Latest Odisha News

BREAKING NEWS

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର

ମୁଁ ବସି ରହିଥିବି ଏଠି
ଏଇ ନଈକୂଳେ
ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ
ନଈ ସେପାରିରୁ ।
କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ
ନୌକାଟିଏ
ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି
ଆସୁଥିବ ନୌକା ବାହି ଧୀରେ ଧୀରେ
ହାତରେ ଥିବ ଆହୁଲା
କାଟି କାଟି ଜଳର ତରଙ୍ଗ।
ଦୂର ଦିଗନ୍ତ ଭୂଖଣ୍ଡରେ ନଦୀ
ନଦୀରେ ନୌକା ଓ ନୌକାରେ ତୁମେ
ୟା ଠୁ ବଳି ଆଉ କଣ ଅଛି
ଖୁବ୍ ବେଶୀ ଚକମକ କବ୍ୟିକ ଉପମା?

ଏ ବିଶ୍ବାସ ଅଛି ତୁମେ ନିଶ୍ଚିତ ଆସିବ
ସେ ବିଶ୍ବାସ ଧରି ରଖିଛି ମୋ ଜୀବନ ନାଡିକୁ
ଯେପରି ନଈକୂଳରେ ପାହାଡ଼
ବିଶ୍ବାସରେ ଧରି ରଖିଥାଏ ନଦୀର ବିସ୍ତୃତ କାୟାକୁ ।
ଆକାଶ ବି ଧରି ରଖିଥାଏ ମେଘ ଖଣ୍ଡକୁ
କେବଳ ବିଶ୍ବାସର ଆଧାରରେ ।

ମୁଁ ଚାହିଁଥିବି ତମ ଫେରିବା ରାସ୍ତାକୁ
ଏଠୁ ଗୋଟେ ଇଞ୍ଚ ବି ଘୁଞ୍ଚିବାର ପ୍ରଶ୍ନ ଉଠେନା
ଯଦି ବି ଭୂକମ୍ପରେ ଥରି ଉଠେ ମାଟି
ଆକଶ ବି ପ୍ରକମ୍ପିତ ହୁଏ ଘୂର୍ଣ୍ଣିଝଡ଼ରେ
ଏଠି ବସିଥିବି ନିଶ୍ଚଳ ମୁଦ୍ରାରେ
ତୁମେ ଏଠିକି ନ ଆସିବା ପର୍ଯ୍ୟନ୍ତ।
ଏ ସୃଷ୍ଟିର ଶେଷ ରାତି ଯାଏଁ
ଯେବେ ରଚିବ ଅଖଣ୍ଡ ପ୍ରଳୟ
ଅଟଳ ମହାମେରୁ ଆଜୀବନ ତୁମ ପ୍ରତୀକ୍ଷାରେ।

Leave A Reply

Your email address will not be published.