ଭୁବନେଶ୍ୱର: ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ସ୍ପଷ୍ଟ କରିଛନ୍ତି ଯେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ନମିଳିବା ଯାଏ ସେମାନଙ୍କ ଶବ ସତ୍କାର କରାଯିବ ନାହିଁ। ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଦୁର୍ଘଟଣାକୁ ଦଶ ଦିନ ବିତିଛି। ଏହି ଦୁର୍ଘଟଣାରେ 288 ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ 1 ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ଥିବା ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ମୋଟ 81ଟି ଶବ ଥିବା ବେଳେ ସେଥିମଧ୍ୟରୁ 75ଟି ଶବ ପାଇଁ ଦାବିଦାର ରହିଛନ୍ତି। ବାକି ଛଅଟି ମୃତଦେହର ପରିଚୟ ମିଳିନଥିବା ବେଳେ ସେମାନଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ଚିହ୍ନଟ ନହେବା ଯାଏ ଏହି ଶବ ଗୁଡ଼ିକର ସଂରକ୍ଷିତ ରହିବ ଏବଂ ଏମ୍ସ ସେମାନଙ୍କ ପ୍ରିୟଜନଙ୍କ ଶବ ଗ୍ରହଣ କରିବା ପାଇଁ ପରିବାର ସଦସ୍ୟଙ୍କ ଆସିବାକୁ ଅପେକ୍ଷା କରିଛି।
ଭୁବନେଶ୍ୱର ଏମ୍ସର ଅତିରିକ୍ତ ଅଧୀକ୍ଷକ ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ମୃତଦେହକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ତାହା ଦୂର କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ମୃତଦେହକୁ ସଂରକ୍ଷିତ ରଖାଯିବା ସହ ଡିଏନ୍ଏ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସେପଟେ ଶବ ଗୁଡିକର ଅବସ୍ଥା ଉପରେ ନଜର ରଖାଯାଉଛି। ଏମ୍ସ ଯେଉଁଭଳି ଶବ ଗ୍ରହଣ କରିଥିଲା ସେପରି ଅବସ୍ଥାରେ ରହିିଛି। ସ୍ଥିତିର ମୁକାବିଲା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ଏବଂ ଶବ ପରିଚାଳନାରେ ଉପଯୁକ୍ତ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନିକଟରେ ଖବର ରହିଥିଲା ଯେ ଶବର ଦାବିଦାର କେହିନଆସିଲେ ଆଉ ଅଧିକ ଦିନ କଣ୍ଟେନରରେ ଶବ ନରଖି ସମ୍ମାନର ସହ ଶବ ଗୁଡିକର ସତ୍କାର କରିଦିଆଯିବ। ଏହାପରେ ଏମ୍ସ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ମୃତାହତଙ୍କ ପରିଚୟ ନମିଳିବା ଯାଏ ସେମାନଙ୍କ ଶବ ସତ୍କାର କରାଯିବ ନାହିଁ।
Comments are closed.