ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଗେଟ୍ ପାଖରେ ପହଞ୍ଚିବା ମାତ୍ରେ ସିଡ଼୍ ଓ ରୋହାନ୍କୁ ସେ କୋଳେଇ ନେଇ ଭାବ ପ୍ରବଣତାରେ କାନ୍ଦି ପକାଇଲେ । ଏତେ ସମୟର ଦୀର୍ଘ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ପରେ ମିଃ. ପରିମଲ୍ଙ୍କ ପଛପଟେ ଅତ୍ୟନ୍ତ ଭୟାତୁର ହୋଇ ଛିଡ଼ା ହୋଇଥିବା
ବୀରାକୁ ଲକ୍ଷ୍ୟ କଲେ । ତାକୁ ଯାହା କହିବେ ବୋଲି ଆଗରୁ ସ୍ଥିର କରିଥିଲେ ସେ ସବୁ ଭୁଲିଯାଇ, ଗଭୀର ଭାବରେ ଆଲିଙ୍ଗନରେ କୋଳେଇ ଧରିଲେ ବୀରାକୁ, ଠିକ୍ ସେମିତି ଯେମିତି ରୋହାନ୍ ଓ ସିଡ଼୍ଙ୍କୁ ଆଲିଙ୍ଗନ କରିଥିଲେ । “ତମ ସହ ଭେଟ ହୋଇ ମୁଁ ବହୁତ ଖୁସି ବୀରା । ଏତେଦିନ ଧରି ରୋହାନ୍ ଓ ସିଡ଼୍ଙ୍କ ଠାରୁ ‘ବୀରା ଏମିତି, ବୀରା ସେମିତି’, ଖାଲି ଶୁଣି ଚାଲିଥିଲି ଯାହା ।” ନିଜ ଆଲିଙ୍ଗନରୁ ମୁକୁଳେଇ ବୀରା ମଥାରେ ଗୋଟିଏ ଚୁମ୍ବନ ଦେଇ ସୁରେଖା କହିଲେ । ଏବଂ ତାକୁ ତାରିଫ୍ କଲାପରି ଆପାଦମସ୍ତକ ନଜର ଘୂରାଇନେଲେ । ଏହାପରେ ସେମାନେ, ତାଙ୍କ ଇନୋଭା ଗାଡ଼ିରେ ନିଜ ଘର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ନୂଆଦିଲ୍ଲୀର ବସନ୍ତକୁଂଜ ଅଂଚଳରେ ମିଃ. ପରିମଲଙ୍କର ଗୋଟିଏ ତିନି ବେଡ଼୍ରୁମ୍ ବିଶିଷ୍ଟ ଘର ଥିଲା । ଲିଭିଂ ରୁମ୍ଟି ଖୁବ୍ ପ୍ରଶସ୍ତ, ସୁନ୍ଦର ଭାବରେ ଆଲୋକିତ ଏବଂ ଧଳା ପରଦାରେ ସୁସଜ୍ଜିତ । ମଝିରେ ପଡ଼ିଥିବା ଟେବୁଲ୍ ଉପରେ ସିଡ଼୍ ଏବଂ ରୋହାନ୍ର ବନ୍ଧେଇ କରା ଫଟୋ, ଗୋଟିଏ ଚା’ କେଟ୍ଲ ଓ କେତୋଟି କପ୍ ରଖାହୋଇଥାଏ । ପିଲାମାନେ ସୋଫା ଉପରେ ସେମାନଙ୍କ ଜିନିଷପତ୍ର ରଖାରଖି କରୁ କରୁ ମିସେସ୍ ପରିମଲ୍ ମୁନିୟାକୁ ଡାକି କହିଲେ, “ଆରେ ପିଲାମାନେ ଆସି ଗଲେଣି । କିଛି ଖାଦ୍ୟପେୟ ନେଇ ଆସେ ।”
ଏତେ ଚର୍ଚ୍ଚାବାର୍ଚ୍ଚା ନ କରିବାକୁ ବୀରା କହୁଥିଲେ ବି ସେଥିପ୍ରତି କର୍ଣ୍ଣପାତ ନ କରି ସେ ତା’ର ଉପଯୁକ୍ତ ଆତିଥ୍ୟ ଉପରେ ଗୁରୁତ୍ୱ ଦେଇ ଚାଲିଥିଲେ ।
କ୍ରମଶଃ
Comments are closed.