Latest Odisha News

BREAKING NEWS

ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ଅର୍ଥରେ ପରିଚାଳିତ କଲ୍ୟାଣ ବୋର୍ଡ ଏହି ଯୋଜନାର ପରିଚାଳନା ଦାୟିତ୍ୱ ତୁଲାଇବ। ବୋର୍ଡ ପକ୍ଷରୁ ବିଭିନ୍ନ ଉତ୍ସରୁ ପାଣ୍ଠି ସଂଗ୍ରହ କରାଯିବ, ଯେଉଁଥିରେ ପଞ୍ଜୀକରଣ ଫି’ ଆଦାୟ ଓ ପରିବହନ ଗାଡ଼ି ମାଲିକଙ୍କ ଯୋଗଦାନ ସାମିଲ ରହିଛି।

ଏହି ଯୋଜନାରେ ପ୍ରଥମେ ପରିବହନ ଡ୍ରାଇଭର ଏବଂ ଅନ୍ୟ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତ ଡ୍ରାଇଭର/କର୍ମଚାରୀଙ୍କ ନୋମିନିଙ୍କୁ ୪ ଲକ୍ଷ ଟଙ୍କା ମିଳିବ। ଗୁରୁତର ଆହତ ହେଲେ ୮୦ ହଜାର ଟଙ୍କା ପ୍ରଦାନ କରାଯିବ। ଦିବ୍ୟାଙ୍ଗ ହେଲେ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧,୫୦,୦୦୦ ଟଙ୍କା ମିଳିବ। ସ୍ବାଭାବିକ ମୃତ୍ୟୁ ହେଲେ ମନୋନୀତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଏଥିସହିତ ଡ୍ରାଇଭର ଓ ଶ୍ରମିକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁ ବାବୁ ପେନସନ ଯୋଜନା ଭଳି ଅନ୍ୟ କଲ୍ୟାଣକାରୀ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ।

ମନ୍ତ୍ରୀ ଟୁକୁନି ସାହୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ମୋଟର ଯାନ ଚାଳକ ଓ ଶ୍ରମିକ ଉପକୃତ ହେବେ ବୋଲି କହିଛନ୍ତି। ଏଥିପାଇଁ ପ୍ରତିଷ୍ଠା ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହ ମୋଟର ଯାନ ସଂଘର ଡ୍ରାଇଭର ଓ ଅନ୍ୟ ଶ୍ରମିକଙ୍କ ପ୍ରତିନିଧି ରହିବେ।

Comments are closed.