Latest Odisha News

BREAKING NEWS

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀ ସମେତ ଦେଶବାସୀଙ୍କୁ ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ।’

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, ‘ପବିତ୍ର ରଥଯାତ୍ରାର ଅନେକ ଶୁଭେଚ୍ଛା। ବିଶ୍ୱରେ ରଥଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆଜି ଆମ ଦେଶର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ପାଳିତ ହେଉଛି। ମାହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ଜୀବନରେ ଆନନ୍ଦ ଭରି ଦିଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁସ୍ଥ ଜୀବନ କାମନା କରୁଛି।’

ପବିତ୍ର ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ମହାପ୍ରଭୁଙ୍କ ରଥଯାତ୍ରାରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯେ ଏହି ପବିତ୍ର ରଥଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଉଠୁ।’

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଘୋଷଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତ୍ମ୍ ଅନୁସରଣର ମାର୍ଗ। ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ସେ ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିଛନ୍ତି। ‘ ସେହିପରି ରଥଯାତ୍ରା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments are closed.