ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରଭାବିତ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କାର୍ଯ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ବୌଦ୍ଧ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସମସ୍ତ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯାଇଛି।
ଅନ୍ୟ ୨ଟି ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଗଞ୍ଜାମରେ ୯୮.୪୮% ଏବଂ କନ୍ଧମାଳରେ ୯୯.୭୮% ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି । ଟିପିଏସ୍ଓଡିଏଲ୍ର ୮ଟି ଜିଲ୍ଲାର ମୋଟ ୧୭,୮୮,୯୪୨ ଜଣ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧୭,୭୫,୯୭୫ ଜଣଙ୍କୁ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରାଯାଇଛି। ଏହା ମୋଟ ପୁନରୁଦ୍ଧାରର ୯୯.୨୮%।
ଏହା ସହିତ ୪୬ଟି ପ୍ରଭାବିତ ୩୩ କେଭି ଫିଡର୍, ୧୩୦ଟି ୩୩/୧୧ କେଭି ସବ୍ଷ୍ଟେସନ୍ ଏବଂ ୬୫୮ଟି ପ୍ରଭାବିତ ୧୧ କେଭି ଫିଡର୍ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି କାର୍ଯ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୬,୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁନରୁଦ୍ଧାର କାମରେ ପ୍ରାୟ ୪୦୦ଟି ଯାନବାହନ, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ସହାୟତା ଯୋଗାଉଛି।
ଉଲ୍ଲେଖନୀୟ ପୁନରୁଦ୍ଧାର ସମ୍ପର୍କରେ ଟିପିଏସ୍ଓଡିଏଲ୍ର ସିଇଓ ଅମିତ କୁମାର ଗର୍ଗ କହିଛନ୍ତି, “୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ପୁନରୁଦ୍ଧାର ଆମର ନିରନ୍ତର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। କଠିନ ପରିସ୍ଥିତିରେ ମଧ୍ୟ ଆମର କ୍ଷେତ୍ର କର୍ମଚାରୀ, ଇଞ୍ଜିନିୟର ଏବଂ ସହାୟକ ଟିମ୍ର ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଗଞ୍ଜାମ ଓ କନ୍ଧମାଳର ଅବଶିଷ୍ଟ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆମର ଟିମ୍ଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛନ୍ତି। କର୍ମଚାରୀ ଓ ଉପଭୋକ୍ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।”
ଅବଶିଷ୍ଟ ପ୍ରଭାବିତ ଉପଭୋକ୍ତାଙ୍କୁ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସ୍ଓଡିଏଲ୍ର ଟିମ୍ଗୁଡ଼ିକ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି।
