Latest Odisha News

BREAKING NEWS

କବିତା : ଚା’

ସୁଜାତା ମିଶ୍ର

ଦୁଇ କପ୍ ବାମ୍ଫ ଉଠା ଗରମ ଚା’ରେ
ଆରମ୍ଭ ହେଉ ଆମ ବନ୍ଧୁତା..
କିଛି ତୁମ ଆଡ଼ୁ
କିଛି ମୋ ଆଡ଼ୁ
ବଢ଼ି ଯିବ ଉଷ୍ମତା ଆଉ ମଧୁରତା..
ଆଉ ଅଚାନକ ଗପର କବାଟ ପଛରେ
ଲୁଚି ଯିବ ନୀରବତା..!

ଟିକେ ହସିବା
ଟିକେ ଋଷିବା..
ଟିକେ ଚା କପ୍ ରେ ଚୁସ୍କି
ଦେବା..
ତୁମେ ବିନା ଶବ୍ଦରେ
ଷ୍ଟାଇଲରେ ଚା ପିଉଥିବ,
ମୁଁ ଗାଉଁଲି ପରି ଶବ୍ଦ କରି
ଶୋଷାଡ଼ି ପିଉ ଥିବି ଚା…

ନଥିବ ଛଳନାର ଭଦ୍ର କାନ୍ଥ..ଥିବ ଖାଲି
ମନ ଖୋଲା ପୁଳାଏ ଉଷ୍ମତା !
ଆମେ ଗ୍ରୀନ୍ ଟି ପିଇ
ଓଜନ କମେଇବା କଥା
ଗପୁଥିବା..
ବିନା ଚିନି,କ୍ଷୀର ବାଲା ନାଲି ଚା’ କି ଲେମ୍ବୁ ଚା’ର ଉପକାରିତା କଥା
କହି ହସୁ ଥିବା..
ପୁଣି କେବେ ମସଲା ଚା ପିଇ ଗପର ଲହରୀ
ଛୁଟେଇବା..!

ଚା ବାହାନାରେ କେବେ
ନିଜ ମନ ତଳ ଦୁଃଖ
ବଖାଣିବା,
କେବେ ହାତରେ ହାତ
ରଖି ଚୁପ୍ ଚାପ୍ ବସିବା,
ପୁଣି କେବେ ବର୍ଷା ପାଗରେ
ଚା ସହ ପକୋଡ଼ି ଛାଣି
ପରଷିବା..!

ଏମିତି ତ ଶୀତ ଅପରାହ୍ନ
ଖୋଜୁଥିବ
ଗରମ ଚା ପାନ..
ଆଉ ତା ସହିତ ଗପ ନଦୀରେ
ବହି ଯିବା ପାଇଁ ଏକ
ଉଛୁଳା ମନ,
ବୟସର ସାୟାହ୍ନରେ
ଶୂନ୍ୟ ନୀଡ଼ ଆଉ
ମାମୁଁ ମାଇଁ ଦୁଇ ପ୍ରାଣୀଙ୍କ
ଚା କପରେ ଚୁମ୍ବନ

ଆଉ ବିଦେଶରେ ଥିବା ପୁଅ,ବୋହୁ,ନାତି,ନାତୁଣୀ
ପାଖକୁ ଟେଲିଫୋନ..!
ଆସ,ଚା ପିଇବା..
ମନ ଭରି ଗପିବା..
ସମୟକୁ କିଛି ବେଳ
ହାତ ମୁଠାରେ ଧରି
ରଖିନେବା.!

Leave A Reply

Your email address will not be published.