Latest Odisha News

BREAKING NEWS

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମଧ୍ୟ ଆଫ୍ରିକାରୁ ଫେରିଲେ ୪ ଓଡିଆ ଯୁବକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକ ଶନିବାର ସକାଳେ ନିଜର ଜନ୍ମସ୍ଥାନରେ ପହଞ୍ଚିଛନ୍ତି। ଏହି ଯୁବକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ବୈଜୟନ୍ତ ପଣ୍ଡା ନିବେଦନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଗ୍ରାମର ବିଦ୍ୟାଧର ପ୍ରଧାନ (ପିତା- ବିଜୟ ପ୍ରଧାନ), ଶୁଭ୍ରକାନ୍ତ ପ୍ରଧାନ (ପିତା- ସୁଦର୍ଶନ ପ୍ରଧାନ), ପ୍ରଶାନ୍ତ କୁମାର ରାଉତ (ପିତା- ପରମେଶ୍ବର ରାଉତ) ଏବଂ ନିରଞ୍ଜନ ମହାନ୍ତି (ପିତା- ଭଗବାନ ମହାନ୍ତି) ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ଗବୋନ ଯାଇଥିଲେ। କମ୍ପାନୀ କତ୍ତୃପକ୍ଷ ମାସିକ ୨୫,୦୦୦/- ଟଙ୍କା ବେତନ ପ୍ରତିଶୃତି ଦେଇଥିଲେ କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପାରିଶ୍ରମିକ ନଦେଇ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ କାର୍ଯ୍ୟରେ ଲଗାଇଥିଲେ। ବହୁ ଅନୁରୋଧ ପରେ ମଧ୍ୟ ସେମାନେ ପାରିଶ୍ରମିକ ଦେଉନଥିଲେ କିମ୍ବା ସ୍ବଦେଶ ଫେରିବାକୁ ଛାଡୁନଥିଲେ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧ କ୍ରମେ ବୈଜୟନ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ତ୍ବରିତ ହସ୍ତକ୍ଷେପ ପାଇଁ ସେମାନଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ଏବଂ ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ବୈଜୟନ୍ତ ପଣ୍ଡା ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.