ପୁରୀ: ରେଶମ ପୋକ ନମାରି ତିଆରି ହୋଇଥିବା ଵସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ। ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନୀଳାଦ୍ରୀ ଭକ୍ତ ନିବାସରେ ବସିଥିବା ପରିଚାଳନା କମିଟି ବୈଠକରେ ଏପରି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି।
ରାଜ୍ୟ ହସ୍ତତନ୍ତ ବିଭାଗର ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନମାରି ୮୮ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି। ଏହାକୁ ସାତ୍ତ୍ୱିକ ରେଶମ ବୋଲି ନାମ ଦିଆଯିବ। ପୂର୍ବରୁ ଏହି ଲମ୍ବାର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ ୪ ରୁ ୭ଲକ୍ଷ ପୋକ ମାରିବାକୁ ପଡୁଥିଲା। ଏବେ ରେଶମ ପୋକ ନମାରି ରେଶମ ଵସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ। ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସବ କମିଟି ଓ ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି।
ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଛିନ ଦର୍ଶନ ଚାଲୁ ରହିବ। ସ୍ନାନବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ସ୍ନାନବେଦୀରେ ଭକ୍ତ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ୨୦୨୪ – ୨୫ ବର୍ଷ ସୁଦ୍ଧା ସେବାୟତ ପିଲାଙ୍କ ପାଇଁ ଆବଶ୍ୟକୀୟ ଗୁରୁକୁଳ ନିର୍ମାଣ କରାଯିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଠିକ ସମୟରେ ସରିବ ବୋଲି କାର୍ଯ୍ୟକାରୀ ଅଧକ୍ଷ ସୂଚନା ଦେଇଛନ୍ତି । ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓକୁ ନେଇ ବାରମ୍ବାର ବୈଠକ ହୋଇ ସମୀକ୍ଷା କରାଯିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Comments are closed.