Latest Odisha News

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି।

ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ ବୁଝୁଛନ୍ତି। ଏପରିକି ସେମାନଙ୍କ ସହ ଖାଇ ପିଇ କିଛି ସମୟ ବିତାଉଛନ୍ତି। ଏହି କ୍ରମରେ ରାହୁଲ କରୋଲବାଗ ସାଇକେଲ ମାର୍କେଟ ପହଂଚିବା ସହ ମାର୍କେଟ କର୍ମଚାରୀ ଓ ସାଇକେଲ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି।

ଏପରିକି ସେ ବାଇକ ମେକାନିକଙ୍କ ସହ ଆଲୋଚନା କରିବା ସହ ବାଇକ ସଜାଡିବା ଶିଖିଛନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି। ଏପରିକି ରାହୁଲଙ୍କ ଫଟୋ ସହ କଂଗ୍ରେସ ଏହାକୁ ଟ୍ୱିଟ ମଧ୍ୟ କରିଛି।

ଏହାକୁ ଭାରତ ଯୋଡୋ ଯାତ୍ରା ଅଂଶ ବୋଲି କହିଛି କଂଗ୍ରେସ। ପୁର୍ବରୁ ମେ ୨୩ ତାରିଖରେ ରାହୁଲ ଦିଲ୍ଲୀରୁ ଚଣ୍ଡୀଗଡ଼ ଟ୍ରକ ଯାତ୍ରା କରିବା ସହ ଡ୍ରାଇଭର ମାନଙ୍କର ସମସ୍ୟା ବୁଝିଥିଲେ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ରାହୁଲଙ୍କ ଏଭଳି ଷ୍ଟାଇଲକୁ ନେଇ ରାଜନୀତି ସରଗରମ ହୋଇଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସ ତୃଣମୂଳ ସ୍ତରରେ ବେଶ ଦୃଢ଼ ହୋଇଥିବା କୁହାଯାଉଛି। ଯାହାର ପ୍ରତିଫଳନ କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି।

ତେଣୁ ରାହୁଲ ଟ୍ରକ ଡ୍ରାଇଭରଠୁ ଆରମ୍ଭ କରି ଡେଲିଭରି ବୟ ଓ ମେକାନିକଙ୍କୁ କାହିଁକି ଭେଟୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ଅସଙ୍ଗଠିତ କ୍ଷେତ୍ର ବହୁତ ବଡ଼। ବହୁ ସଂଖ୍ୟାରେ ଲୋକେ ଏ କ୍ଷେତ୍ରରେ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି।

କିନ୍ତୁ ସେମାନଙ୍କ ଜୀବନ ଧାରଣ ମାନ ସେତେଟା ଉନ୍ନତ ନୁହେଁ। ଦେଶରେ ଏକ କୋଟିରୁ ଅଧିକ ଟ୍ରକ ଥିବାବେଳେ ୭୦ ରୁ ୭୫ ଲକ୍ଷ ଡ୍ରାଇଭର ଅଛନ୍ତି। ଏଥିସହିତ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମେକାନିକଙ୍କ ସଂଖ୍ୟା ପ୍ରାୟ ଏକ କୋଟି। ଏପରିକି ଆକଳନ ଅନୁଯାୟୀ ସଂଗଠିତ କ୍ଷେତ୍ରରେ କେବଳ ୨ ପ୍ରତିଶତ ଲୋକଙ୍କୁ ରୋଜଗାର ମିଳିଛି।

ତେଣୁ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଖରେ ପହଂଚି ରାହୁଲ ଦେଶରେ ଏହି ବର୍ଗର କୋଟି କୋଟି ଲୋକଙ୍କ ପରିବାରର ନିକଟତର ହେଉଥିବା ଆଲୋଚନା ହେଉଛି। ତେଣୁ ଏହି ଶ୍ରମିକ କ୍ଷେତ୍ରକୁ ରାହୁଲ ଟାର୍ଗେଟ କରିଛନ୍ତି।

ଯେଉଁମାନେ ଦୈନିକ କାମ କଲେ ପରିବାର ପୋଶନ୍ତି ଏବଂ ଦେଶରେ ସେମାନଙ୍କ ଅବସ୍ଥା ଏତେ ସ୍ୱଚ୍ଛଳ ମଧ୍ୟ ନୁହେଁ। ସେହିପରି ଭାରତରେ ଟ୍ରକ ଡ୍ରାଇଭରଙ୍କ ସମସ୍ୟା ବୁଝିଥିଲେ ରାହୁଲ। ଦେଶରେ ଟ୍ରାକ ଡ୍ରାଇଭର ମାନେ କେତେ ରୋଜଗାର କରୁଛନ୍ତି ସେ କଥା ବୁଝିଥିଲେ ରାହୁଲ।

ସେପଟେ ନିଜର ଆମେରିକା ଗସ୍ତ ସମୟରେ ଆମେରିକାରେ ଟ୍ରକ ଯାତ୍ରା କରିବା ସହ ସେମାନଙ୍କ ରୋଜଗାର ଓ ସ୍ଥିତି ସମ୍ପର୍କରେ ବୁଝିଥିଲେ। ଉଭୟ ଦେଶର ଟ୍ରକ ଡ୍ରାଇଭରଙ୍କ ରୋଜଗାର ଓ ସ୍ଥିତିକୁ ନେଇ ଏକ ତୁଳନାତ୍ମକ ଚିତ୍ର ବି ପଦାକୁ ଆସିଥିଲା।

ଏପରିକି ଭାରତ ଓ ଆମେରିକାରେ ଟ୍ରକ ଡ୍ରାଇଭରଙ୍କ ଟ୍ରକ କ୍ୟାବିନରେ କିଭଳି ଅନ୍ତର ଅଛି ସେ କଥା ଦର୍ଶାଯାଇଥିଲା। ଏହାର ଠିକ ପରେ ପରେ ଭାରତ ସରକାର ଦେଶର ସମସ୍ତ ଟ୍ରକର ଡ୍ରାଇଭର କ୍ୟାବିନକୁ ଏସି କରିବାକୁ ନିର୍ଦେଶ ଦେଇଛନ୍ତି।

ତେଣୁ ଏସବୁକୁ ଦେଖିଲେ ରାହୁଲ ଅତ୍ୟନ୍ତ ଯୋଜନାବଦ୍ଧ ରଣନୀତିକୁ ନେଇ ଆଗକୁ ବଢୁଥିବା କୁହାଯାଉଛି। ଏହାର ପ୍ରଭାବ ଆଗାମୀ ନିର୍ବାଚନରେ କଣ ପଡିବ ତା ଉପରେ ନଜର।

 

Comments are closed.