Latest Odisha News

BREAKING NEWS

କଂଗ୍ରେସକୁ ଫେରିବେ ନିଲମ୍ବିତ ନେତା ଓ ଦଳ ଛାଡିଥିବା ନେତା, ଦିଲ୍ଲୀରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ରାଜ୍ଯରେ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଘଣି ହେଉଥିବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ ଏବେ ନିଜକୁ ଆହୁରି ମଜବୁତ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାେଜନା କରୁଛି। ତେଣୁ ଦଳ ଛାଡିଥିବା ନେତା ଏବଂ ନିଲମ୍ବିତ ନେତାଙ୍କୁ ଦଳକୁ କିଭଳି ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ରାଜ୍ୟର କିଛି ବରିଷ୍ଠ ନେତା ଏ ନେଇ ଦଳର ଶୀର୍ଷ ନେତାଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି।

ଦଳ ଛାଡିଥିବା ନେତାଙ୍କ ମଧ୍ୟରେ ଗିରିଧର ଗମାଙ୍ଗ, ପୁଅ ଶୀଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗଙ୍କ ନାମ ରହିଛି। ସେହିପରି ନିକଟରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ମଧ୍ୟ ଖୁବଶୀଘ୍ର ଦଳକୁ ଫେରିବେ ବୋଲି ଆଲୋଚନା ଚାଲିଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଦଳକୁ ଫେରାଇ ଆଣିବାକୁ ଏବଂ ତାଙ୍କ ବିରୋଧରେ ଲାଗିଥିବା ଆଦେଶକୁ ପ୍ରତ୍ୟାହାର କରିବାକୁ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ ଲବି ଆରମ୍ଭ ହୋଇଥିବା ସୂଚନା ରହିଛି।

ସେହିପରି କଂଗ୍ରେସକୁ ଫେରିବା ନେଇ ପୂର୍ବତନ ବିଜେଡି ସାଂସଦ ତଥା ଏବେର ବିଆରଏସ ନେତା ଜୟରାମ ପାଙ୍ଗୀ କହିଛନ୍ତି, ତାଙ୍କ ବାପା କଂଗ୍ରେସରେ ଥିଲେ। ଯଦିଓ ସେ ଏବେ ଦଳରେ ନାହାନ୍ତି କିନ୍ତୁ ଦଳକୁ ଫେରିବା ପାଇଁ ତାଙ୍କର ଇଚ୍ଛା ଅଛି। ବିଜେଡି ଏବେ ସଚିବ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ବୋଲି କହି ସମାଲୋଚନା କରିଛନ୍ତି। କଂଗ୍ରେସରେ ଯୋଗ ଦେବା ନେଇ ସେ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ସହ ସେ କଥା ହୋଇଛନ୍ତି ବୋଲି କହିଛନ୍ତି।

ସେହିପରି କୃଷ୍ଣ ସଗରିଆ କହିଛନ୍ତି, ସେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ୨୦୧୪ରେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇନପାରିବାରେ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ଆଣି ନିଜେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଏସପିରେ ଯୋଗ ଦେଇଥିଲେ। ଏବେ ସେ କଂଗ୍ରେସରେ ଯୋଗ ଦେବାକୁ ଇଚ୍ଛୁକ ବୋଲି କହିବା ସହିତ ଅଗଷ୍ଟ ଶେଷ ସୁଦ୍ଧା ସେ ଦଳକୁ ଫେରିବେ ବୋଲି ଆଶା ରଖିଥିବା କହିଛନ୍ତି।

ପିିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ପୂର୍ବରୁ ଦଳ କିଭଳି ମଜବୁତ ହେବ ସେ ନେଇ ଗୁରୁତ୍ବ ଦିଆଯାଉଛି। ଆସନ୍ତା ୧୮ ତାରିଖରେ କଂଗ୍ରେସ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ ବୋଲି କହିଛନ୍ତି।

Comments are closed.