ପୁରୀ: ମଙ୍ଗଳବାର(ଜୁନ ୧୦) ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସରିଛି ପ୍ରସ୍ତୁତି ଓ ପ୍ରଶାସନ ପ୍ରସ୍ତୁତି। ରଥକାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ସ୍ଥିତିରେ। ହେଲେ ଦର୍ପଦଳନ ରଥର ଅଖରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫାଟ ସୃଷ୍ଟି ହେବା ଖବର ସାମ୍ନାକୁ ଆସିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।
ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ତେବେ ଯେତେ ପେଚ୍ ମାରିଲେ ବି ଫାଟ ରହିବାରୁ ଅଖ ଦୁର୍ବଳ ଥିବ ବୋଲି କୁହାଯାଉଛି। ତେବେ ମହାରଣା ସେବକ କହୁଛନ୍ତି, ଏହା ଏକ ସାଧାରଣ କଥା। ଏଥିରେ କୌଣସି ଅସୁବିଧା ହେବ ନାହିଁ।
ଅନ୍ୟପଟେ ରଥଯାତ୍ରା ଆଜକୁ ମିଶାଇ ଆଉ ମାତ୍ର ୩ ଦିନ ଥିବାରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପ୍ରଶାସନକୁ ଅଡ଼ୁଆରେ ପକାଇଛି। ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି। ତେବେ ରଥ ଯାଞ୍ଚ କମିଟି ଏହାର ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସୂଚନା ମିଳିଛି।
Comments are closed.