ରାମକୃଷ୍ଣ
ଏବେ ନୁହେଁ
ଆମେ ବିଦାୟ ନେବାର କେତେ ବର୍ଷ ପରେ
ହୁଏତ କେତେ ଶତାବ୍ଦୀ ପରେ
ଯେତେବେଳେ ଆମର ବଂଶଧରମାନେ
ଡେଣା ବାନ୍ଧି ବସବାସ କରୁଥିବେ ଆକାଶରେ
ପାଚିଲା ଫଳ ପରି ଆମର ପୃଥିବୀ
ଝଡିବ ଝଡିବ ହୋଇ ଝୁଲୁଥିବ ଶୂନ୍ୟରେ
ସେତେବେଳେ ଫିଟିବ ସବୁ ଗୁମର
ସେ ସବୁ ଦୃଶ୍ୟର
ଯାହାକୁ ଦେଖାଇବାର ଅସମର୍ଥତାରେ
ମୋର ମୃତ୍ୟୁ ହେଲା
ଏବେ ନୁହେଁ
ଏବେ ତ ସବୁ ନାଟକ ଭୋକ ପାଇଁ, ଭୂମି ପାଇଁ
ଏବେ ତ ସବୁ ଯୁଦ୍ଧ ପ୍ରତିପାଦନ କରିବା ପାଇଁ
ବାହୁବଳ ଓ ମୁଖାର ବହପ
ଏବେ ତ ସୁଖ ସାଉଁଟିବାର ପ୍ରତିଯୋଗିତାରେ
ବ୍ୟସ୍ତ ବିଚଳିତ ନିଶ୍ବାସ
ରାସ୍ତାର କଣ୍ଟା ପଥର ଉପରେ
ମୋର ପାଦର ଆଖି ନଥାଏ
ଆଖି ଥାଏ ଦିଗବଳୟ ସେପାରି ଅଂଧାରରେ
ଦିକ୍ ଦିକ୍ ଜଳୁଥିବା ଆଲୁଅରେ
ଯେଉଁଠି ଦିନେ ପହଞ୍ଚିବା ପାଇଁ
ଏ ଅଜ୍ଞାତ ଯାତ୍ରାର ଆରମ୍ଭ
ଏବେ ନୁହେଁ
ଦିନେ ନା ଦିନେ କିନ୍ତୁ ଫିଟିବ ଗୁମର
ଯେତେବେଳେ ଉର୍ଦ୍ଧ୍ବମୁହାଁ ନଦୀ
ଛୁଇଁବ ପାହାଡ଼ର ଶୀର୍ଷ
କ୍ଲାନ୍ତ ବସି ପଡି଼ଥିବ
ନତଜାନୁ ମଥାନତ ମଣିଷ
ଯେଉଁଦିନ ଜଣା ପଡି଼ବ ଯେ
ଠିକ୍ ସେଇଠି ଅଟକି ରହିଛି ଯାତ୍ରା
ଯେଉଁଠୁ ତାର ଆରମ୍ଭ l
Comments are closed.