ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବାର ସୌଭାଗ୍ୟ ଯିଏ ଥରେ ଲାଭ କରିଥାଏ, ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେକରେ। ଆଜି ସେହିପରି କିଛି ଭାଗ୍ୟବାନ ସେବକଙ୍କ ବିଷୟରେ ଜାଣିବା। ପ୍ରଥମେ ଜାଣିବା ପଟରାବିଶୋଇ ସେବା, ଏହାପରେ ପୁଣି ଏକ ନିଆରା ସେବା ବେଣ୍ଟବିନ୍ଧା ପାଇକ ସେବା।
ପଟରା ବିଶୋଇ :- ନାମ କରଣ ରୁ ଜଣା ପଡୁଛି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ପାଇଁ ଦରକାର ହେଉଥିବା ପାଟ ବସ୍ତ୍ର ଏହି ସେବକମାନେ ଯୋଗାଇଥାନ୍ତି । ପାଟ ତିଆରି କରିବା ବ୍ୟତୀତ ପାଗ, କୁସୁମୀ ସହ ଲୁଗା ରଙ୍ଗ କରିବା, ରାକ୍ଷୀ ଡୋର ତିଆରି କରିବା, ଇତ୍ୟାଦି ଏହାଙ୍କ ମୁଖ୍ୟ କାର୍ଯ୍ୟ ଅଟେ। ସେହିପରି ଚନ୍ଦନ ଯାତ୍ରା ପାଇଁ ମଦନ ମୋହନଙ୍କ ପାଇଁ ପାଟ ଡୋରି କରନ୍ତି । ପୁଷ୍ୟାଭିଷେକ ପାଇଁ ପାଟ ଫୁଲି, ମାଘ ସପ୍ତମୀ ଦିନ ସୂର୍ଯ୍ୟଙ୍କ ରୁନ୍ଧା ଡୋରି ରେଖା ପଞ୍ଚମୀ ପାଇଁ ରାହୁ ରେଖା, ବଣଭୋଜି ବେଶ ପାଇଁ ପାଟ ଶିକା, ପାଟ ବନମାଳ ଆଦି, ବାମନ ଜନ୍ମ ପାଇଁ ପଇତା, ଷୋଳପୂଜାରେ ମା ବିମଳାଙ୍କ ଝୋବା,କୃଷ୍ଣ ବେଶର ରୁନ୍ଧା ଜିନିଷ, ସବୁ ପ୍ରସ୍ତୁତ କରିବା ସହ ବିଜେ ଓ ଆଲଟ ଲାଗି ପାଇଁ ଲୁଗା ରଙ୍ଗ କରିବା,ଝୋବା ଶ୍ରୀପଟ, ପଇତା, ଗୁଆମାଳ, ଗମ୍ହାଫୁଲି, ପ୍ରଭୃତି ତିଆରି ସହ ଅଣସର ଓ ମହାଅଣସର ପାଇଁ ଘଣା ଚଉଠା, ପଇତା, ଓ ବାଇଶି ହାତିଆ ତିଆରି କରିଥାନ୍ତି. ଏହି ସେଵା ଶାଢ଼ୀ ବନ୍ଧା ସେବା ନୁହେଁ କି ବଂଶାନୁକ୍ରମିକ ସେବା ନୁହେଁ। ନିଜର କୌଳିକ ବୃତ୍ତି ସହ ଠାକୁରଙ୍କ ସେବା ଏହାର ଲକ୍ଷ ।
ବେଣ୍ଟବିନ୍ଧା ପାଇକ :-ଏହି ସେବା ଶାଢ଼ୀ ବନ୍ଧା ସେବା ଅଟେ। ସାଧାରଣତଃ ଶ୍ରୀଜୀଉମାନଙ୍କ ବେଣ୍ଟ ନୀତି ବେଳେ ଶର ବିନ୍ଧୁଥିବା ସେବକଙ୍କୁ ବେଣ୍ଟବିନ୍ଧା ପାଇକ କହିଥାନ୍ତି। ପାଇକ ସେବକଙ୍କ ମଧ୍ୟରେ ଏହି ବେଣ୍ଟବିନ୍ଧା ପାଇକଙ୍କୁ ଦଳବେହେରା ଭାବରେ ବିବେଚିତ କାରାଯାଏ। ତେଣୁ ପ୍ରତିଦିନ ପାଇକଙ୍କ ସଙ୍ଗେ ପାଳିଆ ସେବକଙ୍କୁ ସେବା ନୀତି ଖଟିବାକୁ ଡାକିଥାନ୍ତି। ଏହି ସେବା ବଂଶାନୁକ୍ରମିକ ଅଟେ। ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଅନ୍ୟ ସେବକମାନଙ୍କ ବିଷୟରେ, ବର୍ତ୍ତମାନ ସମୟ ହେଉଛି ଆରାଧନା ଓ ଭାଗବତ ପଠନର।
ଅନନ୍ତ ମହିମା ତୋହର
ସର୍ବଜ୍ଞ ଜଗତ ଈଶ୍ୱର ।
ଯେଣୁ ତୁ ଅଷ୍ଟନିଧି ଧାରୀ
ତେଣୁ ତୁ ସର୍ବ ଅଧିକାରୀ ।
ଅକୁଣ୍ଠ ବିକୁଣ୍ଠ ମହିମା
ବେଦ ନ ଜlଣେ ତୋର ସୀମା ।
ଜୟ ଜଗନ୍ନାଥ (ଦ. ତ୍ରି.ଉବାଚ )