Latest Odisha News

ପୁସ୍ତକ ପରିଚୟ : ଲୌକିକ ପାରଲୌକିକ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

ଗଳ୍ପ ସଙ୍କଳନ : ଲୌକିକ ପାରଲୌକିକ
ଗାଳ୍ପିକ : ନିତ୍ୟାନନ୍ଦ ପଣ୍ଡା
ପ୍ରକାଶକ ‐ ଶ୍ରଦ୍ଧା ପ୍ରକାଶନୀ,
ଅଲିଶା ବଜାର, କଟକ
ମୋ ‐ ୯୯୩୮୪୬୩୩୨୨
ପୃଷ୍ଠା ‐ ୨୨୪,
ମୂଲ୍ୟ ଟ୨୧୫/- ମାତ୍ର

ଶୂନଶାନ୍ ରାତି, କିଟିମିଟିଆ ଅନ୍ଧାର….ଆକାଶରେ ଜହ୍ନ ନାହିଁ…କଳାବଉଦ ଖଣ୍ଡେ ମିଞ୍ଜିମିଞ୍ଜି ଜଳୁଥିବା ତାରାମାନଙ୍କ ସହ ଲୁଚକାଳି ଖେଳୁଛି । ଗଛପତ୍ରକୁ ଚାହିଁଦେଲା ବେଳକୁ ଲମ୍ବିଲମ୍ବି ଯାଆନ୍ତି । ଏଇ ସମୟରେ ଗାଁ ମୁଣ୍ଡ ମଶାଣି ଭୂଇଁରୁ ବିଲୁଆଟିଏ ହୁକେହୋ ଡାକ ଛାଡି ଖସଖସ ହୋଇ ବିଲ ଆଡକୁ ଦୌଡି ପଳାଏ । କୁକୁରମାନଙ୍କ ବିକଳ କାନ୍ଦଣା ପରିବେଶର ଗମ୍ଭୀରତାକୁ ଆହୁରି ବଢେଇ ଦିଏ । କୁଆଡୁ ଥିବେ ପଲେ ଗାଈ ଧୁଳି ଉଡେଇ ଗୋଟିଏ ପଟୁ ଏକମୁହାଁ ହୋଇ ଦୌଡିବେ ଆକ୍ତାମାକ୍ତା ହୋଇ ଯେମିତି କେଉଁଠି ଭୁତ ଦେଖିଦେଲେ ନା କ’ଣ ! ହଁ….ଭୁତ ! ସତରେ କ’ଣ ଭୁତ ଅଛି ? ଏଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ହିଁ ମନ ଭିତରେ ବହୁ ବିଚିତ୍ର ଭାବନା ଉଙ୍କିମାରେ । ଜଣଙ୍କର ବିଶ୍ବାସକୁ ଆଉ ଜଣେ ଅବିଶ୍ବାସ କରିପାରେ, ଅନ୍ଧବିଶ୍ବାସ ବୋଲି ତାଚ୍ଛଲ୍ୟ କରିପାରେ । ବିଜ୍ଞାନର ଭୂମିକା ନେଇ ଏସବୁକୁ ହସରେ ଉଡେଇ ଦେଇପାରେ । ତଥାପି ସେଇ ବିଜ୍ଞାନୀ ମଣିଷଟି ଯଦି କେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଏ ତେବେ ? ଇଂରାଜୀରେ ଉକ୍ତିଟିଏ ଅଛି ‘Those who do not believe in spirit, no proof is necessary and those who believe in spirit, no proof is enough’

ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସର ଅର୍ଗଳୀରୁ ବାହାରି, ବିଜ୍ଞାନକୁ ଏଡେଇ ଆଉ ଗୋଟିଏ କଥା ଚିନ୍ତା କରାଯାଉ । ମୃତ୍ୟୁ ପରେ ଆତ୍ମାର ସ୍ଥିତି କ’ଣ ହୁଏ, କୁଆଡେ ଯାଏ । ଆମ ହିନ୍ଦୁ ପରମ୍ପରାରେ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁ ପରେ ଆମେ ଯେଉଁ କେତେଦିନ ବିଧିବିଧାନକୁ ପାଳନ କରୁ ତା’ର ଆସ୍ଥା କେଉଁଠି ? ସ୍ବାମୀ ଶିବାନନ୍ଦଙ୍କ ଭଳି ଅନେକ ମନୀଷୀ ଏ ବିଷୟରେ କିଛି ମୂଲ୍ୟବାନ ଗ୍ରନ୍ଥ ଛାଡି ଯାଇଛନ୍ତି । ପ୍ରଖ୍ୟାତ ଓଡିଆ କଥାକାର ମନୋଜ ଦାସ ମଧ୍ୟ ତାଙ୍କର ଅନେକ ଗପ, ଉପନ୍ୟାସରେ ଏଇ ତତ୍ତ୍ବଟିର ବିଶେଷ ପ୍ରୟୋଗ କରିଛନ୍ତି । କଥାହେଲା ଆମ ଦୃଶ୍ୟମାନ ସ୍ଥୁଳ ଜଗତ ସହ ଏକ ଏକ ଅଦୄଶ୍ୟ ଜଗତ ସୂକ୍ଷ୍ମ ରୂପରେ ଆମ ନିକଟରେ ଦଣ୍ଡାୟମାନ । ସେ ଜଗତରେ ଥିବା ଜୀବଗଣ ପ୍ରତି ମୁହୂର୍ତ୍ତରେ ଆମ କାର୍ଯ୍ୟକଳାପ ଉପରେ ଆଖି ରଖିଛନ୍ତି । ବେଳେବେଳେ ଅନ୍ୟ ରୂପରେ ଆସି ସାହାଯ୍ୟ କରନ୍ତି ବା ହଇରାଣ କରନ୍ତି । ଏସବୁ ମନର ଭ୍ରମ କହି ଏଡେଇ ହେବ ନାହିଁ । ସେଇଭଳି କିଛି ଘଟଣା, ବିଶ୍ବାସ ତଥା ଲୋକପରଲୋକ ତତ୍ତ୍ବକୁ ନେଇ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ନିତ୍ୟାନନ୍ଦ ପଣ୍ଡାଙ୍କ “ଲୌକିକ ପାରଲୌକିକ” ଗଳ୍ପଗ୍ରନ୍ଥଟି ପରିପୁଷ୍ଟ ।

ବେଳେବେଳେ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିଗଲା ପରେ ବନ୍ଧୁବାନ୍ଧବେ ଆଶ୍ବାସନା ଦେବାକୁ ଯାଇ କୁହନ୍ତି ଯେ ଯମ ଅଇଁଠା କରି ଛାଡିଦେଲା । ‘ଯମଦ୍ବାରେ ମହାଘୋରେ’ରେ ଗାଳ୍ପିକ ନାୟକକୁ ଠିକ୍ ଏଇ ପର୍ଯ୍ୟାୟରେ ଉତାରିଛନ୍ତି । ସାମ୍ଭାବ୍ୟ ମୃତ୍ୟୁ ନିକଟରୁ ଅକସ୍ମାତ ବଞ୍ଚିଯାଇଥିବା ଗଳ୍ପନାୟକ ମନରେ ହଠାତ୍ ମୃତ୍ୟୁ ଚେତନ ଜାଗ୍ରତ ହୁଏ । ମୃତ୍ୟୁ ଦେବତା ଯମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସେ ତାଙ୍କ ସାତମାଆଙ୍କୁ ପୂଜା କରନ୍ତି । ବୈତରଣୀ କୁଳର ଦଶାଶ୍ବମେଧ ଘାଟରେ ଥିବା ସପ୍ତମାତୃକା ମନ୍ଦିରରେ ସାତଭଉଣୀଙ୍କୁ ପୂଜା କରୁକରୁ ନାୟକ ନିଜେ ଏପରି ତନ୍ଦ୍ରାଭିଭୂତ ହୋଇଛି ଯେ ତା’ମନରୁ ମୃତ୍ୟୁର ଭୟ ଉଭେଇଯାଇ ଭକ୍ତିଭାବ ସୃଷ୍ଟି ହୋଇଛି । ଆଉ ସେ ସେଇ ପର୍ଯ୍ୟାୟରେ ଭେଟିଛି ଯମଙ୍କ କୁମାରୀ ମାତା ଓ ମାହେଶ୍ବରୀ ମାତାଙ୍କୁ । ସନ୍ତାନବତ୍ସଳା ମାଆ ମଧ୍ୟ ତାଠୁ ଫୁଲମାଳ ଗ୍ରହଣ କରି ତାକୁ ଆପଣେଇ ନେଇଛନ୍ତି । ଏକ ବିଚିତ୍ର ଅନୁଭୂତି ମାତ୍ର ଅଫୁରନ୍ତ ସାହସରେ ଆଗେଇ ଯାଇଥିବା ଗଳ୍ପନାୟକ ଯେବେ ତନ୍ଦ୍ରା ବିଜଡିତ ଅବସ୍ଥାରୁ ମୁକୁଳି ବାସ୍ତବତା ସହ ପରିଚିତ ହୁଏ ସେତେବେଳେ ? ହଁ ସେ ବିକଳ ହୋଇ ମାଆମାନଙ୍କୁ ଖୋଜେ ! ଗଳା ଫଟାଇ ଡାକେ । କିନ୍ତୁ ଗୋପନରେ ହେଉଥିବା କାର୍ଯ୍ୟ କ’ଣ କେବେ ସାର୍ବଜନୀନ ହୋଇପାରେ ! ଏଇଠି ଗାଳ୍ପିକ ଅତି ସୁନ୍ଦର ଭାବେ କାହାଣୀର ଅନ୍ତ କରିଛନ୍ତି । ଆଉ ସେଇ କୁମାରୀ ମାଆଙ୍କୁ ହଠାତ୍ ଆବିର୍ଭାବ କରାଇ କହିଛନ୍ତି ‘ଛି ! ଏପରି ହଲ୍ଲା କରନ୍ତି ! ତେଣେ ତୋ ପାଟି ଶୁଣି ମାହେଶ୍ବରୀ କାନ୍ଦୁଚି । ତୁ ତ ଏ ପଥର ପଥୁକୀ ନୁହଁ । କାହିଁକି ଆସି ନୂଆ ଝିଅଟିକୁ କନ୍ଦଉଚୁ । ଯା ବାପା, ଘରକୁ ଯା’ । ବୋଧହୁଏ ସେତେବେଳକୁ ମାଆମାନଙ୍କ ଆଶୀର୍ବାଦରେ ସନ୍ତାନର ଭାଗ୍ୟରେଖାରୁ ମରଣ ରିଷ୍ଟ କଟିଗଲାଣି !

ସଂକଳନରେ ‘ପିତୃଲୋକ’ ଆଉ ଏକ ଚମତ୍କାର ଗଳ୍ପ । ଯେଉଁଠି ଗଳ୍ପନାୟକ ବିଶୁ ହଠାତ୍ ଭେଟେ ଛଅ ବର୍ଷ ପୂର୍ବେ ମରିଯାଇଥିବା ନିଜ ବାପାଙ୍କୁ । କିନ୍ତୁ ସେ ଏମିତି ଏକ ଦ୍ବିଧାଗ୍ରସ୍ତ ଅବସ୍ଥାରେ ଥିଲା ଯେଉଁଠି ସେ ନା ଆଗକୁ ଯାଇପାରୁଥିଲା ନା ଫେରୁଥିଲା ପଛକୁ । ଏକ ଅଦୃଶ୍ୟ ଶକ୍ତି ଦ୍ବାରା ସେ ହୋଇଥିଲା କବଳିତ । ଆମ ପରମ୍ପରାରେ ପିତୄଲୋକର ଭୂମିକା ଓ ବିଶ୍ବାସକୁ ଗାଳ୍ପିକ ଅତି ଚମତ୍କାର ଭାବେ ଚିତ୍ରାୟିତ କରିଛନ୍ତି । ବେଳକୁବେଳ ମହଣ ମହଣ ପ୍ରଶ୍ନଜାଲରେ ଛନ୍ଦିହୋଇ ପଡୁଥିବା ବିଶୁ ନିଜ କଲାକର୍ମକୁ ମନେପକାଇ କେବେ ହୋଇଛି ବିରସ ତ କେବେ ଉଲ୍ଲସିତ । କିନ୍ତୁ ସ୍ବପ୍ନପୁରୀର ବୀଭତ୍ସ ଦୃଶ୍ୟମାନ ଦେଖି ସେ ସେଠୁ ଶୀଘ୍ର ବାହାରିଯିବାକୁ ଚେଷ୍ଟା କରିଛି । କିନ୍ତୁ ତା’ କ’ଣ ଏତେ ସହଜରେ ହୋଇପାରୁଛି ! ହଠାତ୍ ପରଲୋକଗତ ବାପା ତାଙ୍କ ଆସ୍ଥାନରୁ ଉଠି ଆସି ତା ଆଗରେ ଉଭା ହୁଅନ୍ତି । ତାକୁ ସୁଚାଇ ଦିଅନ୍ତି ଯେ ଏଇଟା କୌଣସି ସ୍ବପ୍ନପୁରୀ ନୁହେଁ, ଭବଲୋକ ମାନେ ମୃତ୍ୟୁପୁରୀର ଗୋଟିଏ ଠାବ । ବିଶୁ ପ୍ରକୃତିସ୍ଥ ହୁଏ ଯେ କ୍ରମାଗତ ମଦ ପିଇବା ଯୋଗୁଁ ଗତରାତିରେ ନିଶାଗ୍ରସ୍ତ ହୋଇ ଶୋଇଥିବା ଅବସ୍ଥାରେ ତାର ହୃଦଘାତ ହୋଇଛି । ଯା’ ଫଳରେ ସେ ଏବେ ଭୂଲୋକ ଛାଡି ଭବଲୋକରେ ଯାହାକୁ ସେ ସ୍ବପ୍ନ ଭାବୁଛି । ବାସ୍ ଏତକ ଜାଣିଦେଲା ପରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି । ଭାରିଭାରି ଲାଗୁଥିବା ତା’ ମନ ହାଲୁକା ହୋଇଯାଇଛି । ମାୟାବନ୍ଧନର ରଜ୍ଜୁରୁ ମୁକୁଳିଯାଇ ଆତ୍ମସଚେତନ ହୋଇଛି । ଶେଷରେ ବାପା ତାଙ୍କ କର୍ତ୍ତବ୍ୟ ସାରି ମହର୍ଲୋକକୁ ଯାତ୍ରା ଆରମ୍ଭ କରିଛନ୍ତି । ପିତୃପୁରୁଷଙ୍କୁ ଆମେ ଫି’ ବର୍ଷ ଯେଉଁ ପିଣ୍ଡପାଣି ଦେଉ ତାର ପ୍ରତିଦାନରେ ସେମାନେ ନିଜ ସନ୍ତାନକୁ ସର୍ବଦା କର୍ତ୍ତବ୍ୟ ସଚେତନ କରିବାପାଇଁ ତତ୍ପର ଥା’ନ୍ତି, ସେଇକଥାକୁ ଗାଳ୍ପିକ ସୁଚେଇ ଦେଇଛନ୍ତି ।

ବେଳେବେଳେ ମଣିଷ ଏମିତି ଏକ ଶଙ୍କାଗ୍ରସ୍ତ ଅବସ୍ଥାରେ ଉପନୀତ ହୁଏ ଯେ ସେ ଅର୍ଜିଥିବା ସମସ୍ତ ବିଷୟବାସନା ତା’ପାଇଁ ତୁଚ୍ଛ ମନେହୁଏ । ମନ କୋଉଥିରେ ଲାଗେନି । ଭୋକ କି ନିଦ ହୁଏନି । ଏମିତି ଏକ ତ୍ରିଶଙ୍କୁ ଅବସ୍ଥାର ଓ ସେଥିରୁ ମୁକ୍ତିର ବାଟ ବତେଇଛନ୍ତି ଗାଳ୍ପିକ ‘ପୁନର୍ଜନ୍ମ’ରେ । ଧନ, ମାନ ଓ ସମ୍ମାନ କୋଉଥିରେ ଉଣା ନଥିଲେ ବି ଗଳ୍ପନାୟକକୁ ଜୀବନଟା କେମିତି ଗୋଟେ ଖାପଛଡା ଲାଗେ, ଅଳୀକ ଲାଗେ । ଏ ପରିବର୍ତ୍ତନକୁ ବାହାରେ କେହି ନଦେଖିଲେ ମଧ୍ୟ ନିଜ ଭିତରେ ସେ ଅନୁଭବ କରିପାରେ । ବାସ୍ ସେଥିରୁ ମୁକୁଳିବାର ପ୍ରଚେଷ୍ଟା ଆରମ୍ଭ ହୁଏ । ସ୍ମୃତିରେ ଭାସି ଉଠେ ଗୋଖେଇ ପଣ୍ଡା ଓ ତା’ ମାଆର କାହାଣୀ । ହଠାତ୍ ଜଟିଆ ବାବାଜୀଙ୍କ ଆବିର୍ଭାବ, ଶ୍ବେତ ବରାହଙ୍କ ଦର୍ଶନ, ମଶାଣୀ ଓ ମସିଣା ପ୍ରସଙ୍ଗ ଓ ଶେଷରେ ନିଜ ସମାଧି ଖୋଜୁଖୋଜୁ ଜୀବନର ଅନନ୍ତ ସତ୍ୟ ସହ ପରିଚୟ । ସ୍ବାଭାବିକ ଅବସ୍ଥାକୁ ଫେରିଆସିଛି ନାୟକ ।

‘ପୁଷ୍କର ପୁରୁଷ’ରେ ଗାଳ୍ପିକ ଆମ ପରମ୍ପରା, ମୃତ୍ୟୁ ଉପରାନ୍ତ କର୍ମକାଣ୍ଡ ସଂପର୍କିତ ଏକ ସୁନ୍ଦର ଆଖ୍ୟାନ । ପରଲୋକଗତ ପିତାଙ୍କ ପୁଷ୍କର ଦୋଷ ଛଡାଇବାକୁ ଯାଇ ପୁତ୍ରର ପ୍ରତିକାର, ବ୍ରାହ୍ମଣ ନାହାକ କ୍ରିୟାକର୍ମକାଣ୍ଡ, ଶେଷରେ ଶକ୍ତିଶାଳୀ ପୁଷ୍କର ପୁରୁଷ ପ୍ରେତ ଦେହ ଛାଡିଗଲାବେଳର ରୋଚକ ଘଟଣା ଆଖି ଝଲସାଇ ଦେଲାଭଳି । ଆମେ ନିଜକୁ ଯେତେ ଆଧୁନିକ ବୋଲି ଦେଖେଇ ହେଲେ ମଧ୍ୟ ଆମ ମୂଳ ଚେରଟି ଏବେ ବି ସେଇ ପୁରାତନ ପାରମ୍ପରିକ ମଞ୍ଜ ଭିତରେ । ଏକଥାକୁ ପ୍ରତ୍ୟକ୍ଷରେ ଯେତେ ଅସ୍ବୀକାର କଲେ ବି ଆମ ଅଲକ୍ଷ୍ୟରେ ଏମିତି ଘଟଣାଟିଏ ଘଟେ, ଯାହା ଆମକୁ ଠିକ୍ ସେଇଠି ନେଇ ପହଞ୍ଚାଇଦିଏ । ବୈଜ୍ଞାନିକ ଅନୁଶୀଳନ ସବୁବେଳେ ସବୁକ୍ଷେତ୍ରରେ ଆବଶ୍ୟକ ମନେହୁଏନି । ବାସ୍ ଲୋଡା କିଛି ବିଶ୍ବାସ ! ଏଇ ବିଶ୍ବାସ କେତେବେଳେ କାହାକୁ କୋଉଠି ପହଞ୍ଚେଇଦିଏ ତାର ବି ଇୟତ୍ତା ନାହିଁ । ନହେଲେ ‘କୋକେଇ’ ଗପରେ କୁଶ ମିଶ୍ରେ ଓରଫ ରେଡିମେଡ ନନାଙ୍କ କଥା ଦେଖାଯାଉ । ଯେଉଁଠି ବିଶିଷ୍ଟ ଫଳ ବ୍ୟବସାୟୀ ଗୋବିନ୍ଦ ଦାସର ମୃତ୍ୟୁ ପରେ ତା’ ପୁଅ ବାପାର ଅନ୍ତ୍ୟେଷ୍ଟିକୁ ଆହୁରି ଜାକଯମକରେ କରିବା ପାଇଁ ମନସ୍ଥ କରିଛି । କୁଳପୁରୋହିତ ବାଟ ବତେଇଛି । ଦାନ ଓ ଭୋଜନ ସହିତ ‘ମୃତ୍ୟୁଶଯ୍ୟାଦାନ’ ଭଳି ବିରଳ ଉପାୟ । ମୃତ ଆତ୍ମାକୁ ମହର୍ଲୋକରେ ଷାଠିଏ ସହସ୍ର ବର୍ଷ ଭୋଗ କରେଇବା ପାଇଁ ପୁଅ ଖୋଜିଲା ଆଉ ଗୋଟିଏ ବ୍ରାହ୍ମଣ ବାପ । ମିଳିଲା କିଏ ଦରିଦ୍ର କୁଶନ୍ନା । ଏଗାର କର୍ମଦିନ କୁଶନ୍ନା ଟଙ୍କା, ସୁନା ଦାନ ନେଇ ମୃତକର ଶଯ୍ୟାରେ ମଶାଣୀ ଭୂଇଁକୁ ଗଲା । ବର୍ଷେ କାଳ ନିଜ ତରିବାର ଓ ଜଜମାନର ମୁହଁକୁ ନଦେଖିବା ପାଇଁ ନିୟମରେ ବନ୍ଧା କୁଶନ୍ନାର କିନ୍ତୁ ଘଟିଛି ଭାବାନ୍ତର । ତା’ ଭିତରର ସେ କଉତୁକିଆ ସରଳିଆ ମଣିଷଟା ଗମ୍ଭୀର, ବିଷଣ୍ଣ ଓ ସଂସାର ବୈରାଗୀ ହୋଇ ଶ୍ମଶାନବାସୀ ପାଲଟିଛି । ସହଜ ବୋଲି ପ୍ରତେ କରି ତଥା ଦରିଦ୍ରପଣିଆରେ ଉଚ୍ଛନ୍ନ ହୋଇ ସେ ସିନା ରାଜି ହେଲା, ହେଲେ ସେ ପାଇଲା କ’ଣ । ଗାଳ୍ପିକ ଅତି ଚମତ୍କାର ଭାବେ ଆମ ଲୋକବିଶ୍ବାସ, ପରମ୍ପରା ଓ ତା’ ଭିତରେ ଲୁକ୍କାୟିତ ସମ୍ଭାବନା ଓ ଦୁର୍ଭାବନା, ଭଲ ଓ ମନ୍ଦକୁ ପରଖିଛନ୍ତି ଓ ତାକୁଇ ଚିତ୍ରାୟିତ କରିଛନ୍ତି ସମାନ୍ତରାଳ ଭାବେ ।

ବେଳେବେଳେ ମଣିଷ ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ଅକସ୍ମାତ୍ ଏମିତି ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହୁଏ ଯେ ଘଟଣାଗୁଡିକ ଗୋଟେ ପରେ ଗୋଟେ ଘଟି ଚାଲିଥିଲେ ମଧ୍ୟ ତା’ ମୂଳକୁ ପହଞ୍ଚିଲା ବେଳକୁ ବାସ୍ତବତା କିଛି ଅନ୍ୟ ପ୍ରକାରର ହୋଇଥାଏ । ଗାଳ୍ପିକ ସେମିତି ଏକ ଘଟଣାର ଅବତାରଣା କରିଛନ୍ତି ‘ଚନ୍ଦ୍ର ଗ୍ରହଣ’ରେ । ଗାଳ୍ପିକ ସୁଚେଇଛନ୍ତି ଯଦି ଏଭଳି ମହାଜାଗତିକ ଘଟଣାରେ ସମୁଦ୍ରରେ ଉଦବେଳନ ହେଉଛି ତେବେ ମଣଷର ଭାବନା ତରଙ୍ଗରେ କାହିଁକି ନୁହେଁ ? ବିଜ୍ଞାନ ଆଜି ବି ଅନେକ ଘଟଣାର ସତ୍ୟାସତ୍ୟରୁ ଯଥେଷ୍ଟ ଦୂରରେ । ଅସ୍ଥିର ଚିତ୍ତରେ ବୁଲୁବୁଲୁ ସେଦିନର ଚନ୍ଦ୍ର ଗ୍ରହଣ ନାୟକ ପାଇଁ ଆଣିଦେଇଛି ଏକ ଅଦ୍ଭୁତ ଭୌତିକ ପରିସ୍ଥିତି । ପାଠକକୁ ଏକ ଭିନ୍ନ ସ୍ବାଦ ଦେବାପାଇଁ ଗାଳ୍ପିକ ପ୍ରଥମେ ଏକ ଅନୁକୁଳ ପରିବେଶ ସୃଷ୍ଟି କରିଛନ୍ତି । ଯାହା ଏକ ସାର୍ଥକ ଗଳ୍ପ ପାଇଁ ନିହାତି ଲୋଡା । ବାସ୍ ଜଣେ ଅଜଣା ଅଶୁଣା ସୁନ୍ଦରୀ ମହିଳାଙ୍କ ସହ ନାୟକ ଯାଇଛି ମଶାଣୀ ଭିତରକୁ ବିଲକୁଲ ମୋହାଗ୍ରସ୍ତ ଅବସ୍ଥାରେ । ଅଘୋରୀ ବାବାଙ୍କ ସମାଧିର ଅନୁସନ୍ଧାନରେ ଦୁହେଁ ପାଦ ବଢେଇଛନ୍ତି । ଗ୍ରହଣକାଳୀନ ଲୋକବିଶ୍ବାସକୁ କେନ୍ଦ୍ର କରି ରଚିତ ଏଇ ଗଳ୍ପଟିରେ ଘଟିଛି ଅନେକ ଦୁର୍ଘଟଣା । ଦେଖାହୋଇଛି ରାଜେନ୍ଦ୍ରର ପ୍ରେତ ସହିତ ଯିଏ ଏପର୍ଯ୍ୟନ୍ତ ବି ଗଛରୁ ଝୁଲିରହିଛି । ପାର୍ଥିବ ମାୟାରୁ ସେ ନିଜକୁ ଏପର୍ଯ୍ୟନ୍ତ ବିଚ୍ଛିନ୍ନ କରିପାରିନି । ସେଥିପାଇଁ ତାର ଏ ଅବସ୍ଥା ! ମହିଳା ଓ ରାଜେନ୍ଦ୍ର ମଧ୍ୟରେ ଚାଲିଛି ଭୀଷଣ ତର୍କ । ନାୟକ ଆଶ୍ଚର୍ଯ୍ୟ, ଭୟରେ ଜଡସଡ । ମୋହ ତୁଟିଛି । ବାସ୍ତବତାକୁ ହୃଦୟଙ୍ଗମ କରି ମହିଳାଙ୍କୁ ଅନୁରୋଧ କରିଛି ମୁଖ୍ୟ ରାସ୍ତାରେ ଛାଡି ଦେବାପାଇଁ । କିନ୍ତୁ ମହିଳା ଜଣକର ପରିଚୟ ପଚାରିବାକୁ ଯାଇ ଉତ୍ତର ପାଇଛି ତା’ ପରଦିନ ସକାଳେ । ସେଇ ମଶାଣୀରେ ତା’ ପରଦିନ ନାୟକ ଦେଖିବାକୁ ପାଇଛି ଉକ୍ତ ମହିଳାଙ୍କୁ…କୋକେଇରେ…ମାନେ ମୃତା ଭାବରେ । ଅର୍ଥାତ୍ ଗତ ରାତିରେ ସେ ଯେଉଁ ମହିଳାଙ୍କ ସହ ଥିଲା ସେ ଯେ ପ୍ରକୃତରେ…….।

ପୁନର୍ଜନ୍ମ ତତ୍ତ୍ବକୁ ନେଇ ରଚିତ ଗଳ୍ପ ‘ଦୁଇ ନମ୍ବର ବଙ୍ଗଳା’ ପାଠକ ମନରେ ଆଲୋଡନ ସୃଷ୍ଟି କରିବାକୁ ସମର୍ଥ । ୧୯୫୨ ମସିହାରେ ମାଛକୁଣ୍ଡ ଭଳି ଏକ ଆରଣ୍ୟକ ସହରରେ ଆଣ୍ଡ୍ର୍ୟୁଜ ଓ ପିଟରଙ୍କ ଦୋସ୍ତି ଚର୍ଚ୍ଚାର ବିଷୟ ହୋଇଥାଏ । ପାହାଡ ଉପରେ ଦୁଇଟି ସୁଦୃଶ୍ୟ ବଙ୍ଗଳାରେ ଦୁହେଁ ରହୁଥିଲେ । ଆଣ୍ଡ୍ର୍ୟୁଜଙ୍କ ପତ୍ନୀ ରୋଜାଲିନ ଆସିବା ପରେ ଦୃଶ୍ୟପଟ୍ଟ ବଦଳେ । ପିଟର ସହିତ ରୋଜାଲିନର ଅବୈଧ ସଂପର୍କ ଗଢିଉଠେ । ଦୁହେଁ କୁଆଡେ ଲୁଚି ପଳେଇବାକୁ ଚେଷ୍ଟା କରୁଥିବାବେଳେ ହିଁ ଆଣ୍ଡ୍ର୍ୟୁଜର ଗୁଳିରେ ରୋଜାଲିନ ମୃତ୍ୟୁବରଣ କରେ ଓ ନିଜେ ଆଣ୍ଡ୍ର୍ୟୁଜ ବି । ମାତ୍ର ରୋଜାଲାନର ପ୍ରେତ କବଳିତ କରେ ଆଦିବାସୀ ଝିଅ କୁନିର ମନ, ଆତ୍ମା ଓ ଶରୀରକୁ । କୁନି ଖୋଜିବୁଲେ ତା’ ମନର ପ୍ରିୟତମଙ୍କୁ, ପିଟରକୁ । ତେବେ ଦୀର୍ଘଦିନ ପରେ ଘଟଣାର ଅବଲୀଳାକ୍ରମେ ମାଛକୁଣ୍ଡର ତହସିଲଦାର ବାବୁଙ୍କ ଝିଅ ବାହାଘରରେ ଯୋଗ ଦିଅନ୍ତି ସହରୀ ବାବୁଭାୟାଙ୍କ ଏକ ଛୋଟିଆ ଦଳ । ରୁହନ୍ତି ସେଇ ପାହାଡ ଉପର ବଙ୍ଗଳାରେ । ସେଇ କ୍ଷୁଦ୍ର ଅବଧି ଭିତରେ ଘଟିଛି ଭୌତିକ କାଣ୍ଡକାରଖାନା । ଫ୍ଲାସବ୍ୟାକରେ ରଚିତ ଏଇ ଗଳ୍ପଟି ପାଠକଙ୍କୁ ଆମୋଦିତ କରିବ ନିଶ୍ଚୟ । ‘ଶୂନ୍ୟଦେହୀ’ରେ ଦେବୁ ପ୍ରହରାଜର ଆତ୍ମା ଘୁରିବୁଲୁଛି । ତା” ଚିରପରିଚିତ ଆତ୍ମୀୟ ସ୍ବଜନ, ଘର ପରିବାର, ପତ୍ନୀପୁତ୍ରଙ୍କ ଛଡା ଯେଉଁ ମହିଳା ଗୋଷ୍ଠୀଙ୍କୁ ଆଜୀବନ ଶୋଷି ଚାଲିଥିଲା ସେଇମାନଙ୍କ ମନୋଭାବକୁ ପରଖି ଚାଲିଛି । ଠିକ୍ ଭୁଲର ଦ୍ବନ୍ଦ୍ବରେ ସନ୍ତୁଳି ହେଉଛି ତା’ ଆତ୍ମା । ସ୍ଥୁଳ ଜଗତର ମାୟାରୁ ନିଜକୁ ଅଲଗା କରିପାରୁନି କି ମହାକାଳଙ୍କ ନିର୍ଦ୍ଦେଶକୁ ବୁଝିପାରୁନି । ଶେଷରେ ଏକମାତ୍ର ପୁତ୍ରର ପିଣ୍ଡଦାନ ପରେ ସର୍ବନିୟନ୍ତାଙ୍କ ତା’ ପ୍ରତି ହୋଇଥିବା ଦଣ୍ଡବିଧାନକୁ ବୁଝିପାରି ପ୍ରାୟଶ୍ଚିତର ଅଗ୍ନିରେ ନିଜକୁ ଦଗ୍ଧ କରିଛି ।

‘ସତ ହେଲେ ବି ଗପ’ ଓ ‘ନାକା ତିଆଡି ବିଷୟରେ ରଚନା’ ଗପ ଦୁଇଟିର ଆଙ୍ଗିକ ପରିପାଟୀ ଖୁବ୍ ମନଛୁଆଁ । ବସ୍ତୁବାଦୀ ଦୁନିଆରେ ମଣିଷ ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ନେଇ ବିଭୋର ଥିଲାବେଳେ ତା’ ଚାରିପଟେ ଘଟି ଯାଉଥିବା ଘଟଣା ପ୍ରତି ତାର ସେମିତି କିଛି ଖାସ୍ ନଜର ନଥାଏ । ଦୁଇ ଝିଅ ଜୋଇଁଙ୍କ ଅତ୍ୟାଚାର ଓ ଆଉ ଗୋଟେ ବଢିଲା ଝିଅର ଦାୟିତ୍ବ ସାମନ୍ତର ଅନ୍ତରାତ୍ମାକୁ ବିଚଳିତ କରିଦେଇଛି । ମୃତ୍ୟୁପରେ ବି ସେ ନିଜର ଅନ୍ତରଙ୍ଗ ବନ୍ଧୁ ସହିତ ମର୍ଣିଙ୍ଗ ୱାକରେ ଯୋଗଦେଇଛି । ସେହିପରି ଗ୍ରହଣ ଖଣ୍ଡିଆ ନାକା ତିଆଡି ମୃତ୍ୟୁର ଦଶଦିନ ପରେ ବି ଦେଖା ଦେଇଛି ଆଉ ଗାଉଁଗାଉଁ ହାଉଁହାଉଁ ହେଇ ଝୁମୁରୁ ଗାଈର ଠିକଣା ବତେଇ ଦେଇଛି । ଘଟଣା ଦୁଇଟି ଆପଣଙ୍କୁ ସତ ଲାଗିପାରେ ଗପ ବି ଲାଗିପାରେ । ଅର୍ଥାତ୍ ସତ ହେଲେ ବି ଗପ ଅଥଚ ଗପ ହେଲେ ବି ସତ । ଗପଗୁଡିକରେ ଗ୍ରାମ୍ୟ ଚଳଣୀ ଓ ତତ୍କାଳୀନ ପରିବେଶର ଚାକ୍ଷୁଷ ବର୍ଣ୍ଣନା, ଆଞ୍ଚଳିକ ଭାଷାର ପ୍ରୟୋଗ ସର୍ବୋପରି ଭାରତୀୟ ଶୂନ୍ୟବାଦ, ଲୋକପରଲୋକ ତତ୍ତ୍ବ ତଥା ରୋମାଞ୍ଚକର ପରିକଳ୍ପନା ଅଗଣିତ ନିତ୍ୟାନନ୍ଦ ପ୍ରେମୀ ପାଠକଙ୍କୁ ଅଫୁରନ୍ତ ଆନନ୍ଦ ଆଣିଦେବ ।

‘ଗଙ୍ଗାଘାଟ’ ଆମ ପରମ୍ପରା ଓ ଲୋକବିଶ୍ବାସ ଆଧାରିତ ଏକ ସୁନ୍ଦର ଗଳ୍ପ । ଗଙ୍ଗା ତ କେବଳ ଏକ ନଦୀ ନୁହନ୍ତି ବରଂ ବିଗତ ଶହଶହ ବର୍ଷ ଆମ ଧାର୍ମିକ ଓ ସାଂସ୍କୃତିକ ଚିନ୍ତାଧାରାକୁ ରୁଦ୍ଧିମନ୍ତ କରିମନ୍ତ କରିଥିବା ଜଣେ ସ୍ରୋତସ୍ବିନୀ ପୁଣ୍ୟତୋୟା । ତାଙ୍କୁ ନେଇ ଅନେକ କାହାଣୀ, କବିତା, କିମ୍ବଦନ୍ତୀ, ପୁରାଣ ଓ ଆଖ୍ୟାୟିକା । ଏଠି ଅସ୍ଥି ବିସର୍ଜନ କଲେ ଆମ ପୂର୍ବପୁରଷଙ୍କ ମୋକ୍ଷପ୍ରାପ୍ତି ହୁଏ । ଏଇ ବିଶ୍ବାସ ହିଁ ଗଙ୍ଗା ଓ ତାଙ୍କ ମହାତ୍ମ୍ୟକୁ ଜନମାନସରେ ପ୍ରତିଷ୍ଠିତ କରିଛି । ସେଇଭଳି ପିତୃବିୟୋଗଜନିତ ଅବସାଦଗ୍ରସ୍ତ ଜଣେ ସନ୍ତାନର ମାନସିକ ଦ୍ବନ୍ଦ୍ବକୁ ଗାଳ୍ପିକ ତଉଲିଛନ୍ତି ‘ଗଙ୍ଗାଘାଟ’ରେ । ସଂକଳନସ୍ଥ ଏକ ଚମତ୍କାର ଗଳ୍ପ ହେଲା ‘ପଦ୍ମବନ’ । ଯେଉଁଥିରେ ଗାଳ୍ପିକ ପ୍ରାରବ୍ଧ, ପୁନର୍ଜନ୍ମ, ପିଣ୍ଡବ୍ରହ୍ମାଣ୍ତ ତତ୍ତ୍ବ, ଶରୀରଭେଦ ତତ୍ତ୍ବ ସର୍ବୋପରି ଈଶ୍ବରୀୟ ଅଭୀପ୍ସାକୁ ନେଇ ବ୍ୟାପକ ପରୀକ୍ଷାନିରୀକ୍ଷା କରିଛନ୍ତି । ମାତୃଗର୍ଭରେ ଭ୍ରୁଣ ସଞ୍ଚାର ଠାରୁ ଆରମ୍ଭ କରି ଭୂମିଷ୍ଠ ହେବା ପର୍ଯ୍ୟନ୍ତ ମନୁଷ୍ୟ ଜୀବନର ଏଇ ଗୁରୁତ୍ବପୂର୍ଣ୍ଣ ଅଥଚ ରହସ୍ୟମୟ ସ୍ବଳ୍ପଜ୍ଞାତ ଘଟଣାବଳୀକୁ ଗାଳ୍ପିକ ଅତ୍ୟନ୍ତ ମନୋଜ୍ଞ ଢଙ୍ଗରେ ଉପସ୍ଥାପନ କରିଛନ୍ତି । ସଂକଳନର ଏହା ଏକ ପ୍ରତିନିଧିସ୍ଥାନୀୟ ଗଳ୍ପ ।

ସେହିପରି ‘ଏକ ବିରଳ ସନ୍ଧ୍ୟାର କାହାଣୀ’ରେ ପ୍ରେମିକ ସୁରେନ୍ଦ୍ର ତାର ପରଲୋକଗତା ପ୍ରେମିକାକୁ ଖୋଜୁଛି ଅଗନାଅଗନି ବିଲ ମାଳରେ, ଧୂଆଁଳିଆ କୁହୁଡି ଭିତରେ, ମୁହଁ ସଞ୍ଜରେ ଆଉ ତା’ ହୃଦୟର ଅସରନ୍ତି କୋହରେ….ମୋହରେ…..। ମୃତ୍ୟୁ ପରେ ବି ମଣିଷର ଦାୟିତ୍ବ ସରିଯାଏନି । ଏମିତିରେ ଦେଖିବାକୁ ଗଲେ ଜନ୍ମଠୀଁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ଖାଲି କାମ ଆଉ କାମ । ବୈତରଣୀ ପୋଲ ତିଆରି ସରିଛି । ତା’ ପୂର୍ବରୁ ଦୁର୍ଘଟଣା ଘଟି ନଈବଢିରେ ଶହଶହ ଲୋକଙ୍କ ଜଳସମାଧି ହୋଇଛି । ‘ମଣିଷ ପିଠିରେ ସେତୁ’ ଗଢାହୋଇଛି । ପୋଲ ତଳେ ଚାପି ହୋଇଯାଇଛି ଶହଶହ ଲୋକଙ୍କ ଆଶା, ଆକାଂକ୍ଷା, ଯନ୍ତ୍ରଣା, ଜୀବନର ସବୁ ହିସାବ ନିକାଶ । ସେଇ ଭିତରୁ ପଦବାବୁ ବି ଜଣେ । ଗୋବିନ୍ଦ ସ୍ବାଇଁଠୁ ଶହେ ଟଙ୍କା ନେଇଛନ୍ତି ତାର ଜମି ଖତିୟାନ ବାହାର କରିଦେବା ପାଇଁ । ହେଲେ ନିଉଛୁଣା ସମୟ ଅଣ୍ଟିଲାନି । ଡଙ୍ଗା ଓଲଟି ପଦବାବୁ ଆଜି ପରଲୋକରେ । ହେଲେ ତାଙ୍କ ଶେଷ କାମଟି ଯେ ଏପର୍ଯ୍ୟନ୍ତ ଅଧୁରା । ସେ ଖୋଜିଖୋଜି ଶେଷରେ ସେ ଠିକଣା ଲୋକଟିକୁ ଠାବ କରିଛନ୍ତି । ଧରେଇ ଦେଇଛନ୍ତି ‘ଖତିୟାନ’ କାଗଜ ଖଣ୍ଡିକ । ଜଞ୍ଜାଳ ସରିଛି । ପଦବାବୁ ମୁକ୍ତ । ଗୋବିନ୍ଦ ବି ଖୁସି । ମାତ୍ର ସତରେ ଏସବୁ କେମିତି ସମ୍ଭବ ହେଲା ! ବେଳେବେଳେ ଏମିତି ଅସମ୍ଭବ ସମ୍ଭବ ହୁଏ । ହୁଏତ ବିଜ୍ଞାନ ପାଖରେ ଏହାର ଉତ୍ତର ନଥାଇପାରେ । ତଥାପି ସ୍ଥୁଳଜଗତ ଭଳି ଆମ ଅଦେଖା ସୂକ୍ଷ୍ମଜଗତରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ହଇଚଇ ଚାଲିଛି ତାହା ହିଁ ଏ ଗପ ଆମକୁ ସୁଚେଇଦିଏ । ଆମ ବିଶ୍ବାସ ଓ ପରମ୍ପରାକୁ ନେଇ “ଲୌକିକ ପାରଲୌକିକ”ରେ ଗାଳ୍ପିକ ନିତ୍ୟାନନ୍ଦ ପଣ୍ଡାଙ୍କ ଅନନ୍ୟ ଗଳ୍ପକାରିତାକୁ ପାଠକ ଅନବରତ ଅନୁଭବ କରିବ । ଚରିତ୍ରମାନଙ୍କ ବିଷୟରେ କହୁକହୁ କେବେ ନିଜେ ଚରିତ୍ର ପାଲଟିଛନ୍ତି ତ କେବେ ଅତି ଅନ୍ତରଙ୍ଗ ଭାବେ ସେମାନଙ୍କ ଅନ୍ତରାତ୍ମା ନିକଟ ଦେଇ ଚାଲି ଯାଇଛନ୍ତି । ଯାଜପୁର, ବୈତରଣୀ, ଦଶାଶ୍ବମେଧ ଘାଟ ଭଳି ବହୁ ପରିଚିତ ସ୍ଥାନ ହିଁ ତାଙ୍କ ଗଳ୍ପର କେନ୍ଦ୍ରବିନ୍ଦୁ, ତାଙ୍କ ଗଳ୍ପର ଅଧିକାଂଶ ଚରିତ୍ରଙ୍କ ଚରାଭୂଇଁ । ସେସବୁ ବର୍ଣ୍ଣନାବେଳେ ଗାଳ୍ପିକ ଯେଉଁ ସ୍ଥାନୀୟ ଲୋକଭାଷାର ପ୍ରୟୋଗ କରିଛନ୍ତି ତାହା ଯେପରି ମନ୍ମୟ ସେପରି ପାତ୍ରୋପଯୋଗୀ । ଅତଏବ ସଂକଳଟିର ବହୁଳ ପାଠକୀୟତା ଆଶା କରାଯାଏ ।

୭୩୭୭୮୮୯୯୧୬
ପୁରୀ

Comments are closed.