Latest Odisha News

ପଢ଼ିବାର ଆକର୍ଷଣ ମତେ ଲେଖିବାକୁ ପ୍ରେରିତ କରିଛି : ସିପୁନୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶା ତଥା ଓଡ଼ିଶା ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭାସିପୁନୁ ଜେନାଙ୍କ ସହ ‘ସ୍ୱଳ୍ପ ଆଳାପ

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ଛୋଟବେଳୁ ପଢା ବହିର ଗପ କବିତା ପଢିଲେ କାହିଁକି କେଜାଣି ବାରମ୍ବାର ପଢିବାକୁ ଇଚ୍ଛା ହେଉଥିଲା । କାହା ପାଖରେ କିଛି ବହି ପାଇଲେ ସେଗୁଡିକୁ ପଢିବାର ଲୋଭ ମୋ ମନରେ ସବୁବେଳେ ରହିଥିଲା ।ଖବରକାଗଜ ଓ ପ୍ରଜାତନ୍ତ୍ର ସାପ୍ତାହିକରେ ଗପ କବିତା ପଢିବାକୁ ପାଉଥିଲି । ସେସବୁ ପଢିବାର ଆକର୍ଷଣ ବୋଧେ ମୋତେ ପରବର୍ତ୍ତୀ ସମୟରେ ଲେଖିବାକୁ ପ୍ରେରିତ କରିଛି । ହାଇସ୍କୁଲ୍ ସମୟରେ ବେଳେବେଳେ ଲୁଚେଇ ଲୁଚେଇ କବିତା ଲେଖିଥିଲି । କିନ୍ତୁ ସେତେବେଳେ କିଛି ଜଣା ନଥିଲା ମୋତେ । କେମିତି କୋଉଠି ପ୍ରକାଶ ପାଏ !

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ପ୍ରଥମ ପ୍ରକାଶିତ କବିତା ହିନ୍ଦୀ କବିତା ଥିଲା । ୨୦୦୭ ମସିହା ଅକ୍ଟୋବର ବେଳକୁ ହିନ୍ଦୀ ଖବର କାଗଜ “ପ୍ରଭାତ ଖବର”ରେ “ମମତା କୀ ସାଗର” ଶୀର୍ଷକରେ କବିତାଟି ପ୍ରକାଶ ପାଇଥିଲା । କେବେ ପ୍ରକାଶ ପାଇବ ସେ ଆଶାରେ ପଠେଇ ନଥିଲି । ଖବର କାଗଜର ସେଇ କବିତା ପୃଷ୍ଠାରେ ଥିବା ଠିକଣା ଅନୁସାରେ ଗୋଟେ ପୋଷ୍ଟ କାର୍ଡ ସାହାଯ୍ୟରେ କବିତାଟି ଲେଖି ପଠେଇଥିଲି । ପଠେଇବାର ୨ ସପ୍ତାହ ପରେ ଦେଖିଲି ମୋ କବିତା ବାହାରିଛି । ଖୁସିରେ ପାଦ ତଳେ ଲାଗୁ ନଥିଲା । ମୋ ସାଙ୍ଗ ସାଥି ସମସ୍ତଙ୍କୁ ଦେଖେଇଥିଲି । ମୋ ନାଁ ଓ ଠିକଣା ସହିତ କବିତାଟି ପ୍ରକାଶ ପାଇଲା ପରେ ମୋ ମନରେ ଅନେକ ଉତ୍ସାହ ଭରି ଯାଇଥିଲା । ତା’ ପରେ କିଛି କିଛି ନିୟମିତ ଲେଖିଲି । ୨୦୦୮ ମସିହାରେ କୋଲକାତାରୁ ପ୍ରକାଶିତ ପତ୍ରିକା “ଅଭିଯାନ” ବିଷୁବ ସଂଖ୍ୟାରେ ମୋର ପ୍ରଥମ ଓଡ଼ିଆ କବିତା “ମାତୃତ୍ୱ ଅବମାନନା” ପ୍ରକାଶ ପାଇଥିଲା । ସେବେଠାରୁ ଲେଖିବା ପାଇଁ ମନରେ ଆଗ୍ରହ ବଳିଲା । ଛପା ଅକ୍ଷରରେ ନିଜ ନାଁ ଓ ଠିକଣା ଦେଖିବାର ଲୋଭ ହିଁ ମୋତେ ଲେଖିବା ପାଇଁ ପ୍ରେରିତ କରିଥିଲା । ଆଜି ବି ସେଇ ଛପା ଅକ୍ଷରରେ ଅନ୍ୟମାନଙ୍କ ଭିତରେ ନିଜକୁ ଦେଖିଲେ ଖୁସି ଲାଗେ ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସମାଜରେ ଯେଉଁ ଘଟଣା ମୋତେ ଅଧିକ ବ୍ୟଥିତ କରେ ସେଇ କଥା ହିଁ ମୋ ଲେଖାରେ ଆପେ ଆପେ ଆସିଥାଏ । ସୁସଂଗଠିତ ସମାଜ ପାଇଁ ଯଦି କିଛି ବ୍ୟତିକ୍ରମ ଦୃଷ୍ଟିକୁ ଆସେ ତାହା ମୋ ରଚନା ପରିସରକୁ ଚାଲିଆସେ । ଯେଉଁ ଘଟଣା ବା କାର୍ଯ୍ୟ ଆମ ସମାଜର ତଥା ଆମ ବ୍ୟକ୍ତିଗତ ଜୀବନରେ କ୍ଷତି କରେ ତା’କୁ ନକରିବା ପାଇଁ ବାରଣ ସତ୍ତ୍ୱେ ମଣିଷ ତାହା ହିଁ କରିଥାଏ । କ୍ଷଣିକ ଉଦ୍ଦମତାରେ ଅନେକ ଭୁଲ୍ ନିଣ୍ଣୟ ଆମର ଅନେକ କ୍ଷତି କରିଥାଏ । ଅନେକ କଥା କହିବାକୁ ଚାହିଁ ମଧ୍ୟ ବେଳେବେଳେ ଅନେକ କଥା କହିହୁଏନି । ତଥାପି ମଣିଷର ଦୁଃଖ, ଯନ୍ତ୍ରଣା, ପ୍ରେମ,ପ୍ରତାରଣା, ଅନ୍ୟାୟ, ଅନୀତି ଦେଖିଲେ ମୋ ରଚନାର ଅନ୍ତର୍ଭୁକ୍ତ ହେଇଯାଆନ୍ତି ।

 

ତାଙ୍କ ରଚନାରୁ କବିତା : ଗୋଟେ ସକାଳ ପାଇଁ

ଗୋଟେ ସକାଳ ପାଇଁ ସବୁ ଅପେକ୍ଷା
ପୂର୍ଣ୍ଣତାର ଗୋଟିଏ ମୁହୂର୍ତ୍ତ
କେବେ ଶୂନ୍ୟତାର ପିଞ୍ଜରା ଭିତରେ
ଅଧା ଅଧୁରା ଜୀବନ ନକ୍ସା ।

ଗୋଟେ ସକାଳ ପାଇଁ
ଏଠି ପୃଥିବୀଟା ଲାଗେ ରଙ୍ଗୀନ୍ ତ
ପୁଣି କାହା ପାଇଁ ଧୂସର ମଳିନ
ଚିର ସବୁଜ ମୁହୂର୍ତ୍ତମାନେ
କରାନ୍ତି ଅସ୍ତବ୍ୟସ୍ତ ।

ପକ୍ଷୀମାନେ ଗାଇପାରନ୍ତି ଗୀତ
ନୂଆ କଳ୍ପନାର ଫୁଲ ଗାଲିଚାରେ
ପରିଚୟ ଖୋଜୁ ଖୋଜୁ
ସମୟକୁ ପାଚେରୀ କରିଦିଏ
ଆଉ ଗୋଟେ ଅପେକ୍ଷାର ଅୟମାରମ୍ଭ ।

କିଏ ସଜେଇ ପାରେ
ନିଜ ପାଇଁ ସ୍ୱପ୍ନ
କିଏ ଭାଙ୍ଗିପାରେ ସଜଡ଼ା ଜୀବନ
ସୂର୍ଯ୍ୟାଲୋକ ମାଟିକୁ ଛୁଇଁବା ଆଗରୁ
ଦି’ ପାଦ ଆଗରେ ମାଟିମୋହ !

ଗୋଟେ ସକାଳ ପାଇଁ
ସଜ ହେଇପାରେ ରାତିର ନିଦ
ହଜିପାରେ ଦିନର ସୂର୍ଯ୍ୟ
କଅଁଳ ମନରେ ଲାଗିପାରେ ନିଆଁ
ମରିପାରେ ସବୁ ଦେହର ଭୋକ ।

ଗୋଟେ ସକାଳ ପାଇଁ
କଂସେ ପଖାଳ ଲୋଡ଼ା
ଖଟା, ପିଆଜ ସଂସାର ବି ନାଚିଉଠେ
ଲମ୍ବା ରାସ୍ତା ଚାଲିବା ଝୁଙ୍କରେ
କୁହୁଡ଼ି ସେପାଖେ ବି ଥାଏ ପୁନର୍ଜନ୍ମ !

ସକାଳଟେ ଖୋଜିବା କ’ଣ ଏତେ ସହଜ?
ଯାନ୍ତ୍ରିକ ମଣିଷ ଆଉ ଧରା ଦିଏନି
ଅନ୍ଧାରୀ ଗଳି ଭିଡ଼ରେ
କୃତ୍ରିମ ସମୟ ମାଡ଼ରେ
ସବୁ ଛିନଛତ୍ର ଏପାଖ ସେପାଖ
କୋଳେଇବାକୁ ଆପଣାପଣ ।

Comments are closed.