ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ମଣିପୁର ହିଂସା ପ୍ରସଙ୍ଗ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦର କାରଣ ପାଲଟିଛି। ଏହାର କାରଣ ହେଉଛି ଯେ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇ ନାହିଁ। ବୁଧବାର ମଧ୍ୟ ମଣିପୁରରେ ହୋଇଥିବା ହିଂସାକୁ ନେଇ ଗୃହରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଏହି ସମୟରେ ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେ ମଣିପୁର ପ୍ରସଙ୍ଗରେ କହୁଥିବା ବେଳେ ହଠାତ ତାଙ୍କ ମାଇକ ବନ୍ଦ ହୋଇଯାଇଥିଲା। ଯାହାକୁ ସେ ଦୃଢ଼ ବିରୋଧ କରି କହିଛନ୍ତି ଯେ ଏହା ତାଙ୍କ ପ୍ରତି ଅପମାନ। ଏହା ମୋର ଆତ୍ମ ସମ୍ମାନର ବିଷୟ। ମଣିପୁରରେ କି ପ୍ରକାର ହିଂସା ଚାଲିଛି ସେ ସମ୍ପର୍କରେ ଆମେ ସରକାରଙ୍କ ଉତ୍ତର ଚାହୁଁଛୁ। ଆମେ ଚାହୁଁ ଦେଶର ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତ୍ତି ଦିଅନ୍ତୁ।
ମଲ୍ଲିକାର୍ଜୁନ ଖଡଗେ ଏହି ବିବୃତ୍ତି ପରେ ଶାସକ ଦଳର ସାଂସଦମାନେ ମୋଦୀ-ମୋଦୀ ନାରା ଦେବା ଆରମ୍ଭ କରିଥିଲେ। ଏହା ପରେ ଦଳର ସାଂସଦ ଏବଂ ଗୃହରେ ବିରୋଧୀଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଗୃହର ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି।
ମଣିପୁର ହିଂସାକୁ ନେଇ ସଂସଦରେ ଅବରୋଧ ମଧ୍ୟରେ କଂଗ୍ରେସର ଗୌରବ ଗୋଗୋଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ସମସ୍ତଙ୍କ ସହ କଥା ହେବା ପରେ ବାଚସ୍ପତି ଓମ୍ ବିର୍ଲା ସମୟ ସ୍ଥିର କରିବେ ବୋଲି କହିଛନ୍ତି।
Comments are closed.