ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
ଅମରାବତୀ: ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଓ ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୁପ୍ତଚରଙ୍କ ପର୍ଦ୍ଦାଫାଶ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ମୋଟ ୧୮ ଜଣ ସନ୍ଦିଗ୍ଧଙ୍କ ଭୂମିକା ସାମ୍ନାକୁ ଆସିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ୧୮ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୧୩ ଜଣ ଭାରତୀୟ ନୌସେନାର କର୍ମଚାରୀ ଅଟନ୍ତି ।
ଆନ୍ଧ୍ରପ୍ରଦେଶ ଗୁପ୍ତଚର ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ (ସିଆଇ) ସେଲ୍ ଦ୍ୱାରା ଚାଲିଥିବା “ଅପରେସନ୍ ଫାୟାରୱାଲ୍-୨୦୨୬” ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ବିଶାଖାପାଟଣା ନୌସେନା ଘାଟିର କର୍ମଚାରୀ ପ୍ରଦୀପ ମୁଖାର୍ଜୀ ଏବଂ ନୌସେନା ଅଧିକାରୀଙ୍କ ପାଇଁ କାମ କରୁଥିବା ବେସରକାରୀ ଚୁକ୍ତିଭିତ୍ତିକ ଡ୍ରାଇଭର ଅନ୍ନମ୍ ସାଇ ବରପ୍ରସାଦ। ଅଭିଯୁକ୍ତ ପ୍ରଦୀପଙ୍କୁ ତାମିଲନାଡୁର କୋଏମ୍ବାଟୋରରୁ ଗିରଫ କରାଯାଇଥିବା ବେଳେ ବରପ୍ରସାଦଙ୍କୁ ସ୍ଥାନୀୟ ଅଞ୍ଚଳରୁ କାବୁ କରାଯାଇଛି। ବିଜୟୱାଡା କୋର୍ଟ ଦୁହିଁଙ୍କୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଜୁଡିସିଆଲ୍ ରିମାଣ୍ଡରେ ପଠାଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଏହି ସନ୍ଦିଗ୍ଧମାନେ ବିଶାଖାପାଟଣା ନୌସେନା ଘାଟି ଏବଂ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ସମ୍ପର୍କିତ ଗୋପନୀୟ ତଥ୍ୟ, ମ୍ୟାପ୍ ଓ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଏନକ୍ରିପ୍ଟେଡ୍ ସୋସିଆଲ ମିଡିଆ ଆପ୍ ମାଧ୍ୟମରେ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟ ମାନଙ୍କୁ ପଠାଉଥିଲେ। ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ପାଇଁ ଆନ୍ଧ୍ର ସିଆଇ ସେଲ୍ ୧୦ଟି ରାଜ୍ୟର ପୋଲିସ ସହ ମିଳିତ ଭାବେ ଅପରେସନ୍ ଚଳାଇଥିଲା।
ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଅପରାଧିକ ଷଡ଼ଯନ୍ତ୍ର ଧାରା, ସରକାରୀ ଗୋପନୀୟତା ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ସନ୍ଦିଗ୍ଧ ନୌସେନା କର୍ମଚାରୀଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

