ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟ ସଭା ସାଂସଦ । ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ ଓ କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ବିଜେପି କହିଥିବା ଜାତୀୟ ଗଣମାଧ୍ୟମ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ଖବର ପ୍ରକାଶ ପାଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଥିବା ରାଜ୍ୟସଭା ସାଂସଦ ଓ ମନ୍ତ୍ରୀଙ୍କୁ ପାଞ୍ଚଟି ଲୋକସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏବଂ ସେଥିମଧ୍ୟରୁ ଦଳୀୟ ଟିକେଟ୍ରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ତିନୋଟି ସିଟ୍ ଚୟନ କରିବାକୁ କୁହାଯାଇଛି।
ଏନେଇ ମଙ୍ଗଳବାର ଠାରୁ କିଛି କ୍ୟାବିନେଟ ମନ୍ତ୍ରୀ ଏବଂ କିଛି ସାଂସଦଙ୍କ ନାଁକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା କେତେକ କେନ୍ଦ୍ର ମନ୍ତ୍ରୀଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ନିକଟରେ ହୋଇଥିବା ବିଜେପିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବିଭାଗରେ ସେମାନଙ୍କର ପ୍ରଦର୍ଶନ ଏବଂ ୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବାର କ୍ଷମତାକୁ ନେଇ ଏହି ନେତାମାନଙ୍କୁ ଚୟନ କରାଯାଇଛି ବୋଲି କୁହାଯାଉଛି।
ତେବେ ଯେଉଁମାନଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ନେଇ ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ ବିଜେପି ସେମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ମୌଖିକ ଭାବେ କହିଥିଲା ସୂଚନା ମିଳିଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମନ୍ତ୍ରୀ ପୀୟୁଷ ଗୋୟଲ, ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ମାନସୁଖ ମାଣ୍ଡବ୍ୟ, ହାର୍ଦ୍ଦିକ ପୁରୀ, ଏସ୍ ଜୟଶଙ୍କର, ପୁରୁଷୋତ୍ତମ ରୂପାଲାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏମାନେ ସମସ୍ତେ ରାଜ୍ୟସଭାରେ ସେମାନଙ୍କର ଦ୍ୱିତୀୟ ପାଳିର ଅବଧି ପୂରଣ କରିବାକୁ ଯାଉଛନ୍ତି।
କୁହାଯାଉଛି ଯେ ଜୟଶଙ୍କର ନୂଆଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ସେହିପରି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେହିପରି ନିର୍ମଳା ସୀତାରମଣ ମଦୁରାଇ, ହାର୍ଦ୍ଦିକ ଅମୃତସର କିମ୍ବା ଅନ୍ୟ କୌଣସି ଶିଖ୍ ପ୍ରାଧାନ୍ୟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
ବିଜେପି ମୁଖ୍ୟ ଜେପି ନାଡ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ମାଣ୍ଡି ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଚନ୍ଦନୀ ଚୌକ୍ କିମ୍ବା କିମ୍ବା ପୁଣେ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କୁ ଗୁଜୁରାଟରୁ କୌଣସି ଏକ ସିଟ୍ ବାଛିବାକୁ କୁହାଯାଇଛି।
ସେହିପରି ରାଜ୍ୟସଭା ସାଂସଦ ଡ. କେ ଲକ୍ଷ୍ମଣ (ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସଭାପତି) ଏବଂ ସୁଶୀଲ କୁମାର ମୋଦୀ (ବିହାରର ପୂର୍ବତନ ଡେପୁଟି ସିଏମ୍)ଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଡ.କେ ଲକ୍ଷ୍ମଣ ତେଲେଙ୍ଗାନାର ଚେଭେଲା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ କୁହାଯାଉଥିବା ବେଳେ ସୁଶୀଲ କୁମାର ମୋଦୀ ଭାଗଲପୁରରୁ ଲଢ଼ିପାରନ୍ତି।
ପୂର୍ବତନ ବିଜେପି ସାଂସଦ ଏପି ଅବଦୁଲ୍ଲାକୁଟି ଲାଖ୍ୟାଦ୍ୱୀପ, ଆନନ୍ଦପୁର ସାହିବରୁ ଜୟଭୀର ଶେରଗିଲ, ଲୁଧିଆନା ଏବଂ ଗୁରୁଦାସପୁରର ସୁନୀଲ ଜାଖର ନିର୍ବାଚନ ଲଢ଼ିପାରନ୍ତି। ସେହିପରି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁ ବି ଚର୍ଚ୍ଚାରେ ଆସୁଥିବା ବେଳେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିପାରନ୍ତି। କର୍ଣ୍ଣାଟକ ମେହେବୁବନଗରରୁ ଡି.କେ ଅରୁଣା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି।
ଅନ୍ୟପଟେ ଦଳର ଏକାଧିକ ବିଧାୟକ ମଧ୍ୟ ଏଥର ଲୋକସଭା ନିର୍ବାଚନ ଲଢ଼ିବେ। ତେଲେଙ୍ଗାନାର ଗୋଶାମାହାଲର ବିଧାୟକ ରାଜା ସିଂ, କୋଏମ୍ବାଟୁର ବିଧାୟିକା ଭାନାଥୀ ଶ୍ରୀନିବାସନ (ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାପତି) ଏବଂ ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।
Comments are closed.