ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲେଖିଲେ ଭାଷାର ଅକ୍ଷର
ଦୁଶ୍ଚିଂତା ହୋଇଯାଏ ଦୂର
ତେଣୁ ମୁଁ ଲିଖନ-ତତ୍ପର
ସ୍ବେଚ୍ଛାରେ ହୁଏଁ ବାରଂବାର
ଖଂଜିଲେ ପଦ ପରେ ପଦ
ମନରୁ ହଟେ ଅବସାଦ
ଯୋଡ଼ିଲେ ସ୍ବଭାଷାର ଲିପି
ଚିତ୍ତରେ ଶାଂତି ଯାଏ ବ୍ୟାପି
ଲେଖିଲେ ଆଉ କ’ଣ ହୁଏ
ମୋ ଧ୍ୟାନ ସେଆଡ଼େ ନ ଯାଏ
ମୋ ଲେଖା ମୋ ପାଖରେ ଥାଏ
ମୋତେ ନିଶ୍ଛଳ ତୃପ୍ତି ଦିଏ
ଲେଖା ମୋ ପାଇଁ ଉପଚାର
ନିଜେ କରିଛିଁ ଆବିଷ୍କାର
ଏହାର ତୃପ୍ତିଦାୟୀ ଗୁଣ
ମୋତେ କରେନି ଅବସନ୍ନ
ଲେଖାରୁ ଧନ ରୋଜଗାର
କରିବା ଆଗ୍ରହ ମୋହର
କେବେ ନ ଥିଲା, ଏବେ ନାହିଁ
ଲେଖି ଲେଖି ମୁଁ ରହେଁ ଜିଇଁ
ଲେଖାଲେଖି ମୋ ନିତ୍ୟକର୍ମ
ହେବାରୁ ପାଉଛିଁ ବିଶ୍ରାମ
ଏହା ମୋ ମନର ବ୍ୟାୟାମ
କରଇ ମୋତେ କାର୍ଯକ୍ଷମ
ଚିହ୍ନି ନୂଆ ଭାବନା, ଚିଂତା
ଲେଖିଲେ ଗଦ୍ୟ ବା କବିତା
ହୁଅଇ ସମୟର ସ୍ମୃତି
ରଖେଁ ମୁଁ ଯତ୍ନତଃ ସାଇତି
ଲେଖିଲେ କେତେ ଗୋଟି ପଦ
ଆଖିକୁ ମାଡ଼ିବସେ ନିଦ
ନିଦ୍ରାନଂଦ ପାଇବା ପାଇଁ
ଲେଖକ ହୋଇ ଥାଏଁ ରହି
ଏ ସବୁ ସାହିତ୍ୟ କି ନୁହେ
କହିବିନାହିଁ ନିଜ ମୁହେଁ
ଯିଏ ଏ ଲେଖାର ପାଠକ
ସିଏ ହିଁ ଯୋଗ୍ୟ ନିର୍ଣାୟକ
Comments are closed.