ଭୁବନେଶ୍ୱର: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ଟିଏମସି ପକ୍ଷରୁ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ କଂଗ୍ରେସର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି।
ଅଭିଷେକ ବାନାର୍ଜୀ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ରାଜ୍ୟରେ ଟିଏମସି କେବଳ ବିଜେପି ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି କହିଛନ୍ତି। ଏହା ଅନୁଭବ କରି ବିଶ୍ୱାସ ଏଭଳି ନିଷ୍ପତ୍ତି ନେଇଥିବା ଅଭିଷେକ କହିଛନ୍ତି। ଯାହାକୁ ନେଇ କଂଗ୍ରେସ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛି।
ଏଭଳି କାର୍ଯ୍ୟ ଦ୍ୱାରା ବିରୋଧୀ ଏକତା ଦୃଢ଼ ହେବ ନାହିଁ ବରଂ ଏହା କେବଳ ବିଜେପିର ଉଦେଶ୍ୟ ସାଧନ ପାଇଁ ସହାୟକ ହେବ ବୋଲି କହିଛି କଂଗ୍ରେସ। ବିଶ୍ୱାସ ପଶ୍ଚିମବଙ୍ଗର ସାଗରଦିଘି ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ଟିଏମସି ପ୍ରାର୍ଥୀଙ୍କୁ ହରାଇ ଜିତିଥିଲେ।
୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବା ବେଳେ ଉପନିର୍ବାଚନରେ ଜିତିଥିଲା। ହେଲେ ଏବେ ବିଶ୍ୱାସ ଦଳ ଛାଡି ଟିଏମସିରେ ମିଶିବା ଯୋଗୁ ଟିଏମସି କଂଗ୍ରେସ ରୋସର ଶିକାର ହୋଇଛି।
ନିର୍ବାଚିତ ହେବାର ତିନି ମାସ ମଧ୍ୟରେ ଟିଏମସି ବିଶ୍ୱାସଙ୍କୁ ଦଳକୁ ନେଇଯିବାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ବର୍ଷିଛନ୍ତି। ଏହା ସାଗରଦିଘି ବିଧାନସଭା କ୍ଷେତ୍ରର ଲୋକଙ୍କ ପ୍ରତି ବିଶ୍ୱାସଘାତ ବୋଲି ରମେଶ କହିଛନ୍ତି।
ପୂର୍ବରୁ ଗୋଆ, ମେଘାଳୟ, ତ୍ରିପୁରା ଏବଂ ଅନ୍ୟ କିଛି ରାଜ୍ୟରେ ଏଭଳି ହୋଇଥିବା ବେଳେ ଏହା ବିରୋଧୀ ଏକତାକୁ ଦୃଢ଼ କରିନାହିଁ ବରଂ ବିଜେପିର ଉଦେଶ୍ୟ ସାଧନରେ ସହାୟକ ହୋଇଛି ବୋଲି ରମେଶ କହିଛନ୍ତି।
୨୦୨୪ ରେ ବିଜେପି ବିରୋଧରେ ଲଢ଼ିବା ପାଇଁ ବିରୋଧୀ ଏକ ହେଉଛନ୍ତି। ଆସନ୍ତା ଜୁନ ୧୨ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ଅଛି। ଏଭଳି ସ୍ଥିତିରେ ଟିଏମସି କଂଗ୍ରେସର ବିଧାୟକଙ୍କୁ ସାଙ୍ଗରେ ନେବା ବିରୋଧୀ ଏକତା ଦିଗରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ସେପଟେ କର୍ଣ୍ଣାଟକ ବିଜୟ ପରେ ମମତା ବାନାର୍ଜୀ କଂଗ୍ରେସକୁ ସହଯୋଗର କଥା କହିଥିଲେ। ଏପରିକି ପ୍ରତିବଦଳରେ କଂଗ୍ରେସର ସହଯୋଗ ମଧ୍ୟ ଆଶା ରଖିଥିଲେ। କିନ୍ତୁ ଏବେ ଖୋଦ ନିଜେ କଂଗ୍ରେସ ବିଧାୟକଙ୍କୁ ନିଜ ନିକଟକୁ ନେଇଯିବା ବିରୋଧୀଙ୍କ ମଧ୍ୟରେ ଦୂରତା ବଢ଼ାଇଦେଇଥିବା ଚର୍ଚ୍ଚା ହେଉଛି।
ସେପଟେ ବାଇରନଙ୍କ କହିବା କଥା ତାଙ୍କ ବିଜୟରେ କଂଗ୍ରେସର କିଛି ଭୂମିକା ନ ଥିଲା ସେ ତାଙ୍କ ନିଜ ଲୋକପ୍ରିୟତରେ ଜିତିଛନ୍ତି। କିନ୍ତୁ ସବୁ ପରେ ବି ଟିଏମସିର ଏହି ପଦକ୍ଷେପ ବିରୋଧୀ ଏକତା ଦିଗରେ ଏକ ବଡ଼ ପ୍ରତିବନ୍ଧକ ହେବ ବୋଲି ଆଲୋଚନା ହେଉଛି।
Comments are closed.