Latest Odisha News

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ତାଜିନ୍ଦରପାଲ, ପାରୂଲ ଚୌଧୁରୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପର ତୃତୀୟ ଦିନ ଭାରତକୁ ୨ ସ୍ୱର୍ଣ୍ଣ ପଦକ ମିଳିଛି । ପୁରଷ ଶଟପୁଟରେ ତାଜିନ୍ଦରପାଲ ସିଂ ତୁର ୨୦.୨୩ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଇରାନର ମହେଦି ସବରୀ(୧୯.୯୮) ଓ କାଜକାସ୍ତାନର ଇଭାନ ଇଭନୋଭା (୧୯.୮୭) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୩୦୦୦ ମିଟର ଷ୍ଟିପଲ ଚେଜରେ ପାରୁଲ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ । ସେ ୯:୩୮.୭୬ ସେକେଣ୍ଡରେ ତାଙ୍କ ରେସ ପୂର୍ଣ୍ଣ କରିଥିଲେ । ଚୀନର ଝୁ ଶୁଆଙ୍ଗଶୁଆଙ୍ଗ(୯:୪୪.୫୪) ଓ ଜାପାନର ରିମି ୟୋଶିମୁରା (୯:୪୮.୪୮) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ ।

ଲଙ୍ଗ ଜମ୍ପରେ ଶୈଲୀ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି । ଶୈଲୀ ୬.୫୪ ମିଟର ଦୂରତାକୁ ଜମ୍ପ କରିଥିଲେ । ଏହି ବିଭାଗରେ ଜାପାନର ଶୁମେରୀ ହାଟା (୬.୯୭) ସ୍ୱର୍ଣ୍ଣ ପଦକ ଜିିତିଥିଲେ । ଚୀନର ଝୋଙ୍ଗ ଜେବେଇ (୬.୪୬) ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଥିଲେ । ଭାରତ ଏ ପର୍ଯ୍ୟନ୍ତ ୫ ସ୍ୱର୍ଣ୍ଣ ସମେତ ୯ ପଦକ ଜିତିସାରିଛି । ପୂର୍ବରୁ ଜ୍ୟୋତି ୟାରାଜୀ, ଅଜୟ କୁମାର ସରୋଜ ଓ ଅବଦୁଲ୍ଲା ଅବୁବକର ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Comments are closed.