ବାଲେଶ୍ୱର: ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ ପୁଣି ଏହା ଉପରେ ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ । ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି ବୋଲି ଉପରୁ ନିର୍ଦ୍ଦେଶ ଆସିଛି । ଟ୍ରେନ ଦୁର୍ଘଟଣାକୁ ନେଇ ସିବିଆଇ ତଦନ୍ତ ଚାଲିଛି । ତଦନ୍ତ ନ ସରିବା ଥିବାରୁ କୌଣସି ଟ୍ରେନ୍ ସେଠାରେ ଅଟକିବନି ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳପଥ ସିପିଆର୍ଓ ଆଦିତ୍ୟ ଚୌଧୁରୀ ।
ଏହି ସୂଚନା ଅନୁଯାୟୀ, ବାହାନଗା ଷ୍ଟେସନରେ ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ଅଟକିବନି । ‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।
ସୂଚନାଥାଉ କି, ଜୁନ ୨ ତାରିଖ ବାହାନଗା ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ସିବିଆଇ ଏହାର ତଦନ୍ତ କରୁଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହି ଷ୍ଟେଶନରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଶନିବାର ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ବାହାନଗା ଷ୍ଟେସନ ଦେଇ ଦୖେନିକ ୧୭୦ ଟ୍ରେନ ଚଳାଚଳ କରିଥାଏ । ଏଥିରୁ ଭଦ୍ରକ-ବାଲେଶ୍ୱର ମେମୁ, ହାଓଡା-ଭଦ୍ରକ-ବାଘାଜତିନ ଫାଷ୍ଟ ପାସେଞ୍ଜର, ଖଡଗପୁର-ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜରକୁ ମିଶାଇ ମୋଟ ୭ଟି ଟ୍ରେନ ଏହି ଷ୍ଟେସନରେ ଗୋଟିଏ ମିନିଟ ପାଇଁ ଅଟକି ଥାଏ ।
ଦକ୍ଷିଣ ପୂର୍ବ ରେଳପଥ ସିପିଆର୍ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇ କହିଛନ୍ତି, ଏହି ଦୁର୍ଘଟଣାରେ ୧୨୦୮ ଜଣ ପାସେଞ୍ଜର ଆହତ ହୋଇଥିବାବେଳେ ୭୦୯ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଅନ୍ୟମାନଙ୍କୁ ପ୍ରଦାନ କରାଯାଉଛି ।
Comments are closed.