Latest Odisha News

BREAKING NEWS

ପ୍ରତିଶ୍ରୁତି ପାଳନ କରୁନାହାନ୍ତି ସରକାର, ପୁଣି ଆନ୍ଦୋଳନର ଚେତାବନୀ ଦେଲା ଡ୍ରାଇଭର ସଂଘ

ଭୁବନେଶ୍ୱର: ପ୍ରତିଶ୍ରୁତି ଦେଇ ପୂରଣ ଏପର୍ଯ୍ୟନ୍ତ ପୂରଣ କଲେନି ରାଜ୍ୟ ସରକାର। ଜୁଲାଇ ୩୦ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ।

ଡ୍ରାଇଭର ସଂଘର ପ୍ରତିନିଧିତ୍ୱ କରୁଥିବା ଏହି ସଂଘ ଗତ ମାର୍ଚ୍ଚ ମାସରେ ଆନ୍ଦୋଳନ କରିବା ସହ ରାଜ୍ୟର ପ୍ରମୁଖ ରାସ୍ତାରେ ପିକେଟିଂ କରିଥିଲା। ଏହା ପରେ ମୁଖ୍ୟ ଶାସନ ସଚିବ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ଉପରେ ତର୍ଜମା କରିବା ପାଇଁ ବୋର୍ଡ ଗଠନ କରିବାକୁ ସହମତି ପ୍ରକାଶ କରିଥିଲେ। ଏହି ବୈଠକ ସମୟରେ ଶାସକ ଦଳର ପ୍ରମୁଖ ନେତା ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ।

ସାମାଜିକ ସୁରକ୍ଷା, ୬୦ ବର୍ଷ ପରେ ପେନସନ, ମୃତ୍ୟୁକାଳୀନ ସୁବିଧା ଓ ବୀମା ଆଦି ମହାସଂଘରର ପ୍ରମୁଖ ଦାବି ରହିଛି। ସେମାନେ ଏହା ମଧ୍ୟ ଚାହୁଁଛନ୍ତି ଯେ ରାଜ୍ୟର ପ୍ରମୁଖ ରାସ୍ତାରେ ପ୍ରତି ୧୦୦ କିଲୋମିଟରରେ ଡ୍ରାଇଭରଙ୍କ ପାଇଁ ରହିବା ବ୍ୟବସ୍ଥା ନିର୍ମାଣ କରାଯାଉ। ଦୁର୍ଘଟଣା ପରେ ଯଦି ଜଣେ ଡ୍ରାଇଭର କାମ କରିପାରିବେ ନାହିଁ ତେବେ ତାଙ୍କୁ କ୍ଷତିପୂରଣ ଦିଆଯାଉ।

ସଂଘର ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି, ସରକାର ଏଯାଏ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ବିଳମ୍ବକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି ଯେ ସରକାର ନିଜ ପ୍ରତିଶ୍ରୁତି ପ୍ରତି ଗମ୍ଭୀର ନୁହନ୍ତି। ଦାବି ପୂରଣ ପାଇଁ ମହାସଂଘ ସରକାରଙ୍କୁ ଜୁଲାଇ ୩୦ ତାରିଖ ଯାଏଁ ମହଲତ ଦେଇଛି। ସେତେବେଳକୁ ଦାବି ପୂରଣ ନହେଲେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Comments are closed.