Latest Odisha News

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବୋଲି ମଧ୍ୟ କୁହାଯାଉଛି।

ବର୍ତ୍ତମାନ ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ ମଧୁମେହ ରୋଗୀ ପ୍ରତ୍ୟେକ ଘରେ ଘରେ ଦେଖିବାକୁ ମିଳୁଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ତଥା ICMRର ସର୍ଭେ ଅନୁଯାୟୀ, ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ଅଛନ୍ତି। ଅର୍ଥାତ୍ ବ୍ରିଟେନ୍ ଜନସଂଖ୍ୟା ଅପେକ୍ଷା ୩ କୋଟି ଅଧିକ। ଚିନ୍ତା ବଢାଉଛି ଡାଏବେଟିସ୍ ରୋଗ ।

ଆଇସିଏମଆର ସର୍ଭେରୁ ଜଣାପଡିଛି ଯେ ଗତ ୪ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ ରେ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଥିଲେ। ୪ ବର୍ଷ ମଧ୍ୟରେ ଆଉ ୩ କୋଟିରୁ ଅଧିକ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମଧୁମେହ ରୋଗୀଙ୍କ ସଂଖ୍ୟା କିଛି ସମୟ ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ନିକଟ ଭବିଷ୍ୟତରେ ମଧୁମେହ ରୋଗ ହେବାର ଆଶଙ୍କା ଥିବା ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତର ଗୋଆରେ ମୋଟ ଜନସଂଖ୍ୟାର ୨୬.୪ ପ୍ରତିଶତ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ପଣ୍ଡିଚେରୀ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨୬.୩ ପ୍ରତିଶତ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେରଳରେ ୨୫.୫ ପ୍ରତିଶତ ଥିବାବେଳେ ଚଣ୍ଡିଗଡ଼ରେ ୨୦.୪ ପ୍ରତିଶତ ଲୋକେ ମଧୁମେହର ଶିକାର ହୋଇଛନ୍ତି। ଏହି ତାଲିକାରେ ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ଏଠାରେ ୧୭.୮ ପ୍ରତିଶତ ଲୋକେ ମଧୁମେହ ରୋଗର ଶିକାର ହୋଇଛନ୍ତି।

Leave A Reply

Your email address will not be published.