ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଗୌହାଟୀରେ ବିଜେପି ଜୋରଦାର ମନ୍ଥନ କରିଛି। ଓଡିଶାରେ ଶାସନକୁ ଆସିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଦଳୀୟ ନେତାମାନେ କହୁଛନ୍ତି।
କିନ୍ତୁ ଗତ କିଛି ଦିନର ଦଳୀୟ କାର୍ଯ୍ୟକ୍ରମ, ସଂଗଠନର ରୂପରେଖ ଓ କେନ୍ଦ୍ରୀୟ ନେତୃତ୍ବର ଓଡିଶା ବିଜେପି ପ୍ରତି ଆଭିମୁଖ୍ୟକୁ ଦେଖିଲେ ରାଜ୍ୟରେ ବିଜେପି ଯେ ଶାସନକୁ ଆସିବାକୁ ଚାହୁଁଛି ସେ କଥା ଅନୁଭୂତ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି।
ଦେଶର ବିଭିନ୍ନ ରାଜ୍ୟରେ ଏବେ ବିଜେପି ସାଙ୍ଗଠନିକ ଅଦଳବଦଳ କରୁଛି। ନୂଆ ରାଜ୍ୟ ସଭାପତି, ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଉଛି। କିନ୍ତୁ ଠିକ ସମାନ ସମୟରେ ଓଡିଶାରୁ ଜଣଙ୍କ ପରେ ଜଣେ ପ୍ରଭାବୀ କେନ୍ଦ୍ରୀୟ ନେତାଙ୍କୁ ଦୁରେଇ ନିଆଯାଉଛି।
ଓଡ଼ିଶାରେ ସଂଗଠନ ସହ ଅତି କମ ଦିନ ମଧ୍ୟରେ ଯୋଡି ହୋଇଯାଇଥିବା ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କୁ ଦଳ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଦେଇଛି। ଯାହାଦ୍ୱାରା ସେ ଓଡିଶାରୁ ଦୁରେଇଛନ୍ତି।
ଠିକ ଏହା ପରେ ପରେ ଏବେ କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ତେଲେଙ୍ଗାନାର ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ତେଲେଙ୍ଗାନା ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବାବେଳେ ବିଜେପି ସେଠାରେ ଅଧିକ ଫୋକସ କରୁଛି।
ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନା ଗସ୍ତ କରି ବିଜେପିର ନିର୍ବାଚନ ବିଗୁଲ ବଜାଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଓଡ଼ିଶାର କ୍ଷେତ୍ରିୟ ପ୍ରଭାରୀ ସୁନୀଲ ଆଉ ଓଡିଶାକୁ ଅଧିକ ସମୟ ଦେଇପାରିବେ ନାହିଁ ବୋଲି କୁହାଯାଉଛି।
ଉତ୍ତରପ୍ରଦେଶରେ ବିଜେପିର ସଫଳତା ପାଇଁ ସୁନୀଲଙ୍କୁ ଶ୍ରେୟ ଦିଆଯାଉଥିବା ବେଳେ ଓଡିଶାରେ ବିଜେପି ଦାୟିତ୍ୱ ନେବା ପରେ ଦଳୀୟ ନେତା ବେଶ ଉତ୍ସାହିତ ହୋଇଥିଲେ। ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ଦଳକୁ ଶାସନ କ୍ଷମତାକୁ ଆଣିବା ପାଇଁ ଉଭୟ ସୁନୀଲ ବଂଶଲ ଓ ଡି ପୁରନ୍ଦେଶ୍ୱରୀ ବହୁ ପରିଶ୍ରମ କରୁଥିଲେ।
ସେ ଦୁଇ ଜଣଙ୍କୁ ଓଡିଶା ବିଜେପି ଠାରୁ ଦୁରେଇ ନିଆଗଲା ବୋଲି ଏବେ ଚର୍ଚ୍ଚା ହେଉଛି। ସେପଟେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ମଧ୍ୟପ୍ରଦେଶ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ତେଣୁ ସେ ମଧ୍ୟ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବ୍ୟସ୍ତ ରହିବେ।
ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ନିର୍ବାଚନ ଶେଷ ହେବାର ଆଉ ମାତ୍ର ମାସ କେଇଟା ପରେ ଓଡିଶାର ନିର୍ବାଚନ ସହ ଦେଶର ସାଧାରଣ ନିର୍ବାଚନ ହେବ। ତେଣୁ ଏସବୁ ପ୍ରଭାବୀ ନେତା ଅନ୍ୟ ରାଜ୍ୟ ଦାୟିତ୍ୱରେ ରହିଲେ ଓଡିଶା ବିଜେପିର ପଥ ପ୍ରଦର୍ଶକ କିଏ ହେବ ବୋଲି ପ୍ରଶ୍ନ ଉଠିଛି।
ସେପଟେ ବିଜେପିର ଫାୟାର ବ୍ରାଣ୍ଡ ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ଦଳ କେତେ ସ୍ୱପ୍ନ ଦେଖିଥିଲା। ସେ ମଧ୍ୟ ବିରୋଧୀ ଦଳ ନେତା ଦାୟିତ୍ୱ ନେବା ପରେ ଶାସକ ବିଜେଡିକୁ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଟାର୍ଗେଟ କରି ଚାଲିଥିଲେ।
କିନ୍ତୁ ଗତ କିଛି ମାସ ହେଲା ଆଉ ତାଙ୍କ ସ୍ୱର ଶୁଣିବାକୁ ମିଳୁନାହିଁ। ଏବେ କେବଳ ଦଳର ମଙ୍ଗ ଧରିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ ନେତା କର୍ମୀ ଓ କାର୍ଯ୍ୟକର୍ତାଙ୍କ ମନରେ ଯୋଶ ଭରୁଛନ୍ତି।
ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏଥର ଲୋକସଭା ପ୍ରାର୍ଥୀ ହେବାକୁ ଥିବାରୁ ସେ ସାରା ରାଜ୍ୟକୁ ଧ୍ୟାନ ଦେଇ ପାରୁ ନ ଥିବା ଚର୍ଚ୍ଚା ହେଉଛି। ସେପଟେ ଉଭୟ ରାଜ୍ୟ ପ୍ରଭାରୀ ଓ କ୍ଷତ୍ରିୟ ପ୍ରଭାରୀ ଅନ୍ୟ ପ୍ରମୁଖ ରାଜ୍ୟର ଦାୟିତ୍ୱ ନେବାରୁ ଓଡ଼ିଶାରେ ବିଜେପିର ଭଲ ମନ୍ଦ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ୱକୁ କିଏ ଅବଗତ କରିବ ଓ ଦଳ କିଭଳି ଆଗକୁ ବଢିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ତେଣୁ ଓଡିଶା ପ୍ରତି କେନ୍ଦ୍ରୀୟ ବିଜେପିର କଣ ସତରେ ନଜର ନାହିଁ ନା ଓଡ଼ିଶାରେ କିଛି ସମ୍ଭାବନା ନେତୃତ୍ୱ ଦେଖିପାରୁ ନାହାନ୍ତି ନା ଓଡିଶା ପାଇଁ କିଛି ସ୍ୱତନ୍ତ୍ର ରଣନୀତି ଅଛି ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ସେପଟେ ଶାସକ ବିଜେଡି କିନ୍ତୁ ତାର ସାଙ୍ଗଠନିକ ପୁନର୍ବିନ୍ୟାସ କାର୍ଯ୍ୟକୁ ଜୋରଦାର କରିଛି। ଦଳ ପକ୍ଷରୁ ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ସହ ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି ଦିଆଯାଉଛି।
ନିଯୁକ୍ତି ସହ ରାଜନୈତିକ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି। ତୃଣମୂଳ ସ୍ତରରେ ଦଳକୁ ଆହୁରି ଦୃଢ଼ କରିବା ସହ ଗୋଷ୍ଠୀ କନ୍ଦଳକୁ ଚେକ ଦେବାକୁ ଦଳ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି।
ତେଣୁ ଏସବୁ ଭିତରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି କିଭଳି ଶାସକ ଦଳର ସମ୍ମୁଖୀନ ହେବ ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।
Comments are closed.