ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ରବିବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣା ସମୟରେ କାରଖାନାରେ ୩୦ ଜଣ ଶ୍ରମିକ କାମ କରୁଥିଲେ। ୬ ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ୩ ଜଣ ମହିଳା ମଧ୍ୟ ଥିଲେ ଯାହାଙ୍କ ଶରୀର ୬୦% ପୋଡ଼ି ଯାଇଥିଲା ବୋଲି କୁହାଯାଉଛି। ତେବେ ଅନ୍ୟମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ଏବଂ ଭଗ୍ନାବଶେଷ ହଟାଇବା ପାଇଁ ପ୍ରୟାସ କରୁଛନ୍ତି। ତେବେ ବିସ୍ଫୋରଣ ପରେ ମଧ୍ୟ ବାଣ ଫୁଟିବା ଜାରି ରହିଥିଲା ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
ତେବେ ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ X ରେ ଲେଖିଛନ୍ତି ଯେ “ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ମୁଁ ମନ୍ତ୍ରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ଜିଲ୍ଲାପାଳଙ୍କ ସହ କଥା ହୋଇ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।”
Comments are closed.