ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଦ୍ୱାରଫିଟାଠାରୁ ଆରମ୍ଭ କରି ଏବେ ଆସି ଅନ୍ତିମ ଚରଣରେ ପହଞ୍ଚି ଯାଇଛେ। ଗୋଟିଏ ଦିନର ଚଳଚଞ୍ଚଳ ଜୀବନ ଚର୍ଯ୍ୟା ଭିତରେ ଠାକୁରମାନେ ଯେତିକି ବ୍ୟସ୍ତ, ତାଙ୍କ ସେବାରେ ନିୟୋଜିତ ସେବକମାନେ ବି ସେତିକି ଅବା ତାଠାରୁ ଅଧିକ କର୍ମ ନିଷ୍ଠ ହୋଇ ଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟଧାରାକୁ ଜାରି ରଖି ବର୍ତ୍ତମାନ ଠାକୁରଙ୍କ ଦିନର ଅନ୍ତିମ ବେଶ “ବଡ଼ସିଂହାର ବେଶ “ଓ ଅନ୍ତିମ ଭୋଗ “ବଡ଼ ସିଂହାର ଭୋଗ “ପାଇଁ ପ୍ରସ୍ତୁତ ହେଲେଣି । ଦୁଇଟି ଯାକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନୋହର ।
ବଡସିଂହାର ବେଶ :- ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ରାତ୍ର ୧୦ : ୩୦ ଘଟିକାରେ ଏହି ବେଶ ହେବାର ନିୟମ ରହିଛି। ଏହା ମୁଖ୍ୟତଃ ଏକ ପୁଷ୍ପ ବେଶ ତେଣୁ ଶ୍ରୀଜୀଉମାନେ ଫୁଲର କରପଲ୍ଳବ, ଚନ୍ଦ୍ରିକା, କୁଣ୍ଡଳ, ନାକୁଆସି, ପ୍ରଭୃତି ଅଳଙ୍କlର ଲାଗି ହୁଅନ୍ତି। ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ବିଭିନ୍ନ ପୁଷ୍ପର ମାଳ ଓ ପୁଷ୍ପ ଅଳଙ୍କାରରେ ସଜାଇ ଦିଅନ୍ତି। ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ “ଗୀତ ଗୋବିନ୍ଦ “ଶ୍ଳୋକ ବୁଣାଯାଇଥିବା ଖଣ୍ଡୁଆ ପାଟ ମଧ୍ଯ ଠାକୁରମାନେ ପରିଧାନ କରିବାର ନୀତି ରହିଛି। ଏହି ବେଶ ଏତେ ମନୋହର ଯେ ଭକ୍ତ ମାନେ ଏହା ଦେଖିବା ପାଇଁ ଅତ୍ୟନ୍ତ ଆଗ୍ରହୀ ହୁଅନ୍ତି ବେଶ ପର୍ଯାୟ ଆଲୋଚନା ରେ ଏହାର ସମ୍ପୂର୍ଣ୍ଣ ବିବରଣୀ ବର୍ଣ୍ଣିତ ।
ବଡ଼ ସିଂହାର ଭୋଗ :- ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ୧୧ .୧୫ ଘଟିକା ଅଟେ। ଏହି ଭୋଗ ଗୋଟିଏ ଦିନର ଅନ୍ତିମ ଭୋଗ ଅଟେ ଏଥିରେ ଭୋଗ ପଦାର୍ଥ ସାଧାରଣତଃ ପିଠା ଓ ମିଠା ହୋଇଥାଏ ଯଥା ସରପୁଳି ପିଠା, ସୁଆର ପିଠା, ବିରିବୁହା ପିଠା, କଦଳୀ ବଡା, ମିଠା ପଖାଳ, ଖିରି, କାଞ୍ଜି ଇତ୍ୟାଦି। ତିନି ବାଡ଼ର ପୂଜାପଣ୍ଡାମାନେ ସିଂହାସନ ତଳେ ପଞ୍ଚ ଉପଚାରରେ ପୂଜା କରନ୍ତି । ଏହି ଭୋଗ ବେଳେ ମୁରୁଜ କଟା ହୁଏନି କି ସରିବା ପରେ ଆରତି ହୁଏନି। କେବଳ ଭୋଗ ଲାଗିବା ପରେ ଧୂପ ଦୀପ ଅର୍ପଣ ହୁଏ ଓ ଅଳ୍ପ ସମୟ ପାଇଁ ଟେରା ପଡେ। ଟେରା ଫିଟିବା ପରେ ପହୁଡ଼ର ବ୍ୟବସ୍ଥା କାରାଯାଏ। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ରାତ୍ର ପହୁଡ଼ ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ।
ଦେଖ ମନ୍ୟୁଷ କଳେବର
କେବଳ ମୁକତିର ଦ୍ୱାର ।
ଏ ଦେହ ପାଇ ମହିତଳେ
ହେଳେ ତରନ୍ତି ଭବଜଳେ ।
ଦୃଲ୍ଲଭ ପାଇ ଏ ଶରୀର
କୁଟୁମ୍ବେ ଦୃଢମତି ଯାର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.