ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସମୀରା ତା’ର ପରିବାର ଓ ସାଙ୍ଗ ସାଥୀଙ୍କ ସହିତ ଏମିତି ଗୋଟେ ସରଳ, ଚିନ୍ତାମୁକ୍ତ ଓ ହସଖୁସି ଭରା ସମୟ ବିତେଇବାକୁ ଇଚ୍ଛା କରିଆସିଛି ଯେଉଁଠି କୌଣସି ଜଟିଳତା କି କାହାଠୁ କିଛି ପ୍ରତ୍ୟାଶା ନଥାଏ । ତା’ ଭିତରେ ସବୁବେଳେ ଗୋଟିଏ ଭୟ ଯାହା ବସା ବାନ୍ଧି ରହିଥାଏ – ବିଫଳ ହେଇଯିବାର ଭୟ ।
କିଛି ଗୋଟିଏ ନୂଆକାମ ଆରମ୍ଭ କରିବା ପୂର୍ବରୁ, ସେଥିରେ ଅସଫଳ ହୋଇଯିବାର ଚିନ୍ତା ସମୀରାକୁ ସବୁବେଳେ ବିବ୍ରତ କରେ । ଅସଫଳ ହେବା ଠାରୁ ବେଶୀ କଷ୍ଟଦିଏ, ତାକୁ ଲୋକଙ୍କ ସମାଲୋଚନା ଓ ବିଦ୍ରୁପ ।
ଏତିକିବେଳେ ତା’ ଆଖି ସାମ୍ନାରେ ହାତ ହଲେଇଦେଇ ସିଡ଼୍ କହିଲା, “ହେଲୋ! କୋଉଠି ହଜିଯାଇଛ?”, “ଓଃ! ସରି । ମୁଁ ଟିକେ ଅନ୍ୟମନସ୍କ ହୋଇଯାଇଥିଲି ।” “ଆଚ୍ଛା! ଠିକ୍ ଅଛି । ଚାଲ, ଦୁଇନମ୍ବର ଦୋକାନକୁ ଯିବା,” ସମୀରାର ଉତ୍ତରକୁ ଅପେକ୍ଷା ନ କରି କ୍ଷୀପ୍ର ବେଗରେ ସିଡ଼୍ ଯିବାକୁ ଲାଗିଲା । ଆଉ ତା’ ପଛରେ ସମୀରା ଦୌଡ଼ିଲା ପରି ଯାଉଯାଉ କହିଲା, “ଠକ!” ସେମିତି ଦଉଡ଼ୁ ଦଉଡ଼ୁ ସିଡ଼୍ ପଛକୁ ଚାହିଁ କହିଲା, “ଯୁଦ୍ଧ ଆଉ ଭଲପାଇବାରେ ସବୁକିଛି ଚଳେ ପରା -” “ହେ ଭଗବାନ! ମୁଁ ପୁରା ହାଲିଆ ହୋଇଗଲିଣି” – ନିଜ ରୁମ୍ର ସୋଫା ଉପରେ ଲଥ୍ କିନା ବସି ପଡ଼ୁପଡ଼ୁ, ବୀରା କହିଲା । ଟେବୁଲ୍ ଉପରେ ଥୁଆ ସ୍ନାକ୍ସ୍କୁ ଲୋଭିଲା ଆଖିରେ ଚାହିଁ ଖଟ ଉପରେ ବସିପଡ଼ିଲା ରୋହାନ୍ । ଚାରିଜଣଯାକ ମେଳାରେ ବୁଲାବୁଲି କରି ଯାହା ଯାହା ମଜା କରିଥିଲେ ସେ ବିଷୟରେ କଥା ହୋଇ ଖୁବ୍ ହସାହସି ହେଲେ ।
ସମୀରା ହାଲିଆ ହୋଇ ବୀରା ଖଟଉପରେ ପଡ଼ିଯାଇ କହିଲା, “ଆଜି ଏଇ ରୁମ୍କୁ ଖାଇବାକୁ ମଗେଇ ଦେବା । ମୁଁ ଏତେ ହାଲିଆ ଯେ, ଆଉ କୁଆଡ଼େ ବି ଯାଇପାରିବି ନାହିଁ ।” ସମସ୍ତେ ଏ ପ୍ରସ୍ତାବରେ ରାଜି ହୋଇ ରୁମ୍କୁ “ଚିକେନ୍ ବରିଟ୍” ଓ ସାଲାଡ଼୍ ମଗାଇ ଖାଇ, ଅନେକ ମଜା କରି ସିଡ଼୍ ଓ ରୋହାନ୍ ନିଜ ରୁମ୍କୁ ଫେରିଗଲେ ।
କ୍ରମଶଃ
Comments are closed.