ଭୁବନେଶ୍ୱର: ବାତ୍ୟା ‘ଅକୱାନ’ (Cyclone Akvan) ପ୍ରଭାବରେ ପୂର୍ବତଟ ରେଳପଥ (East Coast Railway) ଏବଂ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୪୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ଏବଂ ପ୍ରାୟ ୨୮ଟି ଟ୍ରେନର ସମୟ ପରିବର୍ତ୍ତନ (Reschedule) କରାଯାଇଛି। ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନଗୁଡ଼ିକ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ, ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ, ଟାଟାନଗର- ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି । ଏଥିସହ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ର ନିର୍ଦ୍ଧାରିତ ଗତିପଥ ବଦଳରେ ବିଜୟନଗରମ-ରାୟଗଡ଼ା-ଟିଟିଲାଗଡ଼ ସମ୍ବଲପୁର ମାର୍ଗରେ ଚଳାଚଳ କରିବ ।
ସେହିପରି ତିନୋଟି ଦୂରଗାମୀ ଏକ୍ସପ୍ରେସ୍ କନ୍ୟାକୁମାରୀ-ଦେବ୍ରିଗଡ଼ ବିବେକ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସ ଏବଂ ସିକନ୍ଦରାବାଦ- ହାୱଡ଼ା ଫଲକ୍ନୁମା ଏକ୍ସପ୍ରେସ ମଧ୍ୟ ବିକଳ୍ପ ଗତିପଥ ଦେଇ ଯାତ୍ରା କରିବ । ବାତିଲ୍ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ବିଭିନ୍ନ ଦୂରଗାମୀ ଏକ୍ସପ୍ରେସ୍, ବନ୍ଦେ ଭାରତ, ପାସେଞ୍ଜର ଏବଂ ମେମୁ ଟ୍ରେନ୍ ରହିଛି । ଏହି ଟ୍ରେନ୍ଗୁଡ଼ିକ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସଂଯୋଗ କରୁଛି । ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରକୁ ଯାତାୟାତ କରୁଥିବା ଅନେକ ଟ୍ରେନ୍ ଏହାଦ୍ୱାରା ପ୍ରଭାବିତ ହୋଇଛି ।
