ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା
ଗଳ୍ପ ସଙ୍କଳନ : ହୃଦୟର ହାତଗୋଡ
ବିଜୟ ପ୍ରଧାନ, ଭବାନୀପାଟଣା
ଯୋଗାଯୋଗ ‐ ୯୪୩୭୦୯୭୪୮୩
ପ୍ରକାଶକ ‐ ପଶ୍ଚିମା, ଭୁବନେଶ୍ବର
ପୃଷ୍ଠା ‐ ୧୯୧, ମୂଲ୍ୟ ‐ ଟ.୧୭୦/- ମାତ୍ର
ଖୁବ୍ କମ୍ ମାତ୍ର ଭଲ ଲେଖିବାରେ ବିଶ୍ବାସ ରଖୁଥିବା ଗାଳ୍ପିକ ବିଜୟ ପ୍ରଧାନ ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟର ଜଣେ ନିରବ ସାଧକ । ମୁହୂର୍ତ୍ତକର ଆବେଗରୁ ସୃଷ୍ଟି କରିପାରନ୍ତି ଗୋଟିଏ ଗୋଟିଏ ଚମତ୍କାର ଗଳ୍ପ । ପ୍ରେମ, ପ୍ରଣୟ, ବିରହ, ନିଃସଙ୍ଗତା, ସମର୍ପଣକୁ ନେଇ ରଚିପାରନ୍ତି ନିବିଡ ପ୍ରତ୍ୟୟ । ପାଠକ ଥରେ ତାଙ୍କ ଗଳ୍ପ ଅରଣ୍ୟ ମଧ୍ୟରେ ପ୍ରବେଶ କଲେ ମୁକୁଳିବାର ସବୁ ରାସ୍ତା ବନ୍ଦ । ଆଖି ଆଗରେ ଚଳଚ୍ଚିତ୍ର ଦୃଶ୍ୟ ପ୍ରତ୍ୟୟ ହେଲା ଭଳି ତାଙ୍କ ଗପର ଚରିତ୍ରମାନେ ନିଜନିଜର ଭୂମିକାକୁ ବୟାନ କରିଯାଆନ୍ତି । ଚମତ୍କାର ଦ୍ବନ୍ଦ୍ବ ଓ ଆକସ୍ମିକ ସମାଧାନର ଠିକ୍ ମଝିରେ ପାଠକକୁ ଏପରି ଦୋଦୁଲ୍ୟମାନ ସ୍ଥିତିରେ ଛାଡିଯାଆନ୍ତି ଯେ ତାଙ୍କ ଗପର ଚରିତ୍ରମାନେ ହୃଦୟାବର୍ତ୍ତରେ ରହିଯାଆନ୍ତି ଚିରଦିନ ପାଇଁ । ବହୁ ସ୍ମରଣୀୟ ଗଳ୍ପର ସ୍ରଷ୍ଟା ଶ୍ରୀଯୁକ୍ତ ପ୍ରଧାନଙ୍କର “ହୃଦୟର ହାତଗୋଡ” ଏକ ଉଲ୍ଲେଖନୀୟ ଗଳ୍ପ ସଂକଳନ ।
କନ୍ୟା ବିୟୋଗଜନିତ ଏକ ପିତୃ ହୃଦୟର ଆକୁଳତା, ବ୍ୟାକୁଳତା, ବିଷାଦବୋଧ ଓ ଅବସାଦକୁ ବାରି ହୁଏ ଶୀର୍ଷକ ଗପ ‘ହୃଦୟର ହାତଗୋଡ’ରେ । ଅବଶ୍ୟ ଗଳ୍ପଟି ଗାଳ୍ପିକଙ୍କ ନିଜସ୍ବ ଅନୁଭୂତିରୁ ହିଁ ସଂଜାତ । ନିଜର ଏକମାତ୍ର କନ୍ୟାର ଅକାଳ ନିଧନରେ ଗାଳ୍ପିକଙ୍କ ହୃଦୟ ଅକୁଳାନ ଦୁଃଖରେ ମ୍ରିୟମାଣ । ସେଥିରେ ପୁଣି ତୀର୍ଥକ୍ଷେତ୍ର ସଙ୍ଗମରେ ଅସ୍ଥି ବିସର୍ଜନ । ଅଥଚ କାନ୍ଦିବାକୁ ମନା । ଛାତିରେ ଛାତିଏ କୋହକୁ ଧରି ରଖିଛନ୍ତି ଗାଳ୍ପିକ ଭରାନଈଟେ ପରି । କେଉଁ ମୁହୂର୍ତ୍ତରୁ ସେସବୁ କୋହ ମିଶିଯାଇ ଆଖିରେ ଲୁହର ବନ୍ୟା ସୃଷ୍ଟି କରିସାରନ୍ତାଣି, ମାତ୍ର ପୁରୋହିତ ଓ ପ୍ରିୟଜନଙ୍କ ତାଗିଦ୍ ତାଙ୍କୁ କଠୋର କରିଦେଇଛି । କି ବିଚିତ୍ର ପରିସ୍ଥିତି ! ପ୍ରାଣପ୍ରିୟା କନ୍ୟାଠାରୁ ଟିକିଏ ବିଚ୍ଛେଦ ଯେଉଁଠି ଅସହ୍ୟ ହେଉଥିଲା ସେଠି ଚିରବିଚ୍ଛେଦ କେତେ ଯନ୍ତ୍ରଣାମୟ ହୋଇନଥିବ ସତେ ! ଜୀବନର ଏଇ ତ ରହସ୍ୟ ! ଯେଉଁଠି ବିନା କାରଣରେ ଆଖିରୁ ଲୁହଗୁଡାକ ଝରିଯାଏ ଅଥଚ ପର୍ଯ୍ୟାପ୍ତ କାରଣ ଥାଇ ମଧ୍ୟ କାନ୍ଦିନପାରିବା ତଥା ନୀତି, ନିୟମର ଶୄଙ୍ଖଳାର ବନ୍ଧା ଜଣେ ପିତାର ଅସହାୟପଣକୁ ପାଠକ ପ୍ରତି କ୍ଷଣେ ଅନୁଭବ କରିବ ଗଳ୍ପଟିରେ । ଚିତ୍ରକଳ୍ପମୟ ଭାଷା ଓ ସୁତୀବ୍ର ଆବେଗ ସିଧା ପାଠକ ହୃଦୟକୁ ଛୁଇଁଯିବ । ଏଇ ନିଆରା ପଣ ହିଁ ଗାଳ୍ପିକ ବିଜୟ ପ୍ରଧାନଙ୍କୁ ସମସାମୟିକ ଗଳ୍ପକାରଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ଦେଇଛି ।
‘ମାୟା’ ଗଳ୍ପରେ ପୋଲିସ କନେଷ୍ଟବଳ ଅନିରୁଦ୍ଧ ମିଶ୍ରର ରାତିଅଧିଆ ଡ୍ୟୁଟି ପଡେ କଦଳୀବାଡି ଘାଟୀ ଉପରେ । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ବସ୍ ଭିତରେ କିଛି ସଦ୍ୟ ମୃତ ଶରୀର ଓ ମୃତ୍ୟୁବତ୍ ଅନ୍ଧକାର ଆଉ ଶୀତଳତାର ରାଜୁତି । ଶବମାନଙ୍କୁ ଝୁଣି ଖାଇଯିବା ପାଇଁ ବିଲୁଆ, ଶୃଗାଳ ଓ ଅନ୍ୟ ହିଂସ୍ରପ୍ରାଣୀଙ୍କ ତୁହାକୁ ତୁହା ପ୍ରତିଯୋଗୀତା । ତା’ ସାଙ୍ଗକୁ ପ୍ରକୃତିର ପ୍ରତିକୁଳ ପରିବେଶ । ସବୁ ବିପଦ ଆଜି ଏକାସାଙ୍ଗରେ । ଆଲୁଅର ରାସ୍ତା ବନ୍ଦ । ଜୀବନ ଓ ମୃତ୍ୟୁର ଏ ଛକାପଞ୍ଝାରେ ତଥାପି ଜୀବନ ବଞ୍ଚିଛି । ଦୁର୍ଘଟଣାଗ୍ରସ୍ତ ମାଆ ପୁଅଙ୍କ ଭିତରୁ ପୁଅ ଚଏତୁ କୌଣସିମତେ ବଞ୍ଚିଯାଇଛି । ତାପରେ ଆରମ୍ଭ ହୋଇଛି ତାକୁ ବଞ୍ଚେଇ ରଖିବାର ଦୁର୍ବାର ପ୍ରଚେଷ୍ଟା । ସଂଘର୍ଷ ବିନା ଯେମିତି ଜୀବନର ସ୍ଥିତି ମୂଲ୍ୟହୀନ । ଅନିରୁଦ୍ଧ କର୍ତ୍ତବ୍ୟର ଅର୍ଗଳୀ ଭିତରେ ଚଏତୁକୁ ବଞ୍ଚେଇବା ପାଇଁ ପ୍ରକୃତି, ପରିବେଶ ଓ ମାନସିକ ସ୍ଥିତି ବିରୋଧରେ ଏକାକୀ ସଂଘର୍ଷ କରିଛି । ଶେଷରେ ଜୀବନର ଜୟଗାନ ଘୋଷିତ ହୋଇଛି । ଗାଳ୍ପିକ ବେଶ୍ କଳାତ୍ମକ ଢଙ୍ଗରେ ଗଳ୍ପର କଳେବର ଗଢିଛନ୍ତି ଯାହା ପାଠକକୁ ବିହ୍ବଳ କରିବ । ଅନିରୁଦ୍ଧର ବାରମ୍ବାର ପରିବର୍ତ୍ତିତ ମନଃସ୍ଥିତିକୁ ଗାଳ୍ପିକ ଅତି ସତର୍କତାର ସହ ରୂପାୟନ କରିଛନ୍ତି ।
‘ନିଷିଦ୍ଧ ଅନୁରାଗ’ରେ ରବୀନ ଓ ଆଭା ଦୁଇ ଭିନ୍ନପଥର ଯାତ୍ରୀ । ଉଭୟଙ୍କ ଲକ୍ଷ୍ୟ ଅଲଗା ଯେମିତି ରବୀନ୍ ହେଉଛି ଓଡିଶା ସରକାରଙ୍କ ଅଧିନରେ ବିଏସ୍ ଏଫ୍ ଜବାନ ମାତ୍ର ଆଭା ଦୁର୍ଦ୍ଦାନ୍ତ ନକ୍ସଲ ଗୋଷ୍ଠୀରେ । ତେବେ ସାମଞ୍ଜସ୍ୟ ହେଉଛି ଉଭୟେ ଉଭୟଙ୍କୁ ଭଲ ପାଆନ୍ତି । ସେମାନଙ୍କ ପ୍ରେମକାହାଣୀ ଅବ୍ୟକ୍ତ । ପରସ୍ପରକୁ ଭେଟିଥିଲେ ନାଟକୀୟ ଭାବେ, ଆକର୍ଷଣ ଆରମ୍ଭ ହୁଏ ଲୁଚାଛପାରେ ମାତ୍ର ଅଲଗା ହୁଅନ୍ତି କୋମ୍ବିଂ ଅପରେସନରେ । ରବୀନର ଗୁଳିମାଡରେ ଆଭା ଗୁରୁତର ଆହତ ହୋଇ ରବୀନ କୋଳରେ ହିଁ ଶେଷ ନିଃଶ୍ବାସ ତ୍ୟାଗ କରେ । ବିଜୟଙ୍କ ଅଧିକାଂଶ ଗଳ୍ପର ଚରିତ୍ର ଚିତ୍ରଣ ଠିକ୍ ଏହିପରି । ଆରମ୍ଭ ଯେପରି ନାଟକୀୟ, ଶେଷ ମଧ୍ୟ ସେହିପରି ନାଟକୀୟ । ଖୁବ୍ ପରିଶ୍ରମ କରି ସେ ଚରିତ୍ରମାନଙ୍କୁ ରଙ୍ଗରୂପ ଦିଅନ୍ତି । ଅସଂଖ୍ୟ ଅସଂଖ୍ୟ ଚରିତ୍ ଓ ଚିତ୍ରମାନଙ୍କ ମଧ୍ୟରୁ ସେ ଯେଉଁ ଅନନ୍ୟ ଚରିତ୍ରକୁ ଖୋଜି ଆଣନ୍ତି ସେମାନେ ଆଜୀବନ ପାଠକ ହୃଦୟରେ ଘର କରିନିଅନ୍ତି । ତାଙ୍କରି ଭାଷାରେ ‘ଜୀବନର ଏହି ଦୀର୍ଘ ଚଲାପଥରେ ଅସରନ୍ତି ଚରିତ୍ର, ଅସରନ୍ତି ଘଟଣାର ସାମ୍ନା କରିବାକୁ ପଡିଲେ ମଧ୍ୟ ସମସ୍ତଙ୍କୁ ସ୍ମୃତିରେ ସାଇତି ରଖିହୁଏନି । ତଥାପି କିଛି ମନେ ରହିଯାଆନ୍ତି’ । ସେମିତି ‘ଅହଙ୍କାର’ ଗଳ୍ପରେ ରୁଦ୍ରାଣୀ ଓ ପ୍ରମୋଦ ସୁଖୀ ଦମ୍ପତ୍ତି । ତଥାପି ରୁଦ୍ରାଣୀ ମନରେ ଅନେକ ଆକାଂକ୍ଷା । ତା’ ପ୍ରେମ ଜୀବନ ଆହୁରି ଅସମ୍ପୂର୍ଣ୍ଣ । କାହିଁକି…….? କାରଣ ତା କଲେଜ ସହପାଠୀ ଉଦୟ । ଅଳଙ୍କାରର ବଶବର୍ତ୍ତୀ ହୋଇ ବାର ବର୍ଷ ତଳେ ଯାହାର ନିସ୍ବାର୍ଥ ପ୍ରେମକୁ ରୁଦ୍ରାଣୀ ପଦଦଳିତ କରି ତିରସ୍କୃତ କରିଥିଲା ଆଜି ସେଇ ପ୍ରେମକୁ ଝୁରୁଛି…..ଉଦୟକୁ ଝୁରୁଛି……। ଏଇ ବୋଧେ ଭଲପାଇବା । ‘ସତରେ ହାତ ପାଆନ୍ତାରେ ଯାହା ଅଲୋଡା, ଅବର୍ତ୍ତମାନରେ ସିଏ କେତେ ଯେ ମୂଲ୍ୟବାନ’ ! ଦୁର୍ଘଟଣାରେ ପାଦ ହରାଇ ରୁଦ୍ରାଣୀ ଫେରିପାଇଛି ଉଦୟକୁ ଏକ ଭିନ୍ନ ଭୂମିକାରେ, ଜଣେ କାରିଗର ‘ଶଙ୍କର ନାଇଡୁ’ ଭାବରେ । କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରିରେ ଶଙ୍କର ଅଦ୍ବିତୀୟ ଶିଳ୍ପୀ । ଥରେ ପ୍ରେମରେ ପ୍ରତ୍ୟାଖ୍ୟାତ ହେବା ପରେ ଉଦୟ ପରିବର୍ତ୍ତିତ ହୋଇଛି ଶଙ୍କରରେ ମାତ୍ର ରୁଦ୍ରାଣୀ ନିଜ ଅହଙ୍କାର ନିକଟରେ ଜିତିଯାଇଛି କିନ୍ତୁ ଉଦୟର ପ୍ରେମ ନିକଟରେ ସେ ଭୀଷଣ ଭାବେ ହାରିଯାଇଛି । ପଶ୍ଚାତାପର ନିଆଁରେ ଜଳୁଥିବା ରୁଦ୍ରାଣୀ ଶେଷ ପର୍ଯ୍ୟନ୍ତ ବି ଶଙ୍କରକୁ ପାଖରେ ପାଇ ମଧ୍ୟ ପାଇପାରିନି । ସେଥିପାଇଁ କଥାକାର ଖେଦୋକ୍ତି କରିଛନ୍ତି ‘ସତରେ ହାତ ପାଆନ୍ତାରେ ଯାହା ଅଲୋଡା, ଅବର୍ତ୍ତମାନରେ ସିଏ କେତେ ଯେ ମୂଲ୍ୟବାନ’ !
ବେଳେବେଳେ ଗୋଟାଏ ‘କିକ୍’ରେ ଜୀବନର ଗତିପଥ ବଦଳିଯାଏ । ଯେମିତି ପ୍ରେସର ମାଇନର ବିସ୍ଫୋରଣରେ ରବୀନ ମୃତ୍ୟୁ ସହିତ ସଙ୍ଗ୍ରାମ କରୁଥିବାବେଳେ ସାଥି ବାଦଲ ପାଖରେ ଜଗିରହିଛି । ହେଲେ ରବୀନର ପ୍ରିୟତମା ଏଲିନାର ଦେଖା ଦର୍ଶନ ନାହିଁ । ଯାହାକୁ ମଣିଷ ବେଶୀ ଭଲପାଏ ସେ ହିଁ ତାକୁ ବେଶୀ ଧୋକା ଦିଏ । ତଥାପି ମଣିଷ କ’ଣ ଚେତିଥାଏ ! ‘କିକ୍’ ଗଳ୍ପରେ ଗାଳ୍ପିକ ଅତି ସୁନ୍ଦର ଭାବେ ବାଦଲ, ରବୀନ, ଏଲିନା ଓ ନର୍ସ ଲୀନାର ମନସ୍ତତ୍ତ୍ବକୁ ପରଖିଛନ୍ତି । ପ୍ରେମ, ପ୍ରଣୟ, ଧୋକା, ବନ୍ଧୁତା ଓ ସମର୍ପଣକୁ ନେଇ ସମୁଦାୟ ଗପଟି ସଂକଳନର ପ୍ରମୁଖ ଆକର୍ଷଣ । ‘ଶୋଷକୁ ଶୁଏଇ ଦେଇଥିବା ହସ ପଛର କଥା’ରେ ଧୁମା ଓ କୁସୁମ୍ ଦୁଇ ପ୍ରେମ ପକ୍ଷୀ, କେବେ ସ୍ବୀକାର କରିନଥିଲେ ମଧ୍ୟ ଆଖିରେ ଆଉ ଇସାରାରେ ପରସ୍ପର ପ୍ରତି ପ୍ରତିବଦ୍ଧ । ଉଭୟେ ନକ୍ସଲ କ୍ୟାମ୍ପର କଡା ନିୟମରେ ପରିଚାଳିତ । ଆଖିରେ ଆଖିଏ ସ୍ବପ୍ନ । କିନ୍ତୁ ହଠାତ୍ ସୁରକ୍ଷା ବାହିନୀ ଆକ୍ରମଣରେ ସବୁ ବିଧ୍ବସ୍ତ ହୋଇଯାଇଛି । କ୍ୟାମ୍ପର ପ୍ରାୟ ସମସ୍ତେ ବୀଭତ୍ସ ଭାବେ ମୃତ୍ୟୁବରଣ କରିଥିଲେ ମଧ୍ୟ ଦୁଇ ପ୍ରେମୀଯୁଗଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଛନ୍ତି । କିନ୍ତୁ ପରିସ୍ଥିତି ଯେବେ ତୁମ ବିପକ୍ଷରେ ସେତେବେଳେ ସଂଘର୍ଷ ବା କେତେ ସମୟ ପାଇ ? ଉଭୟେ ମୄତ୍ୟୁ ବରଣ କରିଛନ୍ତି ମାତ୍ର ଧରିତ୍ରୀ ମାତା ଉଭୟଙ୍କୁ ନିଜ କୋଳରେ ଲୁଚେଇ ଦେଇ ସେମାନଙ୍କ ଶାଶ୍ବତ ପ୍ରେମକୁ ସ୍ବୀକୃତି ପ୍ରଦାନ କରିଛି । ବିଜୟଙ୍କ ଗଳ୍ପରେ ସବୁଠାରୁ ବଡ ଆସ୍ପେକ୍ଟ ହେଲା ଆକସ୍ମିକତା ଯାହା ପାଠକକୁ ମୁହୂର୍ତ୍ତେ ଆନମନା ହେବାକୁ ସମୟ ଦେଇନଥାଏ । ଆଉ ଗୋଟିଏ କଥା ହେଲା ସାଂପ୍ରତିକ ସମୟର ଅନ୍ୟତମ ବିଶିଷ୍ଟ ରୋମାଣ୍ଟିକ୍ କଥାକାର ଭାବେ ସେ ବହୁଜନାଦୃତ । ପ୍ରେମକୁ ନେଇ ତାଙ୍କ ନିଆରା ଦୃଷ୍ଟିଭଙ୍ଗୀର ପରିଚୟ ତାଙ୍କର ଅନେକ ଗଳ୍ପ ଓ ଉପନ୍ୟାସରୁ ସହଜରେ ମିଳିଥାଏ । ପୁଣି ମୂଲ୍ୟବୋଧ, ସାଂସ୍କୃତିକ ଓ ସାମାଜିକ ଜୀବନଚର୍ଯ୍ୟାକୁ ଖୁବ୍ ସହଜରେ ଉପସ୍ଥାପିତ କରି ସେ ଏକ ଅନୁକୁଳ ପରିବେଶ ସୃଷ୍ଟି କରିପାରନ୍ତି । ଫଳରେ ବାସ୍ତବ ଓ କଳ୍ପନାର ଏକ ଅଦ୍ଭୁତ ସମନ୍ବୟ ପରିଦୃଶ୍ୟ ହୁଏ । ‘ଟ୍ରାପ୍’ ଗପରେ ଜଣେ ଲାଞ୍ଚୁଆ ଡାକ୍ତର ଓ ତାଙ୍କ ଅଧସ୍ତନ ସହକାରୀ ମମତାକୁ ରେଡ୍ କରିବାର ଦୃଶ୍ୟ ବେଶ୍ ରୋମାଞ୍ଚକର । ପ୍ରଶାସନିକ ଦୁର୍ବଳତା ଯୋଗୁଁ ସାଧାରଣ ହିତାଧିକାରୀ କିପରି ବାରମ୍ବାର ଉପେକ୍ଷିତ ହୋଇଥାଏ ତାର ଜ୍ବଳନ୍ତ ଉଦାହରଣ ହେଲା ‘ଟ୍ରାପ୍’ ଗପର ମଙ୍ଗଳୁ ଓ ତା’ ରୋଗିଣା ସ୍ତ୍ରୀ । ଚିକିତ୍ସା ଆଳରେ ତାକୁ ଦଶହଜାର ଟଙ୍କା ଲାଞ୍ଚ ମଗାଯାଇଛି । ଅଭିଯୋଗ କ୍ରମେ ଭିଜିଲାନସ ଲାଞ୍ଚଖୋର ଡାକ୍ତରଙ୍କୁ ସପ୍ରମାଣ ଗିରଫ କରିଛି । ଏପରିକି ଅଧସ୍ତନ ଭିଜିଲାନ୍ସ ଅଧିକାରୀ ବାଦଲ ମଧ୍ୟ ତା’ ପୁରାତନ ପ୍ରେମ ମମତାକୁ ଆରେଷ୍ଟ କରିବା ପାଇଁ ତିଳେ ମଧ୍ୟ ପଶ୍ଚାତପଦ ହୋଇନି । ଏଥିରେ କଥାକାର ଭିଜିଲାନ୍ସ ରେଡର ଅନୁଭୂତିକୁ ପୂର୍ବାପର ସମ୍ପର୍କ ଦେଇ ଏକ ଅନୁକୁଳ ପରିବେଶ ସୄଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।
‘କ୍ୟାମ୍ପ୍ ଆରେଞ୍ଜମେଣ୍ଟ’ରେ ଅନିରୁଦ୍ଧ ଉପରିସ୍ଥ ଅଫିସର ଚାୱଲା ସାହେବକୁ ଖୁସି କରିବାକୁ ଯାଇ ରାତି ଅଧରେ ତା’ ପାଇଁ ମାଲ୍ ଖୋଜିବାର ବିକଳ ଦୃଶ୍ୟ ଖୁବ୍ ବାସ୍ତବବାଦୀ ହୋଇଛି । ଶେଷକୁ ଉପାୟ ନପାଇ ନିଜ ସ୍ତ୍ରୀକୁ ସାହେବର ଶଯ୍ୟାସଙ୍ଗିନୀ କରିବାକୁ ମନସ୍ତ କରିଛି ଅନିରୁଦ୍ଧ । କାରଣ ପାପକରି ସେ ଯେଉଁ ଆୟ କରିଛି ସେଥିରେ ତା’ ସ୍ତ୍ରୀ, ପିଲା ବି ଭାଗିଦାର । ମନୁଷ୍ୟ ଚରିତ୍ରର ଅଧୋପତନକୁ ଦର୍ଶେଇବାରେ ଓ କଟାକ୍ଷ କରିବାରେ ଗାଳ୍ପିକ ତିଳେ ହେଲେ ହେଳା କରିନାହାନ୍ତି ।
“ହୃଦୟର ହାତଗୋଡ” ସଙ୍କଳନର ସମସ୍ତ ଗଳ୍ପ ଆମ ସମାଜ ଜୀବନର ଜୀବନ୍ତ ପ୍ରତିଲିପି । ବିଷୟବସ୍ତୁ ଚୟନ ହେଉ ବା ବର୍ଣ୍ଣନାର ଚାତୁର୍ଯ୍ୟ, ଭାବ ଗମ୍ଭୀର ପରିବେଶ ହେଉ ବା ଚରିତ୍ର ପ୍ରତି ଆତ୍ମୀୟତା ହେଉ ବିଜୟଙ୍କ ପ୍ରତ୍ୟେକ ଗଳ୍ପ ସାମ୍ପ୍ରତିକ ସମୟର ନିଚ୍ଛକ ପ୍ରତିବିମ୍ବ ଏଥିରେ ଦ୍ବିରୁକ୍ତି ନାହିଁ ।
ନୀଳଚକ୍ର ନଗର
ଅଠରନଳା
ପୁରୀ
Comments are closed.