Latest Odisha News

ଦମ୍ପତ୍ତିଙ୍କ ଅଜବ ସଉକ: କାରରେ ୧୧୬ ଟି ଦେଶ ଭ୍ରମଣ କରି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ସାଧାରଣତଃ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଢିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନାଚିବା ବା ଗାଇବାକୁ ପସନ୍ଦ କରିଥାନ୍ତି । ଆଉ କିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । କିଏ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନିଜ କାରରେ ବୁଲିବାକୁ ଭଲ ପାଆନ୍ତି । ଏବେ ସେମତି ଆମେରିକାର ଏକ ଦମ୍ପତ୍ତି ନିଜ ସଉକକୁ ପୂରଣ କରିବାକୁ ଯାଇ କାରରେ ୧୧୬ଟି ଦେଶ ଭ୍ରମଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ନିଶା ପାଇଁ ସେମାନେ ବିଶ୍ୱ ରେକର୍ଡ଼ ବି କରିଛନ୍ତି ।

ଏହି ଦମ୍ପତି ହେଉଛନ୍ତି ଆମେରିକା ନ୍ୟୁୟର୍କର ବାସିନ୍ଦା ଜେମ୍ସ ରୋଜର୍ସ ଏବଂ ପାଏଜ୍ ପାର୍କର । ଜେମ୍ସ ଓ ପାଏଜ ବିଭିନ୍ନ ଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ଏଥିସହିତ ବିଭିନ୍ନ ଦେଶର ଚାଲିଚଳଣ,ସଂସ୍କୃତି ଓ ପରମ୍ପରା ଜାଣିବାକୁ ସେମାନଙ୍କର ଆଗ୍ରହ । ସେଥିଲାଗି ସେମାନେ ବିଭିନ୍ନ ଦେଶ କିପରି ଭ୍ରମଣ କରିବେ ସେନେଇ ଚିନ୍ତା କଲେ । ଶେଷରେ ନିଜ କାରରେ ଭ୍ରମଣରେ ଯିବାକୁ ନିଷ୍ପତ୍ତି ନେଲେ । ୧୯୯୯ ମସିହା ଜାନୁୟାରୀ ୧ ତାରିଖରେ ନିଜ କାରରେ ଏହି ଯାତ୍ରା ଆରମ୍ଭ କରିଥିଲେ । ୨୦୦୨ ଜାନୁୟାରୀ ୫ ତାରିଖ ଭିତରେ ସେମାନେ ନିଜ କାରରେ ୧୧୬ ଟି ଦେଶ ଭ୍ରମଣ କରିଛନ୍ତି । ସେମାନେ ସମସ୍ତ ମହାଦେଶରେ ପହଞ୍ଚିଥିବା ଜଣାଯାଇଛି । ଏହି କାରଣରୁ ସେମାନେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ।

ଜେମ୍‌ସ କହିଛନ୍ତି ଯେ, ଆମର ଏହି ଯାତ୍ରାର ପ୍ରତ୍ୟେକ ଦିନ ରୋମାଞ୍ଚକର ଥିଲା । ବିପଦପୂର୍ଣ୍ଣ ପାର୍ବତ୍ୟ ରାସ୍ତା ଦେଇ ଆମକୁ ଆଗକୁ ବଢିବାକୁ ପଡ଼ିଥିଲା । ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ସମୟ ମଧ୍ୟରେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଛୁ । ମରୁଭୂମି ଏବଂ ଜଙ୍ଗଲରେ ବୁଲିଛୁ । ମହାମାରୀର ମଧ୍ୟ ସମ୍ମୁଖୀନ ହୋଇଛୁ । ଏହି ଯାତ୍ରାରେ ଆମର କେତେ ଖର୍ଚ୍ଚ ହୋଇଛି ତାହା ଆମକୁ ଜଣାନାହିଁ । କିନ୍ତୁ ଏହି ଯାତ୍ରା ଆମ ଜୀବନରେ ଆଣିଥିବା ଏହି ସୁନ୍ଦର ସ୍ମୃତିଗୁଡ଼ିକୁ କେବେବି ଭୁଲି ପାରିବୁ ନାହିଁ ।

Comments are closed.