Latest Odisha News

BREAKING NEWS

ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ୪୪ ଟପିଲା ପାରଦ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଓଡ଼ିଶା ଜଳୁଛି । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯନ୍ତ୍ରଣାକୁ ଆହୁରି ଅସହ୍ୟ କରୁଛି ।

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ାରେ ପାରଦ ୪୩.୪ ଡିଗ୍ରୀ, ହୀରାକୁଦରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୪ ଡିଗ୍ରୀ ତାପମାତ୍ରା ରକେର୍ଡ କରାଯାଇଛି ।

ଏବେ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଦକ୍ଷିଣ ଓଡ଼ିଶା ଦେଇ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର ଏବଂ ମାଲଦ୍ୱୀପର କିଛି ଅଂଶ ସହ ଲାକ୍ଷାଦ୍ୱୀପ, କୋମୋରିନକୁ ସମ୍ପୂର୍ଣ୍ଣ ଛୁଁଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିବ । ଏନେଇ ୬ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ବିଭିନ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୪୨ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି ୩ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.