ ଆଳତି କରିଥିଲେ। ଦେଶର ୧୪୦ କୋଟି ଲୋକଙ୍କ ମଙ୍ଗଳ କାମନା କରିବା ସହ ନିଷ୍ଠାର ସହ ଦେଶସେବା ଜାରି ରଖିବାର ସଂକଳ୍ପ ନେଇଥିଲେ।
ମୋଦିଙ୍କ ୨୫ ବର୍ଷର ଯାତ୍ରାକୁ ନେଇ ଦେଶର ଅନେକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ଗୁରୁଗ୍ରାମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେବେ। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଓ ରାଜ୍ୟ ବିଜେପି ପ୍ରଭାରୀ ସ୍ମୃତି ଇରାନୀ ମଧ୍ୟ ଏଥିରେ ଯୋଗଦେବେ। ଗାଜିଆବାଦରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ। ପାଟନାରେ ‘ବିକଶିତ ଭାରତ ସଂକଳ୍ପ ସଭା’କୁ ପ୍ରଧାନମନ୍ତ୍ରୀ ମୋଦି ଓ ନୀତିନ ନବୀନ ଭର୍ଚୁଆଲ ଭାବେ ସମ୍ବୋଧନ କରିବେ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ‘ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ରେ ଯୋଗଦେବେ।
ଗୁଜରାଟର ବଡୋଦରାରେ ହେବାକୁ ଯାଉଛି ବିଶାଳ ଗର୍ବା କାର୍ଯ୍ୟକ୍ରମ। ଏଥିରେ ୬୦ ହଜାରରୁ ଅଧିକ ଯୁବକ-ଯୁବତୀ ଏକାଠି ଗର୍ବା କରିବେ। ଏହାକୁ ବିଶ୍ୱ ରେକର୍ଡ କରିବାର ଲକ୍ଷ୍ୟ ରଖାଯାଇଛି। ଅହମଦାବାଦରେ ରିଭରଫ୍ରଣ୍ଟରୁ ‘ଜଳ କକ୍ଷ ଯାତ୍ରା’ ଆୟୋଜିତ ହେବ। ସେହିପରି ବାରାଣସୀରୁ ବଡନଗର ପର୍ଯ୍ୟନ୍ତ ଚାଲିଥିବା ଅଭିଯାନର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଯୋଗଦେବେ।
ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ବିଜେପି ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ କରିଛି। ଏହା ଅଧୀନରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଜନକଲ୍ୟାଣ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଓ ସାଂସ୍କୃତିକ ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶର ଗାଜିପୁରରେ ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଡ଼ ସ୍ୱାସ୍ଥ୍ୟ ଶିବିର ହୋଇଥିଲା। ତିନି ଦିନରେ ପ୍ରାୟ ୩୧,୨୭୪ ଜଣ ଲୋକ ଏହାର ଲାଭ ନେଇଥିଲେ।
ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ମୋଦିଙ୍କୁ ସରକାରର ମୁଖ୍ୟ ଭାବେ କ୍ରମାଗତ ୨୫ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇ ଏକ ୧୦ ସୂତ୍ରୀ ପ୍ରସ୍ତାବ ପାରିତ କରିଛି। ସୂଚନା ଓ ପ୍ରସାରଣମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହା କେବଳ ଔପଚାରିକ ସମ୍ମାନ ନୁହେଁ; ‘ରାଷ୍ଟ୍ର ପ୍ରଥମ, ନାଗରିକ ପ୍ରଥମ’ ଭାବନାରେ ମୋଦିଙ୍କ ଯାତ୍ରାକୁ ସମ୍ମାନିତ କରିବାର ଅବସର। ପ୍ରସ୍ତାବରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟର ‘ସ୍ୱାଗତ’ ଅଭିଯୋଗ ସମାଧାନ ବ୍ୟବସ୍ଥା ଓ ‘ଜ୍ୟୋତିଗ୍ରାମ’ ଯୋଜନାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ‘ସ୍ୱାଗତ’ ବ୍ୟବସ୍ଥା ପାଇଁ ୨୦୧୦ରେ ମିଳିଥିଲା ଜାତିସଂଘର ପବ୍ଲିକ ସର୍ଭିସ୍ ଆୱାର୍ଡ। ପରେ ଏହାର ଧାରଣାରୁ କେନ୍ଦ୍ରର ‘ପ୍ରଗତି’ ପ୍ଲାଟଫର୍ମକୁ ଆଗକୁ ନିଆଯାଇଥିଲା।
କ୍ୟାବିନେଟ୍ର ପ୍ରସ୍ତାବରେ ମୋଦି ସରକାରର ବିଭିନ୍ନ ଯୋଜନା ଓ ପଦକ୍ଷେପର ଉଲ୍ଲେଖ ରହିଛି। ପ୍ରାୟ ୬୦ କୋଟି ଜନଧନ ଖାତା, ୪ କୋଟିରୁ ଅଧିକ ଘର ଏବଂ ପିଏମ୍-କିସାନ୍ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତରକୁ ସରକାର ନିଜ ଉପଲବ୍ଧି ଭାବେ ଦର୍ଶାଇଛି। ପ୍ରାୟ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବା ଦାବି ମଧ୍ୟ ପ୍ରସ୍ତାବରେ ରହିଛି। ଜିଏସ୍ଟି, ଡିଜିଟାଲ ପେମେଣ୍ଟ, ୟୁପିଆଇ, କଲ୍ୟାଣକାରୀ ଯୋଜନାର ଡିଜିଟାଲ ବଣ୍ଟନ, ରାଜପଥ ନିର୍ମାଣ, ରେଳ ବିଦ୍ୟୁତୀକରଣ, ଇଲେକ୍ଟ୍ରୋନିକ୍ସ ଓ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ଏବଂ ସେମିକଣ୍ଡକ୍ଟର ଉତ୍ପାଦନକୁ ମଧ୍ୟ ଉଲ୍ଲେଖ କରାଯାଇଛି। କୋଭିଡ୍ ଟିକା ବିକାଶ ଓ ଚନ୍ଦ୍ରଯାନ-୩ର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳ ଅବତରଣକୁ ମଧ୍ୟ ଭାରତର ବୈଷୟିକ କ୍ଷମତାର ଉଦାହରଣ ଭାବେ ଦର୍ଶାଯାଇଛି।
କ୍ୟାବିନେଟ୍ ପ୍ରସ୍ତାବରେ ଜାତୀୟ ସୁରକ୍ଷାକୁ ମଧ୍ୟ ମୋଦି ସରକାରର ପ୍ରମୁଖ ବିଷୟ ଭାବେ ଉଲ୍ଲେଖ କରାଯାଇଛି। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍, ୨୦୧୯ର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏବଂ ୨୦୨୫ର ଅପରେସନ୍ ସିନ୍ଦୂରକୁ ଉଦାହରଣ ଭାବେ ରଖାଯାଇଛି। ଧାରା ୩୭୦ ଉଚ୍ଛେଦ, ‘ଓ୍ୱାନ୍ ରାଙ୍କ୍ ଓ୍ୱାନ୍ ପେନ୍ସନ୍’, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦ ସୃଷ୍ଟି ଓ ମାଓବାଦୀ ହିଂସା ବିରୋଧରେ ପଦକ୍ଷେପକୁ ମଧ୍ୟ ଉଲ୍ଲେଖ କରାଯାଇଛି। ବିଦେଶ ନୀତି କ୍ଷେତ୍ରରେ ଜି-୨୦, ବ୍ରିକ୍ସ, ଗ୍ଲୋବାଲ ସାଉଥ୍ ପାଇଁ ଭାରତର ସ୍ୱର, ଆଫ୍ରିକାନ୍ ୟୁନିଅନ୍କୁ ଜି-୨୦ରେ ସାମିଲ କରାଇବା ଏବଂ ‘ଭ୍ୟାକ୍ସିନ୍ ମୈତ୍ରୀ’ ଭଳି ପଦକ୍ଷେପକୁ ସ୍ଥାନ ମିଳିଛି। ଏହାସହ ମୋଦିଙ୍କୁ ୩୬ଟି ଦେଶ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ମିଳିଥିବା କଥା ମଧ୍ୟ ପ୍ରସ୍ତାବରେ ଉଲ୍ଲେଖ ହୋଇଛି।
ସେବା ଜ୍ୟୋତି କାର୍ଯ୍ୟକ୍ରମକୁ ନଜରରେ ରଖି ଦିଲ୍ଲୀର କିଛି ପ୍ରମୁଖ ରାସ୍ତାରେ ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିଛି। ବାହାଦୁର ଶାହ ଜାଫର ମାର୍ଗ, ଜେଏଲ୍ଏନ୍ ମାର୍ଗ, ମହାତ୍ମା ଗାନ୍ଧୀ ମାର୍ଗ, ଆଇପି ମାର୍ଗ ଓ ବିକାଶ ମାର୍ଗ ଭଳି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇପାରେ। ଶାନ୍ତିବନ୍ କ୍ରସିଂ, ରାଜଘାଟ, ଭୈରୋନ୍ ମାର୍ଗ, ଗୀତା କଲୋନୀ ଫ୍ଲାଏଓଭର ଓ ଆଇପି ଫ୍ଲାଏଓଭର ଅଞ୍ଚଳରେ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ। ସକାଳ ୬ଟା ପରଠାରୁ ସେକ୍ରେଟାରିଏଟ୍ ରୋଡ୍ ଓ ଭେଲୋଡ୍ରୋମ୍ ରୋଡ୍ରେ ଆବଶ୍ୟକତା ଅନୁସାରେ ଯାତାୟାତ ବନ୍ଦ ରହିପାରେ।
୨୦୦୧ରେ ଗୁଜରାଟରୁ ଆରମ୍ଭ ହୋଇଥିବା ମୋଦିଙ୍କ ଶାସନ ଯାତ୍ରା ୨୦୧୪ରେ ଦିଲ୍ଲୀ ପହଞ୍ଚିଥିଲା। ୨୦୧୯ ଓ ୨୦୨୪ରେ ପୁଣି କ୍ଷମତାକୁ ଫେରି ସେ ଜବାହରଲାଲ ନେହେରୁଙ୍କ ପରେ କ୍ରମାଗତ ତିନିଥର ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏବେ ତାଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରାକୁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ସହ ଯୋଡ଼ି ଦେଶବ୍ୟାପୀ ଭାବେ ପାଳନ କରୁଛି ବିଜେପି।

