PadmaShri awardee Dr. Ashok Mahapatra:ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନଶ୍ୱେର:ଆଉ ନାହାନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର(୭୪)। ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ଏମ୍ସରେ ସୋମବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସହ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୪ରେ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।
ସୂଚନାଥାଉକି, କିଛିଦିନ ତଳେ ମସ୍ତିଷ୍କଜନିତ ଯନ୍ତ୍ରଣାରେ ଅସୁସ୍ଥ ହୋଇ ଡା. ମହାପାତ୍ର ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତରଣ ସମୟରେ ତାଙ୍କ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟ ଯାଇଥିଲେ ।
ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଭାରତର ଜଣେ ସୁପରିଚିତ ସ୍ନାୟୁଶଲ୍ୟ ଚିକିତ୍ସକ, ଶିକ୍ଷାବିତ୍ ଓ ଗବେଷକ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା,ଦକ୍ଷତା ଓ ରୋଗୀ ସେବା ପ୍ରତି ନିଷ୍ଠା ଯୋଗୁଁ ସେ ଜାତୀୟ ସ୍ତରରେ ସେ ସୁନାମ ଅର୍ଜନ କରିଥିଲେ । ବିଶେଷକରି ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାରରେ ତାଙ୍କର ଭୂମିକା ତାଙ୍କୁ ଦେଶବ୍ୟାପୀ ଚର୍ଚ୍ଚିତ କରିଥିଲା । ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଉଭୟ ଶିଶୁଙ୍କୁ ଅଲଗା କରି ନୂଆ ଜୀବନ ଦେବାରେ ସେ ସଫଳ ହୋଇଥିଲେ।
ଏପଟେ ‘ପଦ୍ମଶ୍ରୀ’ ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।
ଦେଶର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଚିକିତ୍ସା ବିଜ୍ଞାନ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ।
ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।🙏
— Mohan Charan Majhi (@MohanMOdisha) November 2, 2026
ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ବର୍ତ୍ତମାନର ପ୍ରିନ୍ସିପାଲ୍ ଆଡ୍ଭାଇଜର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ସେ ନୂଆଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
ଡା. ମହାପାତ୍ର କେବଳ ଜଣେ ଦକ୍ଷ ଡାକ୍ତର ନଥିଲେ, ସେ ଜଣେ ଶିକ୍ଷାବିତ୍, ଲେଖକ ଓ ଆଧ୍ୟାତ୍ମିକ ଚିନ୍ତାଧାରାର ବ୍ୟକ୍ତିତ୍ୱ ଥିଲେ। ଚିକିତ୍ସା ବିଜ୍ଞାନ ସହ ଆଧ୍ୟାତ୍ମିକତାର ସମନ୍ୱୟ ଉପରେ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ରୋଗୀଙ୍କୁ ଚିକିତ୍ସା କରିବା ସହ ମାନବୀୟ ମୂଲ୍ୟବୋଧ, ସେବା ଓ ନୈତିକତାକୁ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ ।
