ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ଲାଟଫର୍ମକୁ ଉନ୍ନତ କରିବା ଲାଗି କୌଣସି ପଥ ଛାଡି ନାହାଁନ୍ତି। ପ୍ଲାଟଫର୍ମରେ ଘଟୁଥିବା କିଛି ଭୁଲ ଘଟଣାକୁ ରୋକିବା ପାଇଁ ଏପ୍ରିଲ୍ ୨୬ ରୁ ମେ ୨୫ ମଧ୍ୟରେ ଭାରତରେ ଚାଲୁଥିବା ୧୧ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କରିଛି ଟ୍ୱିଟର। ଶିଶୁ ଯୌନ ଶୋଷଣ ଏବଂ ଅଣ-ସମ୍ମତି ନଗ୍ନତା ଭଳି ଜିନିଷକୁ ପ୍ରୋତ୍ସାହିତ କରୁଥିବା ୧୧ ଲକ୍ଷ ୩୨ ହଜାର ୨୨୮ ଟ୍ୱିଟର ଆକାଉଣ୍ଟକୁ ନିଷିଦ୍ଧ କରିଛି କମ୍ପାନୀ। କେବଳ ଏତିକି ନୁହେଁ, ଟ୍ୱିଟର ଏପରି ୧ ହଜାର ୮୪୩ ଟି ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିଛି ଯାହା ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଥିଲା।
ନୂତନ ଆଇଟି ନିୟମ ୨୦୨୧ ର ଅନୁପାଳନ ସହିତ ଜଡିତ ଏହାର ମାସିକ ରିପୋର୍ଟ ପ୍ରକାଶ କରି ଟ୍ୱିଟର କହିଛି ଯେ କମ୍ପାନୀ ଭାରତର ଉପଭୋକ୍ତାମାନଙ୍କଠାରୁ ୫୧୮ ଟି ଅଭିଯୋଗ ଗ୍ରହଣ କରିଛି। ଏହି ରିପୋର୍ଟରେ ଟ୍ୱିଟର କହିଛି ଯେ ଅଭିଯୋଗର ତୀକ୍ଷ୍ଣ ଅନୁସନ୍ଧାନ କରିବା ପରେ ଆମେ ୨୫ ଟି ଆକାଉଣ୍ଟର ସସପେନ୍ସକୁ ରୋକ ଲଗାଇଛୁ। କିନ୍ତୁ ଅନ୍ୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଜାରି ରଖାଯାଇଛି। ଭାରତରେ ବାସ କରୁଥିବା ଟ୍ୱିଟର ୟୁଜର୍ସଙ୍କଠାରୁ ଦୁର୍ବ୍ୟହାର, ହେଟଫୁଲ୍ କଣ୍ଡକ୍ଟ, ଏଡଲଟ୍ କଣ୍ଟେଣ୍ଟ ଏବଂ ମାନହାନି ସହ ଜଡିତ ସର୍ବାଧିକ ସଂଖ୍ୟକ ଅଭିଯୋଗ ଗ୍ରହଣ କରିଛି ଟ୍ୱିଟର।
ଯଦି ଆପଣ ଟ୍ୱିଟରରେ ଏପରି କାମ କରନ୍ତି ଯାହା ଦ୍ୱାରା ଜଣେ ବ୍ୟକ୍ତି ଅସୁବିଧାରେ ପଡନ୍ତି ଏବଂ ସେହି ବ୍ୟକ୍ତି ଯଦି ଆପଣଙ୍କ ବିରୋଧରେ ଅଭିଯୋଗ ଆଣେ, ତେବେ ଆପଣଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯିବାର ସମ୍ଭାବନା ରହିଛି। ୨୦୨୧ ଆଇଟି ନିୟମ ଅନୁଯାୟୀ, ବୃହତ୍ତ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହାର ୟୁଜର୍ସ ଡାଟା ବେସ୍ ୫ ଲକ୍ଷରୁ ଅଧିକ ରହିଛି, ତାଙ୍କୁ ପ୍ରତି ମାସରେ କମ୍ପ୍ଲାୟନ୍ସ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ଟ୍ୱିଟର ୨୫ ଲକ୍ଷ ୫୧ ହଜାର ୬୨୩ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଛି।
Comments are closed.