Latest Odisha News

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ କରୁ ହେଲେ ଆମ ଭିତରୁ ଅନେକ ଭୁଲି ଯାଉ କିଭଳି କଷ୍ଟ ଓ ଯନ୍ତ୍ରଣା ସହି ଆମର ପୂର୍ବଜମାନେ ଦେଶକୁ ସ୍ୱାଧୀନ କରିଛନ୍ତି, କେତେ ବଳିଦାନ ଦେଇଛନ୍ତି । ଏହି ସ୍ୱାଧୀନତା ପାଇବା ପାଇଁ କେତେ ଯେ ରକ୍ତ ବୋହିଥିଲା ତାର ହିସାବ ଇତିହାସ ପାଖରେ ନାହିଁ ।

ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଚକ ତଳେ ପେଶି ହେଉଥିବା ଦେଶବାସୀ ଆଜି ଦିନରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ବର୍ଷର ଇତିହାସ ସବୁଦିନ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୧୯୪୭ ଅଗଷ୍ଟ ୧୩-୧୪ ତାରିଖ ମଧ୍ୟ ରାତ୍ରରେ ଭାରତ ବିଦେଶୀ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କରିଥିଲା । ସ୍ୱାଧୀନତା ପାଇଁ ଭାରତର ସଂଘର୍ଷର ଯାତ୍ରା ବେଶ ସୁଦୀର୍ଘ ।

ତେବେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନେତାଜୀ ସୁଭାଷ ବୋଷଙ୍କ ଠାରୁ ଆରମ୍ଭ କରି ଝାନ୍ସିର ରାଣୀ ଲକ୍ଷ୍ମୀବାଇଙ୍କ ପର୍ଯ୍ୟନ୍ତ ଅନେକ ସଂଗ୍ରାମୀ ଏହି ସ୍ଵାଧୀନତା ପାଇଁ ସଙ୍ଘର୍ଷ କରିଥିଲେ। ଦେଶର କୋଣ ଅନୁକୋଣ, ସବୁଠି ଜାଗି ଉଠିଥିଲା ସ୍ଵାଧୀନତା ହାସଲ କରିବାର ଅଦମ୍ୟ ସାହସ । ଅନେକ ଭାରତୀୟ ଯେମିତିକି ବାଜିରାଓଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂଙ୍କ ପର୍ଯ୍ୟନ୍ତ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଦେଲେ। ଅନେକ ସଂଘର୍ଷ ପରେ ଯାଇ ସ୍ଵାଧୀନତା ପାଇଥିଲା ଭାରତ। ତେବେ ଭାରତ ସ୍ୱାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ । ଯାହାକୁ “Tryst of Destiny” ନାଁରେ ଜଣାଯାଏ । ଏହାବାଦ ସ୍ୱାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ। ପ୍ରତି ବର୍ଷ ଏହି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ନିଜ ଭାଷଣ ରଖିଥାନ୍ତି।

ଖୁବ କମ ଲୋକ ହୁଏତ ଜାଣିଥିବେ ଯେ ନେହେରୁ ୧୯୪୭ ମସିହା ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟର ସୀମା ନିର୍ଦ୍ଧାରଣ ବି ଅଗଷ୍ଟ ୧୫ ନୁହେଁ ବରଂ ୧୭ ତାରିଖରେ ହୋଇଥିଲା। ବ୍ରିଟିଶ ହାଉସ ଅଫ କମନ୍ସରେ “ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ” ବିଲ ୧୯୪୭ ମସିହା ଜୁଲାଇ ୪ ତାରିଖରେ ପାରିତ ହୋଇଥିଲା । ଯେଉଁଥିରେ ଅଖଣ୍ଡ ଭାରତର ବିଭାଜନ ଓ ନୂତନ ପାକିସ୍ତାନ ଗଠନ ନେଇ ପ୍ରସ୍ତାବ ରଖା ଯାଇଥିଲା । ଏହି ବିଲ ସେହି ମାସ ୧୮ ତାରିଖରେ ସ୍ୱୀକୃତି ଲାଭ କରିଥିବା ବେଳେ ୧୪-୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ବର୍ଷ ବର୍ଷ ଧରି ଚାତକ ପରି ଅପେକ୍ଷା କରିଥିବା ଏହି ଶୁଭ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ସାମିଲ ହୋଇ ପାରିନଥିଲେ। କାରଣ ସେହି ସମୟରେ ବାପୁଜୀ ପଶ୍ଚିମବଙ୍ଗର ନୋଆଖାଲି ଠାରେ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଉପୁଜିଥିବା ସାମ୍ପ୍ରଦାୟିକ ହିଂସାକୁ ଥମାଇବା ଉଦ୍ଦେଶ୍ୟରେ ଅନଶନ ଜାରି ରଖିଥିଲେ।

ତେବେ କଣ ଆପଣ ଜାଣନ୍ତିକି, ଦେଶ ସ୍ୱାଧୀନତା ଲାଭ କରିବା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ କାହିଁକି ବଛା ଯାଇଥିଲା ? ଏନେଇ ଅବଶ୍ୟ ଐତିହାସିକମାନେ ଭିନ୍ନ ଭିନ୍ନ ମତ ରଖନ୍ତି। କେତେକଙ୍କ ଅନୁଯାୟୀ ସି. ରାଜ ଗୋପାଳଚାରୀଙ୍କ ପରାମର୍ଶରେ ହିଁ ଲର୍ଡ଼ ମାଉନ୍ଟବ୍ୟାଟେନ ଅଗଷ୍ଟ ୧୫ ତାରିଖକୁ ସ୍ୱତନ୍ତ୍ରତା ପାଇଁ ବାଛିଥିଲେ। ଆଉ କେତେ ଜଣଙ୍କ ଅନୁଯାୟୀ ଲର୍ଡ ମାଉନ୍ଟବ୍ୟାଟେନ ଅଗଷ୍ଟ ୧୫କୁ ଖୁବ ଶୁଭ ମାନୁଥିଲେ। ସେହି ସମୟରେ ହିଁ ମାଉନ୍ଟବ୍ୟାଟେନ ଅଲ୍ଲିଡ଼ ଫୋରସେଜର କମାଣ୍ଡର ଦାୟିତ୍ୱରେ ଥିଲେ  ତେବେ ଏହା ପଛରେ ଯେକୌଣସି କାରଣ ଥାଉ କି ନଥାଉ ଶେଷରେ ଇଂରେଜ ଶାସନ ହାତରୁ ଆମେ ମୁକ୍ତ ହୋଇଥିଲେ। ସ୍ୱାଧୀନ ହୋଇଥିଲା ଆମ ଦେଶ ଭାରତ। ଫେରି ପାଇଥିଲା ନିଜ ପରିଚୟ। ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଗଷ୍ଟ ୧୫ ତାରିଖ।

Leave A Reply

Your email address will not be published.