Latest Odisha News

BREAKING NEWS

Odisha Assembly: ବିଧାନସଭାରେ ତୃତୀୟ ଦିନରେ ବି ଅଚଳାବସ୍ଥା! ମାତ୍ର ୧୦ ମିନିଟ୍ ଚାଲିଲା ପ୍ରଶ୍ନକାଳ, ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ…

ଭୁବନେଶ୍ବର: ପୁଣି ତୃତୀୟ ଦିନରେ ଅଚଳ ଓଡ଼ିଶା ବିଧାନସଭା। ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନାହିଁ। ବନ୍ୟା ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ ପରିଚାଳନାକୁ ନେଇ ବିଜେଡି ଏବଂ କୋଟିଆ ସୀମା ବିବାଦକୁ ନେଇ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଶୁକ୍ରବାର ମାତ୍ର ୧୦ ମିନିଟ୍ ଚାଲିଥିଲା ପ୍ରଶ୍ନକାଳ। ପରେ ପରିସ୍ଥିତି ସ୍ୱାଭାବିକ ନହେବାରୁ ବାଚସ୍ପତି ଗୃହକୁ ସୋମବାର, ନଭେମ୍ବର ୨୩ ତାରିଖ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ନାରାବାଜି ସହ ସେମାନେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକମାନେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟରେ ପ୍ରଶାସନିକ ବିଫଳତା ଅଭିଯୋଗ କରିଥିଲେ। ପ୍ରଭାବିତ ଲୋକଙ୍କୁ ଠିକ୍ ସମୟରେ ପର୍ଯ୍ୟାପ୍ତ ସହାୟତା ମିଳୁନଥିବା ନେଇ ସରକାରଙ୍କୁ ଘେରିଥିଲେ।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା ବନ୍ୟା ସ୍ଥିତି ଉପରେ ଆଲୋଚନା ପାଇଁ ଗୃହର ଅନ୍ୟ ସମସ୍ତ କାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଧାୟକମାନେ ଗ୍ରାଉଣ୍ଡ ଜିରୋରେ ରହି ଲୋକଙ୍କ ସମସ୍ୟା ବୁଝିବା ଏବଂ ସେମାନଙ୍କ ପାଖରେ ଠିଆ ହେବା ଜରୁରୀ ବୋଲି ସେ ମତ ରଖିଥିଲେ। ଏଥିପାଇଁ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କୁ ନୋଟିସ୍ ଦିଆଯାଇଥିବା ମଧ୍ୟ ସେ କହିଥିଲେ।

ଅନ୍ୟପଟେ କଂଗ୍ରେସ ବିଧାୟକମାନେ ଦୀର୍ଘଦିନର କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠାଇ ଏହା ଉପରେ ଗୃହରେ ତୁରନ୍ତ ଏବଂ ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରିଥିଲେ।

ବିରୋଧୀ ବିଧାୟକମାନେ ନିଜ ନିଜ ଆସନକୁ ଫେରିବାକୁ ରାଜି ନହେବାରୁ ପ୍ରଥମେ ସକାଳ ୧୦ଟା ୪୦ରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ତେବେ ପରେ ମଧ୍ୟ ଅଚଳାବସ୍ଥା ଦୂର ନହେବାରୁ ଶେଷରେ ସପ୍ତାହାନ୍ତ ବିରତି ପାଇଁ ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ତେବେ ଲଗାତାର ତୃତୀୟ ଦିନରେ ବିଧାନସଭାରେ ଅଚଳାବସ୍ଥା ଜାରି ରହିବା ଫଳରେ ଗୃହର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତ୍ତର ଓ ଆଲୋଚନା ପ୍ରଭାବିତ ହୋଇଛି।

Leave A Reply

Your email address will not be published.