Latest Odisha News

ରିଲିଜ୍ ହେଲା ‘ଶଳା ବୁଢାର ବଦଲା’: ରହିଛି ଭରପୁର କମେଡି ଓ ସସପେନ୍ସ

ଭୁବନେଶ୍ୱର: ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଶଳା ବୁଢାର ବଦଲା’ । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତଏହି ଫିଲ୍ମର ପ୍ରିମିୟର ଶୋ ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେମା ହଲ୍‌ରେ ହୋଇଯାଇଛି । ଏହି ପ୍ରିମିୟର ଶୋ’ ରେ ବହୁ କଳାକାର, ଓଡ଼ିଆ ସିନେ ପ୍ରେମୀ ଙ୍କ ସମେତ ସିନେମା ଜଗତର ଖ୍ୟାତନାମା ପ୍ରଯୋଜକ ଅକ୍ଷୟ ପରିଜା, ସୁଶାନ୍ତ ମିଶ୍ର, ସଚିକାନ୍ତ ଜେନା, ଗଦାଧର ପୁଟ୍ଟି, ଶ୍ରୀଧର ମାର୍ଥା, ଜିତେଶ ପରିଡା,ସନଲିସା ପଟେଲ୍‌, ଦିଲ୍ଲୀପ ଶ୍ରୀଚନ୍ଦନ,ଅତିସ ରାଉତ, ଅଭିନେତା ପାର୍ଥ, ସ୍ୱରାଜ,ଅଭିନେତ୍ରୀ ଅନନ୍ୟା,ବୈଶାଳୀ,ସସ୍ମିତା ପ୍ରମୁଖ ଯୋଗଦେଇ ଫିଲ୍ମଟି ଦେଖି ଉଚ୍ଚ ପ୍ରଶଂସା କରିଥିଲେ ।

ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡିଶାରେ ନିର୍ମିତ ହୋଇଛି । ତାହା ହେଉଛି ଏକ ନିଆରା ଓ ହୃହୟସ୍ପର୍ଶୀ ସିନେମା ‘ଶଳା ବୁଢାର ବଦଲା’ । ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଳା ବୁଢାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା । ଉପସ୍ଥିତ ସିନେ ସମୀକ୍ଷକ ଙ୍କ କହିବା ଅନୁସାରେ ‘ଶଳା ବୁଢାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଏବଂ ସମ୍ପର୍କର ଚିତ୍ର, ଯେଉଁଥିରେ ଅଛି ଭରପୁର କମେଡି ଓ ସସପେନ୍ସ ।

ଫିଲ୍ମଟି ଏକ ସରଳ ମଣିଷ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି, ଯେତେବେଳେ ସମାଜ ମଧ୍ୟରେ ବିଶୃଙ୍ଖଳା, ଦ୍ୱନ୍ଦ୍ୱ ଏବଂ କ୍ରୋଧ ମଧ୍ୟରେ ମଧ୍ୟ ଏକ ସମ୍ପର୍କ ଗଢି ଉଠିଛି । ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ଏହି ଫିଲ୍ମରେ ପଶ୍ଚିମ ଓଡିଶାର ଜନଜୀବନକୁ ଏଥିରେ ପ୍ରଦର୍ଶିତ କରାଯାଇଛି । ଏହାର ସଙ୍ଗୀତଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହୋଇଛି । ସ୍ୱର୍ଗତଃ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ,ନେତ୍ରାନନ୍ଦ,ଜିତ୍‌,ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.