Latest Odisha News

ଭଦ୍ର ମହିଳା ସାଜି ମଲ ଲୁଟୁଥିଲେ, ଶାଢୀ ଭିତରେ ପୂରାଇ ଜିନିଷ ନେଉଥିଲେ: ଧରିଲା ପୋଲିସ

ଭୁବନେଶ୍ୱର: ଟିପଟପ୍ ବେଶ ପକାଇ ଆସୁଥିଲେ ।  ମଲ ବୁଲୁଥିଲେ । ଲୁଟୁଥିଲେ । ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଲୁଟ କରୁଥିଲେ । ଜଣେ ବା ଦୁଇ ଜଣ ନୁହଁନ୍ତି । ପୂରା ୯ ଜଣିଆ ଗ୍ୟାଙ୍ଗ ମଲ ଲୁଟୁଥିଲେ । ହେଲେ କେହି ସେମାନଙ୍କର ଟେର ପାଉ ନ ଥିଲେ । କିଏ ବା କାହିଁକି ଏମାନଙ୍କୁ ସନ୍ଦେହ କରିବ?  ଏମାନଙ୍କ ବେଶ ପୋଷାକ ଦେଖି କେହି ସନ୍ଦେହ କରିବାର ଅବକାଶ ନ ଥିଲା ।ଶେଷରେ ଏହି ମହିଳା ଲୁଟେରା ଦଳଙ୍କୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗ୍ୟାଙ୍ଗର ସମସ୍ତ ସଦସ୍ୟ ପଶ୍ଚିମ ବଙ୍ଗର ।

ଏମାନେ ମଲରୁ ମଲ ବୁଲି ବୁଲି ଲୁଟ୍ କରୁଥିଲେ  । ସିସିଟିଭି ଯାଞ୍ଚ କରିବା ପରେ କେମିତି ଏମାନେ ଚୋରି କରୁଥିଲେ ସବୁ ସାମ୍ନାକୁ ଆସିଛି ।  ଏହି ମହିଳା ଲୁଟେରାମାନେ ପିନ୍ଧିଥିବା ପୋଷାକ ଭିତରେ ଜିନିଷ ଚୋରି କରି  ଫେରାର ହୋଇଯାଉଥିଲେ ।  ସେମାନେ ବିଭିନ୍ନ କୌଶଳ ଆପଣାଉଥିଲେ । ଏମିତି କୌଶଳରେ ଜିନିଷ ଚୋରି କରୁଥିଲେ କେହି ଜାଣି ପାରୁ ନ ଥିଲେ ।

ପଶ୍ଚିମବଙ୍ଗରୁ ଆସିଥିବା ଏହି ମହିଳା ଲୁଟେରା ଗ୍ୟାଙ୍ଗ ଭୁବନେଶ୍ୱରର ବିଭିନ୍ନ ଲଜରେ ଭଡାରେ ରହୁ ଥିଲେ । ପ୍ରଥମେ  ମହିଳା ଲୁଟରେ ଗ୍ୟାଙ୍ଗ  ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ମଲକୁ ଟାର୍ଗେଟ କରିଥିଲେ । କିଛି ଦିନ ହେବ ସେମାନେ ଏହି ଅଞ୍ଚଳରେ ଥିବା ବିଭିନ୍ନ ମଲକୁ ଯାଇ  ଲୁଟପାଟ କରୁଥିଲେ ।   ବିଭିନ୍ନ ଶୋ’ରୁମରୁ କସମେଟିକ, ଖାଦ୍ୟସାମଗ୍ରୀଠାରୁ ଆରମ୍ଭ କରି  ଡ୍ରେସ୍ ପର୍ଯ୍ୟନ୍ତ  ସବୁ କିଛି ଲୁଟ କରିନେଉଥିଲେ ।

ଗତ କାଲି ସନ୍ଧ୍ୟାରେ ଆଇଆରସି ଭିଲେଜ ଅନ୍ତର୍ଗତ ରିଲାଏନ୍ସ ସ୍ମାର୍ଟ ବଜାର ଷ୍ଟୋରରୁ ନିମ୍ନୋକ୍ତ  ୯ଜଣ ଅଭିଯୁକ୍ତ ବିଭିନ୍ନ ପ୍ରକାର କସମେଟିକ ଆଇଟମ ଏବଂ ହରଲିକ୍ସ ସହିତ ଅନ୍ୟାନ୍ୟ ବିକ୍ରୟ ଉପଯୋଗୀ ସାମଗ୍ରୀ ସବୁକୁ ଚୋରୀ କରୁଥିଲେ ।  ହେଲେ ଏହାକୁ ସମ୍ପୃକ୍ତ ଷ୍ଟୋରର କର୍ମଚାରୀ ଦେଖି ନେଇଥିଲେ ।  ଅଭିଯୋଗ ପାଇ ନୟାପଲ୍ଲୀ ଥାନା ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ପ୍ରାୟ ଏକଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜବତ କରିଥିଲେ ।

ସେହିପରି ଅଭିଯୁକ୍ତମାନେ ଗତ ୩୧ ତାରିଖରେ ମଧ୍ୟ ସମ୍ପୃକ୍ତ ଷ୍ଟୋରରୁ ଚୋରି କରିଥିଲେ । ତେଣୁ  ପୋଲିସ ଆଇଟିଆର ଠାରେ ଥିବା ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ଭଡାଘରେ ଚଢଉ କରି ସେଠାରୁ ଚୋରୀ ସାମଗ୍ରୀ ସବୁକୁ ଜବତ କରିଥିଲା । ତେବେ  ତଦନ୍ତ ସମୟରେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିବା ଜଣାଯାଇଛି ।

Leave A Reply

Your email address will not be published.